କଟକ ୧୨/୦୧: କଷ୍ଟ ତ ବହୁତ କରିଛୁ । କୃଷ୍ଣ ମିଳିବ ବୋଲି ଆଶା ଅଛି । ସାଧାରଣତଃ ସମସ୍ତେ ପେଟ କମ୍‌ କରିବା ପାଇଁ  ଝାଳ ବୁହାଇଥାନ୍ତି । ହେଲେ ‘ରାଣ୍ଡୀପୁଅ ଅନନ୍ତା’  ପାଇଁ ଚେଷ୍ଟା କରି ମୁଁ ପେଟ ବଢ଼େଇଛି ।  କେବଳ ମୁଁ କାହିଁକି, ଏ ଫିଲ୍ମର ଟିମ୍‌ ସହ  ଜଡ଼ିତ ପ୍ରତ୍ୟେକ ସଦସ୍ୟ ଅନୁରୂପ ପରିଶ୍ରମ କରିଛନ୍ତି ନିଜ ନିଜ କାମରେ । ବଲାଙ୍ଗୀରର ହରିଶଙ୍କର ଅଞ୍ଚଳରେ  ମାଓବାଦୀ ଆତଙ୍କ ଭିତରେ, କାଇଦା  କଟକଣା ମାନି ସୁଟିଂ କରିବା ଆଦୌ  ସହଜ ନଥିଲା । ତଥାପି ଆମେ ସେସବୁ  ଚ୍ୟାଲେଞ୍ଜକୁ ସାମ୍ନା କରି ଫିଲ୍ମ ତିଆରି  କରିଛୁ । ଆଶା କରୁଛୁ ଆମ କଷ୍ଟର କୃଷ୍ଣ  ମିଳିବ ଦର୍ଶକଙ୍କ ଭଲପାଇବା ଆକାରରେ । ‘ରାଣ୍ଡୀପୁଅ ଅନନ୍ତା’ ସମ୍ପର୍କିତ ଆଲୋଚନାବେଳେ  ଏକଥା କହିଛନ୍ତି ଏ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ସବ୍ୟସାଚୀ  ମିଶ୍ର । 

ଫିଲ୍ମରେ ସବ୍ୟସାଚୀଙ୍କ ନାୟିକା ଭାବେ  ସୂର୍ଯ୍ୟମୟୀଙ୍କୁ ଦେଖିବେ ଦର୍ଶକ । ସବ୍ୟସାଚୀ  ମହାପାତ୍ରଙ୍କ ନିର୍ଦ୍ଦେଶିତ ଏ ସିନେମା ଫକୀର ମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡୀପୁଅ  ଅନନ୍ତା’ ଉପରେ ଆଧାରିତ । ଏହାର  ସଂଳାପକାର ଡ. ରଜନୀ ରଞ୍ଜନ କହନ୍ତି,  ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା  ପାଇଁ ଏଥିରେ କମର୍ସିଆଲ୍‌ ବା ବାଣିଜ୍ୟିକ  କଳା କୌଶଳ ମଧ୍ୟ ଯୋଡ଼ା ଯାଇଛି । ଫିଲ୍ମରେ ଅଛି ନିର୍ମଳ ନାୟକଙ୍କ ଲିଖିତ  ୪ଟି ଗୀତ, ଯାହାକୁ ସଂଗୀତରେ ସଜାଇଛନ୍ତି  ଅଭିଜିତ ମଜୁମଦାର। ଫିଲ୍ମରେ ତାପସ  ସରଘରିଆ, କୁନା ତ୍ରିପାଠୀଙ୍କ ଅଭିନୟ ମଧ୍ୟ ଦେଖିବେ ସିନେପ୍ରେମୀ ।