ନୂଆଦିଲ୍ଲୀ,୧୨/୧୨; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ତାଙ୍କ ଉତ୍ତରାଧିକାରୀ କିଏ ? କିଏ ଧରିବ ବିଜେପିର ମଙ୍ଗ ? ଏହି ପ୍ରଶ୍ନ ଅନେକ ସମୟରେ ବିଜେପି ନେତାଙ୍କ ପଚରାଯାଏ । ହେଲେ ଯେବେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ପଚରଗଲା ଏହି ଯୁକ୍ତିରେ ସାମିଲ ହେବାକୁ ସେ ସଫା ସଫା ମନା କରି ଦେଇଥିଲେ । ଜାବାବରେ କିଛି ଏମିତି ଉତ୍ତର ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ କିଏ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ପ୍ରଶ୍ନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସମ୍ପର୍କରେ ବିଚାରବିମର୍ଶ ଏବଂ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଜନତା ପାର୍ଟି ଏବଂ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ଭର କରିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ କିଏ ଆସିବେ ବୋଲି ପଚରାଯିବାରୁ ମୋହନ ଭାଗବତ କହିଥିଲେ, କିଛି ପ୍ରଶ୍ନ ମୋ ଦୃଷ୍ଟିକୋଣରୁ ବାହାରେ । ତେଣୁ, ଏ ବିଷୟରେ ମୋର କିଛି ବି କହିବାର ନାହିଁ। ମୁଁ କେବଳ ତାଙ୍କୁ ଶୁଭକାମନା ଜଣାଇପାରିବି, ଆଉ କିଛି ନୁହେଁ । ମୋଦୀଙ୍କ ପରେ କିଏ ଆସିବେ ସେନେଇ ମୋଦି ଏବଂ ବିଜେପି ନିଷ୍ପତ୍ତି ନେବା ଉଚିତ ।"
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଚେନ୍ନାଇରେ ଥିବା ଭାଗବତ ଏହି ବୟାନ ଦେଇଛନ୍ତି , ଯାହାକି ଖୋଲା ସଙ୍କେତ ଦେଉଛି ଯେ, ବିଜେପି ଭିତରେ ଉତ୍ତରାଧିକାରୀ ବିତର୍କରେ ସାମିଲ ହେବାର ସଂଘର କୌଣସି ଉଦ୍ଦେଶ୍ୟ ନାହିଁ । ଯଦି ଭାରତକୁ "ବିଶ୍ୱଗୁରୁ" ଭାବରେ ଉଭା ହେବାକୁ ହୁଏ, ତେବେ ଜାତିଭିତ୍ତିକ ଏବଂ ଭାଷାଗତ ବିଭାଜନକୁ ଦୂର କରିବାକୁ ପଡିବ । ଆମକୁ ଆମ ଦେଶରେ ଜାତି ଏବଂ ଭାଷାଗତ ବିଭାଜନକୁ ଦୂର କରିବାକୁ ପଡ଼ିବ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ଭାଗବତ ।
"ଆରଏସଏସର ୧୦୦ ବର୍ଷର ଯାତ୍ରା - ନୂତନ ଦିଗନ୍ତ" କାର୍ଯ୍ୟକ୍ରମରେ ଭାଗବତ କହିଥିଲେ, "ସଂଗଠନ ୧୦୦ ବର୍ଷ କାର୍ଯ୍ୟ ପୂରଣ କରିଛି, ଏବଂ ଗତ ୧୦-୧୫ ବର୍ଷ ଧରି, ଆରଏସଏସ ନିୟମିତ ଆଲୋଚନାର ବିଷୟ ହୋଇଆସିଛି। ଯେତେବେଳେ ଆଲୋଚନା ହୁଏ, ଗୋଟିଏ କଥା ସ୍ପଷ୍ଟ ହୋଇଯାଏ: ଆମର ଶୁଭେଚ୍ଛୁ ଏବଂ ବିରୋଧୀ ଉଭୟ ତଥ୍ୟ ଉପରେ ନୁହେଁ, ଅନୁମାନ ଉପରେ ଆଧାରିତ କଥା କୁହନ୍ତି । "