ନୂଆଦିଲ୍ଲୀ, ୨୯/୦୩: ପହିଲାରୁ ୪ ମାସ ଯାଏ ତେଲ ଦେବନି ରୁଷ । ଜୁଲାଇ ୩୧ ଯାଏ ତେଲ ରପ୍ତାନି ଉପରେ କଟକଣା ଲଗାଇଛି ଏହି ଦେଶ । ଉପପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର ନୋବାକ ଶକ୍ତି ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ବଜାରରେ ଯୋଗାଣରେ ସ୍ଥିତାବସ୍ଥା ବଜାୟ ରଖିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ଦିଗରେ ଏଭଳି ପଦକ୍ଷେପ ଆସିଥିବା କୁହାଯାଉଛି ।

ନୋବାକ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱ ତେଲ ଏବଂ ପେଟ୍ରୋଲିୟମ ବଜାରରେ ଅସ୍ଥିରତା ବଢ଼ିଛି । ଏଥିରେ ଯୋଗୁ ଅଶୋଧିତ ତେଲର ମୂଲ୍ୟରେ ହ୍ରାସ-ବୃଦ୍ଧି ଜାରି ରହିଛି । ରୁଷ ଦୈନିକ ୧.୨ରୁ ୧.୭ ନିୟୁତ ବ୍ୟାରେଲ ପେଟ୍ରୋଲ ରପ୍ତାନି କରିଥାଏ । ରପ୍ତାନି କଟକଣା ଯୋଗୁ ଚୀନ, ତୁର୍କୀ, ବ୍ରାଜିଲ, ଆଫ୍ରିକାଏବଂ ସିଙ୍ଗାପୁର ଭଳି ଦେଶ ଗୁଡ଼ିକ ଉପରେ ବେଶି ପ୍ରଭାବ ରହିପାରେ । କାରଣ ଏହି ଦେଶ ଗୁଡ଼ିକ ରୁଷ ପେଟ୍ରୋଲିୟମ ଉତ୍ପାଦର ବଡ କ୍ରେତା । ଭାରତ ଉପରେ କମ୍ ପ୍ରଭାବ ରହିବ କାରଣ ଭାରତ ସିଧାସଳଖ ପେଟ୍ରୋଲ ନ କିଣି ଅଶୋଧିତ ତେଲ କିଣିଥାଏ ।

ବିଶେଷଜ୍ଞ କହିଛନ୍ତି, ଭାରତ ସିଧାସଳଖ ରୁଷଠାରୁ ପେଟ୍ରୋଲ କିଣି ନ ଥାଏ । ସେଠାରୁ ଅଶୋଧିତ ତେଲ ଭାରତକୁ ଆସିଥାଏ । ଭାରତ ଏହାର ମୋଟ ଚାହିଦାର ୮୦% ଅଶୋଧିତ ତେଲ ଆମଦାନୀ କରିଥାଏ । ଏଥିରେ ରୁଷର ଅଂଶ ୨୦% । ଭାରତ ସ୍ୱଳ୍ପ ମାତ୍ରାରେ ପେଟ୍ରୋଲ ଏବଂ ଅନ୍ୟ ପେଟ୍ରୋଲିୟମ ସାମଗ୍ରୀ ଆମଦାନି କରିଥାଏ । କାରଣ ଦେଶ ମଧ୍ୟରେ ବିଶୋଧନାଗାର ଗୁଡ଼ିକରେ ପେଟ୍ରୋଲଡିଜେଲ ଉତ୍ପାଦିତ ହୋଇଥାଏ । ଫଳରେ ରୁଷର କଟକଣା ଭାରତ ଉପରେ ଏହାର ପ୍ରଭାବ ନଗଣ୍ୟ ରହିବ । ଭାରତ ଦୈନିକ ୫୬ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ବିଶୋଧନ କରିଥାଏ । ଏହା ଦ୍ୱାରା ଘରୋଇ ବଜାରର ଆବଶ୍ୟକତା ପୂରଣ ହେବା ସହ ରପ୍ତାନି ମଧ୍ୟ ହୋଇଥାଏ । ତେବେ ରୁଷର ଏଭଳି ନିଷ୍ପତ୍ତି ବିଶ୍ୱ ତେଲ ବଜାର ଉପରେ ପ୍ରଭାବ ପକାଇବ ବୋଲି କହିଛନ୍ତି ବିଶେଷଜ୍ଞ । ଫଳରେ ଅଶୋଧିତ ତେଲ ଦର ବୃଦ୍ଧି ହୋଇପାରେ । ପୂର୍ବରୁ ଯୁଦ୍ଧ ଯୋଗୁ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାରରୁ ଊଦ୍ଧ୍ୱର୍ରେ ରହିଛି ।

ଅଧିକ ପଢ଼ନ୍ତୁ :-  ମଧ୍ୟ ପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି, ଆମେରିକୀୟ ଜାହାଜ ଉପରେ ଇରାନର ଆକ୍ରମଣ

ଶୁକ୍ରବାର ପେଟ୍ରୋଲ ରପ୍ତାନି ସମ୍ପର୍କରେ ମସ୍କୋରେ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା । ଦେଶ ମଧ୍ୟରେ ପେଟ୍ରୋଲ-ଡିଜେଲ ପର୍ଯ୍ୟାପ୍ତ ରହିଥିବା ବେଳେ ବିଶୋଧନାଗାର ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ଚାଲୁଥିବା ନୋବାକ କହିଥିଲେ । ଗତ ବର୍ଷ ରୁଷ ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ କଟକଣା ଲଗାଇଥିଲା । ଗତ ବର୍ଷ ରୁଷ ୫୦ ଲକ୍ଷ ମେଟ୍ରିକ ଟନ ପେଟ୍ରୋଲ ରପ୍ତାନି କରିଥିଲା । ଅନ୍ୟପଟେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରୁ ତେଲ ଆସିବା ପ୍ରଭାବିତ ହୋଇଛି । ଆମେରିକା ରୁଷ ତେଲ କିଣିବା ନେଇ କଟକଣା କୋହଳ କରିବା ଯୋଗୁ ଭାରତ ପୁଣି ଥରେ ରୁଷ ତେଲ କିଣିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ରୁଷ ତେଲ ଏବେ ୧୫ ଡଲାର ମହଙ୍ଗାରେ କ୍ରୟ କରୁଛି ଦେଶ ।