କଟକ ୧୨/୦୧: କଷ୍ଟ ତ ବହୁତ କରିଛୁ । କୃଷ୍ଣ ମିଳିବ ବୋଲି ଆଶା ଅଛି । ସାଧାରଣତଃ ସମସ୍ତେ ପେଟ କମ୍ କରିବା ପାଇଁ ଝାଳ ବୁହାଇଥାନ୍ତି । ହେଲେ ‘ରାଣ୍ଡୀପୁଅ ଅନନ୍ତା’ ପାଇଁ ଚେଷ୍ଟା କରି ମୁଁ ପେଟ ବଢ଼େଇଛି । କେବଳ ମୁଁ କାହିଁକି, ଏ ଫିଲ୍ମର ଟିମ୍ ସହ ଜଡ଼ିତ ପ୍ରତ୍ୟେକ ସଦସ୍ୟ ଅନୁରୂପ ପରିଶ୍ରମ କରିଛନ୍ତି ନିଜ ନିଜ କାମରେ । ବଲାଙ୍ଗୀରର ହରିଶଙ୍କର ଅଞ୍ଚଳରେ ମାଓବାଦୀ ଆତଙ୍କ ଭିତରେ, କାଇଦା କଟକଣା ମାନି ସୁଟିଂ କରିବା ଆଦୌ ସହଜ ନଥିଲା । ତଥାପି ଆମେ ସେସବୁ ଚ୍ୟାଲେଞ୍ଜକୁ ସାମ୍ନା କରି ଫିଲ୍ମ ତିଆରି କରିଛୁ । ଆଶା କରୁଛୁ ଆମ କଷ୍ଟର କୃଷ୍ଣ ମିଳିବ ଦର୍ଶକଙ୍କ ଭଲପାଇବା ଆକାରରେ । ‘ରାଣ୍ଡୀପୁଅ ଅନନ୍ତା’ ସମ୍ପର୍କିତ ଆଲୋଚନାବେଳେ ଏକଥା କହିଛନ୍ତି ଏ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ସବ୍ୟସାଚୀ ମିଶ୍ର ।
ଫିଲ୍ମରେ ସବ୍ୟସାଚୀଙ୍କ ନାୟିକା ଭାବେ ସୂର୍ଯ୍ୟମୟୀଙ୍କୁ ଦେଖିବେ ଦର୍ଶକ । ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏ ସିନେମା ଫକୀର ମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’ ଉପରେ ଆଧାରିତ । ଏହାର ସଂଳାପକାର ଡ. ରଜନୀ ରଞ୍ଜନ କହନ୍ତି, ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା ପାଇଁ ଏଥିରେ କମର୍ସିଆଲ୍ ବା ବାଣିଜ୍ୟିକ କଳା କୌଶଳ ମଧ୍ୟ ଯୋଡ଼ା ଯାଇଛି । ଫିଲ୍ମରେ ଅଛି ନିର୍ମଳ ନାୟକଙ୍କ ଲିଖିତ ୪ଟି ଗୀତ, ଯାହାକୁ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର। ଫିଲ୍ମରେ ତାପସ ସରଘରିଆ, କୁନା ତ୍ରିପାଠୀଙ୍କ ଅଭିନୟ ମଧ୍ୟ ଦେଖିବେ ସିନେପ୍ରେମୀ ।