- ସମୁଦ୍ରରେ ଆମେରିକାର ଦାଦାଗିରି
- ଚୀନ ଓ ଇରାନକୁ ଖୋଲା ଚ୍ୟାଲେଞ୍ଜ
- ୟୁରୋପ ଓ ନାଟୋକୁ ଧମକ
ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ଯେତେବେଳେ କ୍ଷମତାକୁ ଆସିଥିଲେ ,ସେ ଆମେରିକା ଜନତାଙ୍କୁ ୟୁକ୍ରେନ ଯୁଦ୍ଧ ରୋକିବାକୁ ପ୍ରତିଶ୍ରୁତି ଦେଇ ଥିଲେ। କିନ୍ତୁ ନୂଆ ବର୍ଷ ଆରମ୍ଭ ହେବା କ୍ଷଣି ତାଙ୍କର ପଦକ୍ଷେପ ବିଶ୍ୱରେ ଶାନ୍ତି ପରିବର୍ତ୍ତେ ଉତ୍ତେଜନା ଓ ବିବାଦକୁ ବଢାଇବାର ନଜର ଆସୁଛି। ୟୁକ୍ରେନ ଯୁଦ୍ଧ ଏବେ ବନ୍ଦ ବି ହୋଇ ନାହିଁ କି, ମିଡିଲ ଇଷ୍ଟରେ ନିଆଁ ଲାଗି ସାରିଛି। ଏହି ମଧ୍ୟରେ ଏବେ ଆମେରିକା-ରୁଷ୍ ମଧ୍ୟରେ ସିଧାସଳଖ ସଂଘର୍ଷ ବିଶ୍ୱସ୍ତରୀୟ ଚିନ୍ତାର କାରଣ ପାଲଟିଛି। ପ୍ରଶ୍ନ ଉଠିବାରେ ଲାଗିଛି ଯେ, ଟ୍ରମ୍ପ କଣ ବିଶ୍ୱର ୩ୟ ଯୁଦ୍ଧ ଆଡ଼କୁ ମୁହାଁଉଛନ୍ତି।
ତାଜା ଘଟଣାକ୍ରମରେ ଆମେରିକା ଉତ୍ତରୀ ଆଟଲାଣ୍ଟିକ୍ ମହାସାଗରରେ ରୁଷୀୟ ପତାକା ଥିବା ତୈଲ ଟ୍ୟାଙ୍କର ‘ମରିନେରା’କୁ ଜବତ କରି ନିଆ ଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଆମେରିକୀୟ କୋଷ୍ଟ ଗାର୍ଡ ଓ ସେନାର ମିଳିତ ଅପରେସନରେ କରାଯାଇଛି। ଆମେରିକାର ଦାବି ଯେ, ଏହି ଟ୍ୟାଙ୍କର ପ୍ରତିବନ୍ଧକର ଉଲ୍ଲଙ୍ଘନ କରି ଅବୈଧ ରୂପେ ଭେନେଜୁଏଲାର ତେଲ ନେଇ ଯାଉ ଥିଲା। ଏହା ସେହି ଟ୍ୟାଙ୍କର ,ଯାହାର ପୁରୁଣା ନାମ ‘ବେଲା-୧’ ଥିଲା ଏବଂ ଯାହା ଉପରେ ୨୦୨୪ରେ ଆମେରିକା ପ୍ରତିବନ୍ଧକ ଲଗାଇ ଥିଲା। ପରେ ଏହାର ନାମ ବଦଳାଇ ମରିନେରା କରିଦିଆ ଯାଇଥିଲା।
ଏହି ଅପରେସନ କୌଣସି ଫିଲ୍ମ ଦୃଶ୍ୟ ଠାରୁ କମ୍ ନଥିଲା। ସମୁଦ୍ରରେ ଭାସୁ ଥିବା ଟ୍ୟାଙ୍କର , ଏହା ଉପରେ ଥିବା ହେଲିକପ୍ଟର ଓ ରଶି ଗୁଡ଼ିକ ସାହାଯ୍ୟରେ ଓହ୍ଲାଇ ଥିଲେ ଆମେରିକୀୟ ଯବାନ। ବିଶେଷ କଥା ଏହା ଯେ, ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଏମିତି ସମୟରେ ହୋଇଛି , ଯେବେ ସେହି ଅଞ୍ଚଳରେ ରୁଷୀୟ ନୌସେନାର ଯୁଦ୍ଧ ଜାହାଜ ଓ ବୁଡ଼ା ଜାହାଜ ମଧ୍ୟ ଉପସ୍ଥିତ ଥିଲା । ହେଲେ ଯେବେ ଆମେରିକୀୟ କୋଷ୍ଟ ଗାର୍ଡ ଟ୍ୟାଙ୍କର ଉପରେ କବଜା କରିଥିଲା, ଏହି ସମୟରେ ଆଖପାଖ କୌଣସି ରୁଷୀୟ ଜାହାଜ ନଥିଲା । ଏହି ଅପରେସନରେ ବ୍ରିଟେନ ଆମେରିକାର ପୂରା ସହଯୋଗ କରିଥିଲା।
ରୁଷ୍ ଏହି କାର୍ଯ୍ୟାନୁଷ୍ଠାନ ଉପରେ କଡ଼ା ପ୍ରତିକ୍ରିୟା ଦେଇଛି। ରୁଷୀୟ ସିନେଟର ଏଣ୍ଡ୍ରି କ୍ଲିଶସ ଏହାକୁ ଖୋଲା ସମୁଦ୍ରରେ ବଡ଼ ସାମୁଦ୍ରିକ ଡକାୟତ ଦର୍ଶାଇ ଅନ୍ତର୍ଜାତୀୟ ଆଇନର ସିଧା ସଳଖ ଉଲ୍ଲଙ୍ଘନ କହିଛି। ରୁଷ୍ ୧୯୮୨ ର ସଂଯୁକ୍ତ ରାଷ୍ଟ୍ର ସାମୁଦ୍ରିକ ଆଇନ ସମ୍ମିଳନୀ ଦର୍ଶାଇ କହିଛି ଯେ,କୌଣସି ବି ଦେଶକୁ ଦ୍ୱିତୀୟ ଦେଶର ବିଧିବଦ୍ଧ ପଞ୍ଜୀକୃତ ଜାହାଜ ବିରୁଦ୍ଧରେ ବଳ ପ୍ରୟୋଗ କରିବାର ଅଧିକାରୀ ନାହିଁ। ଏବେ ଦୁନିଆର ନଜର ଏହି କଥା ଉପରେ ରହିଛି ଯେ, ରୁଷ୍ ଏହାର ଜବାବ କେଉଁ ପ୍ରକାରର ଦେଉଛି।
ଅନ୍ୟପଟେ ଆମେରିକା ୨୪ଘଣ୍ଟା ମଧ୍ୟରେ ୨ୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ କ୍ୟାରିବିୟାନ ସାଗରରେ ‘ଏମ/ଟି ସୋଫିଆ’ ନାମକ ଆଉ ଏକ ତୈଳ ଟ୍ୟାଙ୍କରକୁ ଜବତ କରିଥିଲା ,ଯାହା ଭେନେଜୁଏଲାର ତୈଳକୁ ନେଇ ଚୀନ ଆଡ଼କୁ ଯାଉଥିଲା । ଏଥିରୁ ସ୍ପଷ୍ଟ ଯେ, ଟ୍ରମ୍ପ ପ୍ରଶାସନ ତୈଳର ବ୍ୟବସାୟ ଓ ଏହା ଉପରେ ନିୟନ୍ତ୍ରଣକୁ ନେଇ ଖୁବ୍ ଆକ୍ରମଣାତ୍ମକ ନୀତି ଆପଣାଉଛନ୍ତି।
ଟ୍ରମ୍ପ କେବଳ ରୁଷ୍ ସହ ପଙ୍ଗା ନେଇ ନାହାନ୍ତି , ଏହାସହ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ କିଡନ୍ୟାପ୍ କରି ସିଧାସଳଖ ଚୀନର ହିତ ଉପରେ ଆଘାତ ଦେଇଛନ୍ତି। ଅନ୍ୟପଟେ, ଇରାନ ମାମଲାରେ ଟ୍ରମ୍ପଙ୍କ ନିକଟତମ ସିନେଟର ଲିଣ୍ଡସେ ଗ୍ରାହମ ଖୁବ୍ ବିପଜ୍ଜନକ ଟିପ୍ପଣୀ ଦେଇଛନ୍ତି। ଗ୍ରାହମ ଖୋଲା ଧମକ ଦେଇଛନ୍ତି ଯେ, ଯଦି ଇରାନ ନିଜ ଦେଶରେ ବିରୋଧ ପ୍ରଦର୍ଶନକାରୀଙ୍କ ହତ୍ୟା ରୋକେ , ତ ରାଷ୍ଟ୍ରପତି ଟ୍ରମ୍ପ ସେଠାରେ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇ ପାରନ୍ତି।
ଡୋନାଲ୍ଡ ଟ୍ରମ୍ପଙ୍କ ନଜର ଏବେ ଗ୍ରୀନଲ୍ୟାଣ୍ଡକୁ ହଡ଼ପ କରିବା ଉପରେ ରହିଛି। ଏଥିପାଇଁ ସେ ୟୁରୋପୀୟ ଦେଶ ଓ ନାଟୋକୁ କହିଛନ୍ତି ଯେ ଆମେରିକା ବିନା ନାଟୋର କୌଣସି ଅସ୍ତିତ୍ୱ ନାହିଁ। ଯେତେବେଳେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭେନେଜୁଏଲା ଉପରେ ଆମେରିକାର ଆକ୍ସନର ସମାଲୋଚନା କରିଥିଲେ , ତ ଟ୍ରମ୍ପ ସାର୍ବଜନିକ ମଞ୍ଚରେ ତାଙ୍କର ଥଟ୍ଟା କରି କୂଟନୈତିକ ମର୍ଯ୍ୟାଦାକୁ ଖଣ୍ଡ ଖଣ୍ଡ କରି ଦେଇଛନ୍ତି।