ବିଧାନସଭାରେ ଚାଷୀ ତାତି, ଶାସକ ଦଳ ଉଠାଇଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା

source:m.dailyhunt.in
ଭୁବନେଶ୍ୱର,୬ା୨(ବ୍ୟୁରୋ): ନବ ନିର୍ମାଣ କୃଷକ ସଂଗଠନର ତାତି ବୁଧବାର ବିଧାନସଭାରେ ଦେଖିବାକୁ ମିଳିଥିଲା । ପୁଣି ଅଚଳ ହେଲା ବିଧାନସଭା । ମଙ୍ଗଳବାର ହୋହଲ୍ଲା, ହଟ୍ଟଗୋଳରେ ଦିନ ତମାମ ଗୃହ କାର୍ଯ୍ୟ ଧୋଇ ଯାଇଥିଲା । ଆଜି ପୁଣି ସମାନ ଅବସ୍ଥା ଉପୁଜିଲା । ଚାଷୀ ପ୍ରସଙ୍ଗ ନେଇ ଗର୍ଜିଲେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଆକ୍ରମଣ କଲେ । ବିରୋଧୀ ହଟ୍ଟଗୋଳ ଚଳାଇ ଥିବା ବେଳେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇ ଶାସକ ଦଳ ବି ପାଲଟା ଆକ୍ରମଣ କଲା । ସ୍ଲୋଗାନବାଜି ଛାଡ଼ିଲା । ଶାସକ-ବିରୋଧୀଙ୍କ ଏଭଳି ହଙ୍ଗାମାରେ ଆଜି ଅଚଳ ହୋଇଗଲା ପ୍ରଥମାର୍ଦ୍ଧ ଅଧିବେଶନ । ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଲା । ବାରମ୍ବାର ଗୃହ ମୁଲତବି ରହି ସର୍ବଦଳୀୟ ବୈଠକ ବସିଲା । ଫଳ ମିଳିଲାନି । ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିଲା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ଛାଡ଼ି ଚାଲିଗଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପରେ ବାଚସ୍ପତି ଗୃହକୁ ଗୁରୁବାର ଯାଏ ମୁଲତବି ରଖିଲେ ।
ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଦିବଂଗତ ନେତା ପ୍ରିୟନାଥ ଦେ ଓ ଲଡ଼ୁ କିଶୋର ସ୍ୱାଇଁଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଶୋକ ପ୍ରସ୍ତାବ ପରେ ଗୃହରେ ପ୍ରଶ୍ନକାଳ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶରେ ସଭ୍ୟା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତର ପଢ଼ିବାକୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଛିଡ଼ା ହୋଇଥିଲେ । ମାତ୍ର ହଠାତ୍ ଉଭୟ କଂଗ୍ରେସ ଓ ବିଜେପି ଦଳର ସଦସ୍ୟମାନେ ଚାଷୀ ପ୍ରସଙ୍ଗ ଧରି ମାଡ଼ି ଆସିଲେ ଗୃହ ମଧ୍ୟ ଭାଗକୁ । ଚାଷୀଙ୍କ ହକ୍ ନେଇ ଉଭୟ ବିରୋଧୀ ଦଳ ସରକାରୀ ବିରୋଧୀ ନାରା ଆରମ୍ଭ କରିଦେଲେ । ଅନ୍ୟପକ୍ଷରେ ଶାସକ ଦଳର ସଭ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆମର ଦାବି ବୋଲି ନାରା ଛାଡ଼ିଲେ । ଗୃହ ହଟ୍ଟଗୋଳରେ ଫାଟି ପଡ଼ୁଥିଲା ବେଳେ ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତର ପଢ଼ୁଥିଲେ । କିନ୍ତୁ, କିଛି ଶୁଭୁନଥିଲା । ପ୍ରବଳ ହଟ୍ଟଗୋଳ ଯୋଗୁ ସକାଳ ୧୦ଟା ୪୦ ମିନିଟରେ ବାଚସ୍ପତି ଗୃହକୁ ୧ ଘଣ୍ଟା ପାଇଁ ମୁଲତବି ଘୋଷଣା କରିଥିଲେ ।
୧୧ଟା ୪୦ ମିନିଟରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ଚାଷୀ ପ୍ରସଙ୍ଗରେ ପଏଣ୍ଟ ଅଫ୍ ଅର୍ଡର ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀ ପତି । ତାରା କହିଲେ, ରାଜ୍ୟର ୮୦ ଭାଗ ହେଉଛନ୍ତି ଚାଷୀ । ଆଜି ଚାଷୀ ସମାଜ ଆନ୍ଦୋଳନ ଡାକରା ଦେଇଥିଲେ । ହେଲେ ଚାଷୀ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସରକାର ଦାଦାଗିରି ଦେଖାଉଛନ୍ତି ।
ଏତିକିବେଳେ ବିଜେପି ସଦସ୍ୟ ରବି ନାଏକ ମଧ୍ୟ ନିଜ ଆସନରେ ଛିଡ଼ା ହୋଇ ଚାଷୀ ପ୍ରସଙ୍ଗ ଉଠାଇଥିଲେ । ଏହା ସହ ଆରମ୍ଭ ହୋଇଗଲା ନାରାବାଜି । ବିଜେପି ସଦସ୍ୟ ରବି ନାଏକ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ନିତେଶ ଗଙ୍ଗଦେବ ପ୍ରମୁଖ ଗୃହର ମଧ୍ୟ ଭାଗକୁ ଚାଲି ଆସି ଚାଷୀର ହକ୍ ଖାଇଲା କିଏ … ନାରା ଚଳାଇଥିଲେ ।
ଅନ୍ୟପକ୍ଷରେ ଶାସକ ଦଳ ସଦସ୍ୟ ସଂଜୟ ଦାସବର୍ମା କହିଲେ, ସରକାର ଚାଷୀ ପ୍ରସଙ୍ଗରେ ମୁଲତବି ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ହେଲେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ନିଜ ଦଳର ସଭ୍ୟମାନଙ୍କୁ ଗୃହର ମଧ୍ୟଭାଗକୁ ପଠାଇ ଆନ୍ଦୋଳନ କରିବା ଦୁର୍ଭାଗ୍ୟଜନକ ।
କଂଗ୍ରେସ ବି ଚାଷୀ ପ୍ରସଙ୍ଗ ଉଠାଇ ନାରାବାଜି ଚଳାଇଥିଲା । କଂଗ୍ରେସ ମୁଖ୍ୟ ସଚେତକ ଶ୍ରୀ ବାହିନୀପତି, ଚିଂରଜୀବି ବିଶ୍ୱାଳ, ଅଂଶୁମାନ ମହାନ୍ତି, ଚନ୍ଦ୍ରଶେଖର ମାଝୀ, ପ୍ରକାଶ ବେହେରା ପ୍ରମୁଖ ମାଡ଼ି ଆସିଥିଲେ ଗୃହ ମଧ୍ୟ ଭାଗକୁ । ଚାଷୀ ପ୍ରସଙ୍ଗ ନେଇ ଉଭୟ ବିଜେଡି-ବିଜେପି ବିରୋଧୀ ନାରା ଦେଇଥିଲେ ।
ଏଭଳି ନାରାବାଜି ଚାଲିଥିବା ବେଳେ କନକବର୍ଦ୍ଧନ ଓ ସଂଜୟଙ୍କ ମଧ୍ୟରେ ଗୃହ ଭିତରେ ଯୁକ୍ତିତର୍କ ଚାଲିଥିଲା । ମାତ୍ର ହଟ୍ଟଗୋଳ ଭିତରେ କିଛି ଶୁଭୁନଥିଲା । ଶେଷରେ ଦିନ ୧୧ଟା ୪୩ ମିନିଟରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ।
ଅପରାହ୍ନରେ ସମାନ ସ୍ଥିତି ଲାଗି ରହିଲା । ବିଜେପି ଓ କଂଗ୍ରେସ ସଭ୍ୟ ବାରମ୍ବାର ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ରଖିଲେ । ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ମାତ୍ର କିଛି ଫଳ ବାହାରିଲାନି । ଅପରାହ୍ନ ସାଢ଼େ ୫ଟାରେ ଗୃହକାର୍ଯ୍ୟ ଆରମ୍ଭ ହେଲା । ସଭ୍ୟ ଉମା ସାମନ୍ତରାୟ ଓ ମହେଶ ସାହୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରଖିବାକୁ ଛିଡ଼ା ହେଲେ । ପ୍ରତିବାଦ ଜଣାଇ ବିଜେପି ଓ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପରେ ବାଚସ୍ପତି ଗୃହକୁ ଗୁରବାର ଯାଏ ମୁଲତବି ରଖିଥିଲେ ।