ରୁକୁଣା ରଥଯାତ୍ରାକୁ ୧୦ ଦିନ, କାଠ ଅଭାବରୁ ଧିମେଇଛି ରଥ କାମ: ଆଜି ପ୍ରଥମ ଗାଡ଼ି ପହଞ୍ଚାଇବାକୁ ଡିଏଫ୍ଓଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର,୧୯/୦୩: ଆଉ ମାତ୍ର ୧୦ ଦିନ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ହେଲେ କାଠ ଅଭାବରୁ ରଥ ନିର୍ମାଣ କାମ ଧିମେଇ ଯାଇଛି । ଆମ୍ବ କାଠ ବ୍ୟତୀତ ଏଯାଏ ଅନ୍ୟାନ୍ୟ ଜଙ୍ଗଲ କାଠ ପହଞ୍ଚିପାରି ନାହିଁ । ମନ୍ଦିର ପ୍ରଶାସନ କାଠ ଯୋଗାଇବାରେ ବିଫଳ ହେବାରୁ ଅନେକ କାରିଗର ୨ ଦିନ ହେବ ହାତି ବାନ୍ଧି ବସିଲେଣି ।
କାଠ ଅଭାବରୁ ରଥ ତିଆରି କାମ ପ୍ରଭାବିତ ହେବା ଆଶଙ୍କା କରି କିଛି କାରିଗର ସମାସ୍ୟା ବିଷୟରେ ଅନ୍ୟ ସେବାୟତ ପ୍ରତିନିଧିଙ୍କ ଦୃଷ୍ଟିକୁ ଆଣିଥିଲେ । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଏନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ରଥ ପାଇଁ କାଠ ସମାସ୍ୟା ଥିବା ଜାଣିବା ପରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ, ନୟାଗଡ ବିଧାୟକ ଅରୁଣ ସାହୁ, ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଜିଲ୍ଲା ଜଙ୍ଗଲ ଅଧିକାରୀ (ଡିଏଫଓ) କ୍ଷମା ଷଡଙ୍ଗୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଡିଏଫଓ ରବିବାର ସୁଦ୍ଧା ପ୍ରଥମ ଗାଡି କାଠ ପହଞ୍ଚାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।
ସେ କହିଛନ୍ତି ୨ଟି ତେନ୍ତୁଳି ଏବଂ ୫ଟି ଢଉରା କାଠଗଣ୍ଡି ଦଶପଲ୍ଲା ଓ ମହିପୁର ଜଙ୍ଗଲରୁ ଅଣାଯାଇ ଗାଡିରେ ଲୋଡ୍ ସରିଛି । ଗାଡି ରବିବାର ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ୩ଟି ଶାଳ, ୫ଟି ଶିମିଳି ଓ ୨ଟି ମହୀ କାଠ ଗଣ୍ଡି ପାଇଁ ଗଛ କଟା ସରିଛି । ଯାହା ଆଉ ଦିନେ ଦୁଇ ଦିନ ମଧ୍ୟରେ ପହଞ୍ଚିବ । ଏହା ପୂର୍ବରୁ ସମ୍ପୃକ୍ତ ଡିଏଫଓଙ୍କ ସହିତ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଏବଂ ଟ୍ରଷ୍ଟ ବୋର୍ଡ ସଦଶ୍ୟ ଅବନୀକାନ୍ତ ପଟ୍ଟନାୟକ ମଧ୍ୟ ଫୋନରେ କଥା ହୋଇ କାଠ ଶୀଘ୍ର ପଠାଇବା ଲାଗି ଆଲୋଚନା କରିଥିଲେ ।
ଅନ୍ୟପକ୍ଷରେ ଶନିବାର ସନ୍ଧ୍ୟା ସୁଦ୍ଧା ଚକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବରିଷ୍ଠ କାରିଗର ସୋମନାଥ ମହାରଣା କହିଛନ୍ତି । ସେ କହିଛନ୍ତି, ଚକରେ ବତା ଓ ସଣ୍ଡୁଆସି ଲାଗି ସାରିଛି । ରବିବାର ଚକ ମହାଖଳାରୁ ରଥ ଗଡାକୁ ଅଣାଯିବ । ନିର୍ମାଣ କାମ ଦୁଇଟି ସିଫ୍ଟରେ ଚାଲିଥିଲେ ମଧ୍ୟ କାଠ ନ ଥିବାରୁ ପୂରା ଧିମେଇ ଯାଇଛି । ନିଯୋଜିତ ହୋଇଥିବା ୬୮ ଜଣଙ୍କ ମଧ୍ୟରୁ ଅନେକ ହାତ ବାନ୍ଧି ବସିଛନ୍ତି ।