ନୂଆଦିଲ୍ଲୀ,୨୮।୯: ଶନିବାର ରାତିରେ ୟୁକ୍ରେନ୍ ଉପରେ ଡ୍ରୋନ୍‌ ଓ ମିଜାଇଲ୍‌ରୁ ଘାତକ ଆକ୍ରମଣ କରିଛି ରୁଷ । ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅତି କମ୍‌ରେ ୬୭ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ସବୁଠାରୁ ଅଧିକ କ୍ଷୟକ୍ଷତି ରାଜଧାନୀ କିଭ୍‌ରେ ହୋଇଛି, ଯେଉଁଠି ଗତ ମାସ ଏୟାର ଷ୍ଟ୍ରାଇକ୍‌ରେ ୨୧ ଜଣ   ମୃତ୍ୟୁ ପରେ ଏହି ବଡ଼ ଧରଣର ବୋମାମାଡ଼ ହୋଇଥିଲା। କିଭ୍ ସହର ପ୍ରଶାସନର ପ୍ରମୁଖ ତାଇମୁର ତକାଚେକୋ ରବିବାର ସୋସିଆଲ ମିଡିଆରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛି।  ମୃତକଙ୍କ ମଧ୍ୟରେ ୧୨ ବର୍ଷୀୟ ଝିଅଟିଏ ରହିଛି। ସହରର କେନ୍ଦ୍ରରେ ହୋଇଥିବା ବିସ୍ଫୋରଣ ପରେ କଳା ଧୂଆଁ ଉଠୁଥିବାର ଦେଖିବାକୁ ମିଳିଥିଲା।

ୟୁକ୍ରେନ୍ ସଶସ୍ତ୍ର ସେନା ଦାବି କରିଛି ଯେ, ରୁଷ ରାତି ସାରା ୫୯୫ ଡ୍ରୋନ୍‌ ଓ ୪୮ ମିସାଇଲ ମାଡ଼ କରିଥିଲା। ସେଭଳି ତାଙ୍କର ଏୟାର ଡିଫେନ୍ସ ସିଷ୍ଟମ ୫୬୮ ଡ୍ରୋନ୍ ଓ ୪୩ଟି ମିସାଇଲକୁ ନଷ୍ଟ କରିଦେଇଛି। ସେନାର ସୂଚନା ଅନୁସାରେ, ଏହି ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା ରାଜଧାନୀ କିଭ୍। ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି କହିଛନ୍ତି, ୧୨ ଘଣ୍ଟାରୁ ଅଧିକ ସମୟ ଚାଲିଥିବା ଏହି ଆକ୍ରମଣରେ କାର୍ଡିଓଲୋଜି କ୍ଲିନିକ୍, କାରଖାନା ଓ ଆବାସିକ ବିଲ୍ଡିଂ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପକ୍ଷେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ଘୋଷଣା କରିଛି ସେ ୟୁକ୍ରେନ୍ ଉପରେ ଲମ୍ବା ଦୂରଗାମୀ ବିମାନ ଓ ଡ୍ରୋନ୍ ଆକ୍ରମଣ କରିଛି। ଯେଉଁଥିରେ ବିମାନ ଆଡ୍ଡା ସହିତ ସାମରିକ ଆଡ୍ଡାକୁ ଟାର୍ଗେଟ କରାଯାଇଛି। ଯୁଦ୍ଧରେ ନାଗରିକଙ୍କୁ ଟାର୍ଗେଟ କରିବା ନେଇ ମସ୍କୋ ସ୍ପଷ୍ଟ ମନା କରିଦେଇଛି।