ନୂଆଦିଲ୍ଲୀ, ୦୫/୦୮ : ଆଉ ଚଳିବନି ମୁହଁ ଫୁଟାଣି। ଟ୍ରମ୍ପଙ୍କୁ ଅସଲ ରୂପ ଦେଖାଇଲେ ପୁଟିନ୍। ଆମେରିକା ସହ ଡିଲ୍ ଭାଙ୍ଗିଲା ଋଷ। ଆଣବିକ ଚୁକ୍ତିରୁ ଓହରିଲେ ପୁଟିନ୍। ଆଉ ମାନିବେନି କଟକଣା। ଚରମ ସୀମାରେ ଋଷ-ଆମେରିକା ବିବାଦ। ବଡ଼ ଯୁଦ୍ଧ ମୁହାଁ ହେଉଛନ୍ତି ବିଶ୍ଵର ଦୁଇ ମହାଶକ୍ତି। ଆରମ୍ଭ ହୋଇଗଲା ପରମାଣୁ ଅସ୍ତ୍ର ଦୌଡ଼। ଋଷ ତଟରେ ପରମାଣୁ ବୁଡ଼ାଜାହାଜ ନିୟୋଜିତ କରିଥିଲେ ଟ୍ରମ୍ପ। ଏବେ ୱାସିଂଟନ ସହ ହୋଇଥିବା ମଧ୍ୟମ ଦୂରଗାମୀ ଆଣବିକ ଶକ୍ତି ଚୁକ୍ତିରୁ ଓହରିଗଲା ମସ୍କୋ। ପାଶ୍ଚାତ୍ୟ ଦେଶମାନଙ୍କୁ ଦାୟୀ କଲେ ପୁଟିନ୍।
ଟ୍ରମ୍ପ ପୂର୍ବରୁ ଆଣବିକ ଚୁକ୍ତି ଭାଙ୍ଗି ସାରିଛନ୍ତି। ଏବେ ତ ଖାଲି ବିଧିବଦ୍ଧ ଭାବେ ପୁଟିନ୍ ଘୋଷଣା କରିଛନ୍ତି । ଆମେରିକା ଫିଲିପାଇନ୍ସରେ ଟାଇଫୁଲ ମିସାଇଲ ଲଞ୍ଚର ମୁତୟନ କରିଛି ଏବଂ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟାଲିସମ୍ୟାନ ସାବର ସମରାଭ୍ୟାସ ବେଳେ ମିସାଇଲ ବ୍ୟବହାର କରିଛି। ଯେଉଁଥି ପାଇଁ ଋଷର ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଛି। ତେଣୁ ପୁଟିନ୍ ନିଜ ଆଡ଼ୁ ଆଣବିକ ଡିଲ୍ରୁ ଓହରିଯାଇଛନ୍ତି। ଏହି ଚୁକ୍ତିରେ ଲଗାଯାଇଥିବା କଟକଣା ଆଉ ମାନିବୁନି ବୋଲି ଋଷ ବୈଦେଶିକ ମନ୍ତ୍ରାଳୟ କହିଛି। ସେହିପରି ଗତ ଶୁକ୍ରବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ତଟରେ ଦୁଇଟି ଆଣବିକ ବୁଡାଜାହାଜ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ଏହି ପଦକ୍ଷେପ ଯୁଦ୍ଧ ଉନ୍ମାଦନା ସୃଷ୍ଟି କରିବ ବୋଲି ଋଷ କହିଛି।
ସେପଟେ ୟୁରୋପୀୟ ସଙ୍ଘର ଦୋମୁହାଁ ନୀତି ସାମ୍ନାକୁ ଆସିଛି। ଯେଉଁ ପାଶ୍ଚାତ୍ୟ ଦେଶ ଗୁଡ଼ିକ ଭାରତକୁ ନାଲି ଆଖି ଦେଖାଉଛନ୍ତି। ସେମାନେ ନିଜେ ଋଷ ସହ ଭଲ କାରବାର କରୁଛନ୍ତି। ସାର, ଖଣିଜ ପଦାର୍ଥ, ରସାୟନ, ଲୁହା ଏବଂ ଇସ୍ପାତ, ଯନ୍ତ୍ରାଂଶ ଏବଂ ପରିବହନ ଉପକରଣ ପର୍ଯ୍ୟନ୍ତ ୟୁରୋପ-ରୁଷ ବାଣିଜ୍ୟ କାରବାର ଲମ୍ବିଛି। ଆମେରିକା ମଧ୍ୟ ନିଜର ପରମାଣୁ କ୍ଷେତ୍ର ପାଇଁ ରୁଷରୁ ୟୁରାନିୟମ ହେକ୍ସାଫ୍ଲୁରାଇଡ୍, ଇ-ଯାନ ଶିଳ୍ପ ପାଇଁ ପଲ୍ଲାଡିୟମ୍, ରସାୟନ ଶିଳ୍ପ ପାଇଁ ସାର ଆମଦାନି କରୁଛି। ଏଭଳି କ୍ଷେତ୍ରରେ ଭାରତକୁ ଅକାରଣରେ ଏବଂ ଅଯୌକ୍ତିକ ଭାବେ ଟାର୍ଗେଟ୍ କରାଯାଉଛି । ଅନ୍ୟାନ୍ୟ ଅର୍ଥନୀତି ଭଳି ଭାରତ ଏହାର ରାଷ୍ଟ୍ରୀୟ ସ୍ୱାର୍ଥ ଏବଂ ଅର୍ଥନୈତିକ ନିରାପତ୍ତା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛି ।
ଋଷ ଆଣବିକ ଚୁକ୍ତିରୁ ଓହରିବା ପରେ ଏବେ ଟେନସନ୍ରେ ୟୁରୋପ। ଆଣବିକ ଚୁକ୍ତିରୁ ମସ୍କୋ ଓହରିବା ଅର୍ଥ ବଡ଼ ଯୁଦ୍ଧ ମୁହାଁ ଅଗ୍ରସର ହେବ ବିଶ୍ଵ। ଯଦି ବିନା କୌଣସି ପ୍ରତିବନ୍ଧକରେ ଋଷ ମଧ୍ୟବର୍ତ୍ତୀ ଏବଂ କ୍ଷୁଦ୍ର ଦୂରଗାମୀ ଭୂମି-ଭିତ୍ତିକ କ୍ଷେପଣାସ୍ତ୍ର ନିର୍ମାଣ ଏବଂ ନିୟୋଜିତ କରିବ ତାହାଲେ ବୈଶ୍ଵିକ ସୁରକ୍ଷା ଉପରେ ଗମ୍ଭୀର ପ୍ରଭାବ ପଡ଼ିବ। ଏବେ କେବଳ NEW START ସନ୍ଧି ୱାଶିଂଟନ ଓ ମସ୍କୋର ପରମାଣୁ ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ କରିବାରେ ଏକମାତ୍ରା ସାହା ଭରଷା ପାଲଟିବ। ଯଦି ଏହି ଚୁକ୍ତି ବି ଭାଙ୍ଗିଯାଏ, ତେବେ ୧୯୭୨ ପରେ ପ୍ରଥମ ଥର ପାଇଁ ବିଶ୍ୱର ଦୁଇ ସର୍ବବୃହତ ପରମାଣୁ ଶକ୍ତିର ଅସ୍ତ୍ରଶସ୍ତ୍ର ଉପରେ କୌଣସି ନିୟନ୍ତ୍ରଣ ରହିବ ନାହିଁ। ଯାହାକି ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ।