ନୂଆଦିଲ୍ଲୀ,୪।୮:  ରୁଷ ଓ ୟୁକ୍ରେନ୍ ଯୁଦ୍ଧ ଥମିବା ବଦଳରେ ଆହୁରି ବଢିବାରେ ଲାଗିଛି। ୟୁକ୍ରେନ୍‌ ଓ ରୁଷ ଦୁହେଁ ପରସ୍ପର ଦେଶ ଉପରକୁ ଆହୁରି ଅଧିକ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ରୁଷ ପକ୍ଷରୁ ଦାବି କରାଯାଉଛି ଯେ, ୟୁକ୍ରେନ୍‌ରୁ ଆସିଥିବା ଡ୍ରୋନ୍ ତା’ର ଦକ୍ଷିଣ ସହର ବେଲଗ୍ରାଦେର ଏକ ରେଲଓ୍ବେ ଷ୍ଟେସନ୍‌ରେ ଯାଇ ମାଡ଼ ହୋଇଥିଲା। ଫଳରେ ସେଠାରେ ବିଜୁଳି ଲାଇନ୍ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଯାଇଛି। 

ବେଲଗ୍ରାଦେର ସହରର ଗଭର୍ଣ୍ଣର ବୋଚାରୋଭ କହିଛନ୍ତି, ଆର୍ଚେଡା ରେଲଓ୍ବେ ଷ୍ଟେସନ୍‌ ନିକଟରେ ଥିବା ରେଲଓ୍ବେ ଟ୍ରାକ୍‌ରେ ଏହି ଡ୍ରୋନ୍ ପଡିଛି। ତେବେ ଏଥିରେ କୌଣସି ବିସ୍ଫୋରଣ ହୋଇନି, କିନ୍ତୁ ଆଖପାଖରେ ଥିବା ଜିନିଷ ସହ ଘର୍ଷଣ ଯୋଗୁଁ ସେଠାରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଟ୍ରାକର ଅଧିକ କ୍ଷତି ହୋଇନି।

ରୁଷ ସମାଚାର ଏଜେନ୍ସି ତାସକେ ଅନୁସାରେ, ଆର୍ଚେଡାରେ ହୋଇଥିବା ଏହି ଘଟଣା ପରେ ବହୁ ଅଞ୍ଚଳରେ ଟ୍ରେନ୍ ଖୁବ୍ ବିଳମ୍ବରେ ଚାଲିଥିଲା। ରୁଷ ବିମାନ ଯାତ୍ରା ମନ୍ତ୍ରଣାଳୟ ଅନୁସାରେ, ଏହି ଘଟଣା ପରେ ବେଲଗ୍ରାଦେ ସହରର ବିମାନ ବନ୍ଦରରେ ବହୁ ଘଣ୍ଟା ପର୍ଯ୍ୟନ୍ତ  ବିମାନ ଚଳାଚଳ ବନ୍ଦ ରହିଥିଲା। ତେବେ ପରେ ଏହି ଉଡାଣ ପୁଣିଥରେ ଆରମ୍ଭ ହୋଇଥିଲା।