ମସ୍କୋ,୩୦/୦୧: ଶାନ୍ତି ଆଲୋଚନା କରିବା ପାଇଁ ୟୁକ୍ରେନ୍‌ଙ୍କୁ ଆମନ୍ତ୍ରଣ କରିଛି ରୁଷ୍ । ରାଜଧାନୀ ମସ୍କୋରେ ବୈଠକ କରିବା ଲାଗି କୁହାଯାଇଛି । ଏହାଦ୍ୱାରା ପ୍ରାୟ ୪ ବର୍ଷ ଧରି ଜାରି ରହିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି ।

କ୍ରେମ୍‌ଲିନ୍‌ ମୁଖପାତ୍ର ଦିମିତ୍ରି ପେସ୍କୋଭ ଗୁରୁବାର କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ମସ୍କୋରେ ଆଲୋଚନା କରିବାକୁ ଚାହୁଁଛୁ । ଏଥିଲାଗି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଡକାଯାଇଛି । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ କ୍ରେମ୍‌ଲିନ୍‌ ଜଣେ ବରିଷ୍ଠ ଅଧିକାରୀ ଜେଲେନସ୍କିଙ୍କୁ ଶାନ୍ତି ଆଲୋଚନା ଲାଗି ଆମନ୍ତ୍ରଣ କରିଛନ୍ତି ।

ଏହା ପୂର୍ବରୁ ବୁଧବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହଯୋଗୀ ୟୁରୀ ଉସାକୋଭ କହିଥିଲେ, ମସ୍କୋରେ ଆଲୋଚନା ଲାଗି ଜେଲେନସ୍କିଙ୍କୁ ରୁଷ୍ ଆମନ୍ତ୍ରଣ କରିଛି । ଯଦି ସେ ପ୍ରକୃତରେ ବୈଠକ ପାଇଁ ଆଗ୍ରହୀ, ତେବେ ସେ ଆସିପାରିବେ । ଯଦି ସେ ଆସନ୍ତି, ତାଙ୍କର ସୁରକ୍ଷା ପାଇଁ ଆମେ ଗ୍ୟାରେଣ୍ଟି ଦେବୁ ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ରୁଷ୍, ୟୁକ୍ରେନ୍ ଏବଂ ଆମେରିକା ଆବୁଧାବିରେ ପ୍ରଥମ ତ୍ରିପାକ୍ଷିକ ବୈଠକ କରିଥିଲେ । ଏହା ସଫଳ ହୋଇଥିବା ଆମେରିକାର ଜଣେ ଅଧିକାରୀ କହିଥିଲେ । ଏଥିସହିତ ଫେବ୍ରୁଆରୀ ୧ରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ବସିବା ନେଇ ସୂଚନା ଦେଇଥିଲେ ।

ଆହୁରି ପଢ଼ନ୍ତୁ:- ପାକିସ୍ତାନକୁ ନେଇ ଆମେରିକାର ବଡ ଘୋଷଣା, ଶାହବାଜ-ମୁନୀରଙ୍କୁ ଧୋକ୍କା ଦେଲା ଟ୍ରମ୍ପ ପ୍ରଶାସନ…