ପାଟନା, ୩/୨: ଅନ୍ୟକୁ ଆଇନର ପାଠ ବିଷୟରେ ବୁଝାଉଥିବା ମହିଳା ପୁଲିସ ଅଧିକାରୀ ନିଜେ ଘରେ କରିଛନ୍ତି ହିଂସା । ଶାଶୁଙ୍କୁ ଶିଳପୁଆରେ ମାରି ମୁଣ୍ଡ ଫଟାଇ ଦେଇଛନ୍ତି । ବିହାରରୁ ଏମିତି ଏକ ଖବର ସାମ୍ନାକୁ ଆସିଥିବାବେଳେ ପୁଲିସ ବୋହୂଙ୍କ ସବୁଠି ନିନ୍ଦା କରାଯାଇଛି । ଆହତ ହୋଇଥିବା ଶାଶୁଙ୍କ ଉଦ୍ଧାର ମେଡିକାଲରେ ଭର୍ତ୍ତି କରାଯାଇଛି । ପଡ଼ୋଶୀଙ୍କ କହିବା ଅନୁସାରେ ଏକ ଛୋଟ କଥାରୁ ଆରମ୍ଭ ହୋଇଥିବା ଯୁକ୍ତିତର୍କ ପାଇଁ ଏବେ ବଡ଼ ଅଘଟଣ ଘଟିଛି ।
ମୁଙ୍ଗେଶ୍ବରରେ ଥିବା ମହିଳା ଏସଆଇ ଜଣକ ତାଙ୍କ ଶାଶୁଙ୍କ ସହ ସବୁବେଳେ ଝଗଡ଼ା କରନ୍ତି । ତେବେ ଗତକାଲି ଛୋଟ କଥାରୁ ଯୁକ୍ତି ହୋଇଥିଲା । ଝଗଡ଼ା ଏତେ ବଢ଼ିଥିଲା କି, ସେ ରୋଷେଇ ଘରେ ଥିବା ଶିଳପୁଆ ଉଠାଇ ସିଧା ଶାଶୁଙ୍କ ମୁଣ୍ଡରେ ଛେଚିଦେଲେ । ପାଟି ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ । ଆଉ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ କେବଳ ଏହି ଘଟଣା ନୁହେଁ ଆମ ସମାଜରେ ଏମିତି ଅନେକ ଘଟଣା ଆପଣମାନେ ପ୍ରତିଦିନ ଦେଖିବାକୁ ପାଉଥିବେ ।
ଶାଶୁ-ବୋହୂଙ୍କ ମଧ୍ୟରେ କାହିଁକି ହୁଏ କଜିଆ ?
ଶାଶୁ ବୋହୂଙ୍କ ମଧ୍ୟରେ ବଢ଼ୁଥିବା ଦୂରତା ଏକ ବଡ଼ କାରଣ ବୋଲି କହିପାରିବା । ଆଜିର ଆଧୁନିକ ସମୟରେ ଝଗଡ଼ାର ମୁଖ୍ୟ କାରଣ ହେଉଛି ମାନସିକ ଏବଂ ସାମାଜିକ କାରଣ ।
ଅହଂକାର: ଯଦି କୌଣସି ବୋହୂ ବଡ଼ ଚାକିରୀ କରନ୍ତି ତାହେଲେ ସେ ଅହଙ୍କାରରେ ବୁଡ଼ି ରୁହନ୍ତି । କିମ୍ବା ଶାଶୁ ଯଦି ଯଦି ସରକାରୀ ଚାକିରୀ କରନ୍ତୁ ଆଉ ବୋହୂ ଘରେ କିଛି କାମ ନକରନ୍ତି ତାହେଲେ ସେ ମଧ୍ୟ ଛୋଟ ନଜରରେ ବୋହୂଙ୍କୁ ଦେଖନ୍ତି । ଆଉ ସବୁ କାମରେ ତାଙ୍କୁ ଲଗାନ୍ତି । ଯେଉଁ କାରଣରୁ ଆରମ୍ଭ ହୁଏ ଝଗଡ଼ା ।
ପିଢ଼ିର ବ୍ୟବଧାନ: ପୁରୁଣା ଲୋକଙ୍କ ଜୀବନଶୈଳୀ ଏବଂ ନୂତନ ପିଢ଼ିର ଆଧୁନିକ ଚିନ୍ତାଧାରା ମଧ୍ୟରେ ଦ୍ୱନ୍ଦ୍ୱ ପ୍ରାୟତଃ ବିବାଦ ସୃଷ୍ଟି କରେ।
ଗୋପନୀୟତାର ଅଭାବ: କର୍ମଜୀବୀ ମହିଳାମାନଙ୍କୁ ପ୍ରାୟତଃ ଘରେ ନିଜସ୍ୱ ସ୍ଥାନ ଆବଶ୍ୟକ ହୋଇଥାଏ, ଯେତେବେଳେ ପାରମ୍ପରିକ ପରିବାରରେ ଏଥିରେ ଅଧିକ ହସ୍ତକ୍ଷେପ ଥାଏ, ଯାହା ଉତ୍ତେଜନା ସୃଷ୍ଟି କରେ।
ଯୋଗାଯୋଗର ଅଭାବ: ଯଦି କୌଣସି କାରଣରୁ ଘରେ ଭୁଲ ବୁଝାମଣାରୁ ଝଗଡ଼ା ହୁଏ ତାହେଲେ ସେମାନେ ନିଜର ଦୋଷକୁ ମାନିବା ବଦଳରେ ନିଜ ପାଇଁ ଯୁକ୍ତି କରନ୍ତି । ଯାହାକି ଛୋଟ କଥାକୁ ବଡ଼ ଝଗଡ଼ାରେ ପରିଣତ କରିଥାଏ ।
କ’ଣ କଲେ ଶାଶୁ-ବୋହୂଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ ?
ସବୁବେଳେ ଭୁଲ୍ ବୁଝାମଣା ସାଙ୍ଗକୁ ନିଜର ଗର୍ବ ଝଗଡ଼ାର ପ୍ରମୁଖ କାରଣ ହୋଇଥାଏ । କୁହାଯାଏ ଶାଶୁ କେବେ ମାଆ ହୋଇପାରିବେନି କି ବୋହୂ କେବେ ଝିଅ ହୋଇପାରିବେନି । ଏହି ଉକ୍ତିର ଅନେକ ଯଥାର୍ଥ ମଧ୍ୟ ରହିଛି । ଯଦି ଏହାକୁ ସମସ୍ତେ ବୁଝିପାରନ୍ତେ ଆଉ ଶାଶୁମାନେ ବୋହୂକୁ ଝିଅ ପରି ଦେଖନ୍ତେ ଆଉ ବୋହୂମାନେ ନିଜର ମାଆ ଭଳି ଶାଶୁଙ୍କ ସେବା କରନ୍ତେ ତାହେଲେ କେବେ ମଧ୍ୟ ଝଗଡ଼ା ହୁଅନ୍ତା ନାହିଁ । ତେବେ ଆସନ୍ତୁ ଜାଣିବା କଣ କଲେ ସମ୍ପର୍କ ଭଲ ରହିବ ।
୧. ପରସ୍ପରକୁ ସମ୍ମାନ କରନ୍ତୁ: ବୋହୂ ବୁଝିବା ଉଚିତ ଯେ ଶାଶୁ ଘରର ମୂଳଦୁଆ, ଏବଂ ଶାଶୁ ସ୍ୱୀକାର କରିବା ଉଚିତ ଯେ ବୋହୂ ଏବେ ସେହି ଘରର ଏକ ଅବିଚ୍ଛେଦ୍ୟ ଅଂଶ।
୨. ଆଶା କମ କରନ୍ତୁ: ଅତ୍ୟଧିକ ଆଶା କରିବା ଦ୍ୱାରା ପ୍ରାୟତଃ ଦୁଃଖ ହୁଏ । ପରସ୍ପରକୁ ଯେପରି ସେମାନେ ସେପରି ଗ୍ରହଣ କରନ୍ତୁ ।
୩.ଧର୍ଯ୍ୟ ଏବଂ ସଂଯମ ଅତ୍ୟାବଶ୍ୟକ: କ୍ରୋଧ କୌଣସି ସମସ୍ୟାର ସମାଧାନ ନୁହେଁ । ଯଦି ବିବାଦ ବୃଦ୍ଧି ପାଏ, ତେବେ ନୀରବ ରହିବା ବୁଦ୍ଧିମାନର କାମ । ଘର ବାହାରେ ପଦବୀର ମର୍ଯ୍ୟାଦା ପ୍ରଚଳିତ ହେବା ଉଚିତ; ଘର ଭିତରେ, କେବଳ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ ।
୪. ସମୟ ବିତାଇବା: ବ୍ୟସ୍ତବହୁଳ ଦିନ ସତ୍ତ୍ୱେ, ୧୫-୨୦ ମିନିଟ୍ ଏକାଠି ବସିବା, ଚା ପିଇବା କିମ୍ବା କଥାବାର୍ତ୍ତା କରିବା ଦ୍ୱାରା ତିକ୍ତତା ହ୍ରାସ ପାଇପାରେ।
ସମାଜରେ ସମସ୍ତେ ସମାନ ନୁହଁନ୍ତି । ଆମେ କେବଳ ଖବର ପରିବେଷଣ ପାଇଁ ଏଭଳି ଲେଖିଛୁ । କିନ୍ତୁ ଏହି ଛୋଟ ଲେଖାଟି ଯଦି କାହାର ପରିବାରରେ ପରିବର୍ତ୍ତନ ଆଣିପାରିବ ଆମେ ଖୁସି ହେବୁ । ଏହାକୁ ନେଇ ଆପଣଙ୍କ ମତ କ’ଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ…
ଏହାସହ ପଢ଼ନ୍ତୁ : ରିଙ୍କୁ ସିଂହଙ୍କ ପିତାଙ୍କ ଦେହାନ୍ତ ସହ ଭାରତର ସେମି ପହଞ୍ଚିବା ନେଇ ଏମିତି ପ୍ରଶ୍ନ କଲେ ସାମ୍ବାଦିକ, ଯାହାକୁ ନିନ୍ଦା କରୁଛି କ୍ରୀଡ଼ା ଜଗତ