ମେଲବର୍ଣ୍ଣ, ୦୧/୦୨: ସବୁ ଆଲୋଚନା ଓ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି କାଜାଖସ୍ତାନର ଏଲିନା ରିବାକିନା ଚଳିତ ବର୍ଷ ଚଳିତ ଅଷ୍ଟ୍ରେଲିଆର ଓପନ ମହିଳା ସିଙ୍ଗଲ୍ସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି । ଶନିବାର ଅନୁଷ୍ଠିତ ଫାଇନାଲ୍ ମୁକାବିଲାରେ ସେ ୪ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତି ସାରିଥିବା ଟପ ସିଡ୍ ବେଲାରୁଷର ଅର୍ନ୍ୟା ସାବାଲେଙ୍କାଙ୍କୁ ୬-୪, ୪-୬, ୬-୪ ସେଟ୍ରେ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ରିବାକିନାଙ୍କୁ ୨ ଘଣ୍ଟା ୧୮ ମିନିଟ୍ ଲାଗିଥିଲା ।
ପୂର୍ବରୁ ୨୦୨୩ ସଂସ୍କରଣ ଫାଇନାଲ୍ ଉଭୟ ପରସ୍ପରକୁ ଭେଟିଥିଲେ । ସାବାଲେଙ୍କା ୪-୬, ୬-୩, ୬-୪ ସେଟ୍ରେ ଉକ୍ତ ମ୍ୟାଚ ଜିତି ଚାମ୍ପିଅନ୍ ହୋଇଥିଲେ । ରିବାକିନାଙ୍କୁ ସେତେବେଳେ ରନର୍ସ ଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ମାତ୍ର ଏଥର ସେ କୌଣସି ତ୍ରୁଟି ଦୋହରାଇ ନଥିଲେ । ଅବଶ୍ୟ ଦ୍ୱିତୀୟ ସେଟ୍ରେ ସାବାଲେଙ୍କା ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ସେଟ୍ରେ ମଧ୍ୟ ସାବାଲେଙ୍କା ୩-୧ରେ ଆଗୁଆ ରହିଥିଲେ । ମାତ୍ର ଏହାପରେ ରିବାକିନା ପ୍ରତ୍ୟାବର୍ତ୍ତନ କରିଥିଲେ ଓ ତୃତୀୟ ସେଟ୍ ଜିତି ୩ବର୍ଷ ତଳର ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇବା ସହ ପ୍ରଥମ କାଜାଖସ୍ତାନ ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ ।
ଏହା ରିବାକିନାଙ୍କ କ୍ୟାରିୟର୍ର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ ରହିଥିଲା । ସେ ୨୦୨୨ରେ ୱିମ୍ବଲଡନ ଚାମ୍ପିଅନ୍ ହୋଇଥିଲେ । ଗତ ବର୍ଷ ଡବ୍ଲ୍ୟୁଟିଏ ଫାଇନାଲ୍ସ ଜିତିବା ପରେ ମଧ୍ୟ ରିବାକିନାଙ୍କୁ ମେଲବର୍ଣ୍ଣ ପାର୍କରେ ଟାଇଟଲ ଦାବିଦାର ରୂପେ ଗଣା ହେଉ ନଥିଲା । କାରଣ ଡିଫେଣ୍ଡିଂ ଚାମ୍ପିଅନ୍ ମାଡିସନ କିଜ, ସାବାଲେଙ୍କା ଓ ଇଗା ସ୍ୱିଟେକ ପ୍ରବଳ ଦାବିଦାର ରୂପେ ରହିଥିଲେ । ରିବାକିନା ପ୍ରଥମ ରାଉଣ୍ଡ୍ରୁ ଫାଇନାଲରେ ପହଞ୍ଚିବା ପର୍ଯ୍ୟନ୍ତ ଗୋଟିଏ ହେଲେ ସେଟ୍ ହାରି ନଥିଲେ ।
ଆହୁରି ପଢ଼ନ୍ତୁ:- ଅନ୍ତିମ ଟି-୨୦: ନ୍ୟୁଜିଲାଣ୍ଡକୁ ୪୬ ରନରେ ହରାଇଲା ଭାରତ
ମର୍ଟେନ୍ସ-ଝାଙ୍ଗ ଯୋଡ଼ିଙ୍କୁ ମହିଳା ଡବଲ୍ସ ଟାଇଟଲ୍
ଚତୁର୍ଥ ସିଡ୍ ବେଲ୍ଜିୟମ୍ର ଏଲିସ ମର୍ଟେନ୍ସ ଓ ଚୀନ୍ର ସୁଆଇ ଝାଙ୍ଗ ଯୋଡ଼ି ମହିଳା ଡବଲ୍ସ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ଫାଇନାଲ୍ରେ ଏହି ଯୋଡ଼ି ସପ୍ତମ ସିଡ୍ ଆନ୍ନା ଡାଲିନିନା ଓ ଆଲେକଜାନ୍ଦ୍ର କ୍ରୁନିକ ଯୋଡ଼ିଙ୍କୁ ୭-୬(୭-୪), ୬-୪ ସେଟ୍ରେ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ମର୍ଟେନ୍ସଝାଙ୍ଗ ଯୋଡ଼ିଙ୍କୁ ୧ଘଣ୍ଟା ୪୮ ମିନିଟ୍ ଲାଗିଥିଲା ।
ହ୍ୟାରିସନ-ସ୍କୁପ୍ସ୍କି ଯୋଡ଼ି ପୁରୁଷ ଡବଲ୍ସ ଚାମ୍ପିଅନ୍
ଷଷ୍ଠ ସିଡ୍ ଖ୍ରୀଷ୍ଟିଆନ ହ୍ୟାରିସନ ଓ ନିଲ ସ୍କୁପସ୍କି ଯୋଡ଼ି ପୁରୁଷ ଡବଲ୍ସ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ଫାଇନାଲ୍ରେ ଏହି ଯୋଡ଼ି ଅଷ୍ଟ୍ରେଲିଆର ଜାସନ କୁବଲର ଓ ମାର୍କ ପୋଲମାନ୍ସ ଯୋଡ଼ିଙ୍କୁ ୭-୬(୭- ୪), ୬-୪ ସେଟ୍ରେ ହରାଇଥିଲେ ।