ଭୁବନେଶ୍ବର: ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଆ ସିନେମାର ଜୟଯାତ୍ରା। ମୁମ୍ବାଇରେ ଆୟୋଜିତ ପ୍ରତିଷ୍ଠିତ ଇଣ୍ଡିଆନ୍ ନ୍ୟାସନାଲ୍ ସିନେ ଏକାଡେମୀ ବା ‘ଇନକା’ ଆୱାର୍ଡ ଉତ୍ସବରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ ହୋଇଛନ୍ତି ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା , ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଉପରେ ଆଧାରିତ ଚଳଚ୍ଚିତ୍ର ‘ଅନନ୍ତା’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଓଡ଼ିଆ ସିନେମା ଜଗତ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ । ଓଡିଶ ମାଟିର ମହକ ଏବେ ଦେଶ ସାରା ଖେଳିଯାଇଛି । ନିଚ୍ଛକ ଓଡ଼ିଆ କାହାଣୀକୁ ବେଶ ସୁନ୍ଦରତର ସହ ପ୍ରଦର୍ଶିତ କରି ଜାତୀୟ ଚଳଚିତ୍ର ବିଜେତା ପୁଣି ହାତେଇଛନ୍ତି ଆଉ ଏକ ଜାତୀୟ ପୁରସ୍କାର । ଜାତୀୟ ସ୍ତରରେ ଓଡ଼ିଆ ମାଟିର କଳା ଓ ସଂସ୍କୃତିର ବିଜୟ ଧ୍ୱଜା ଉଡ଼ାଇଛନ୍ତି ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ମୁମ୍ବାଇରେ ଅନୁଷ୍ଠିତ INCA ଆୱାର୍ଡ ୨୦୨୬ ସମାରୋହରେ ଚଳଚ୍ଚିତ୍ର ‘ଅନନ୍ତା’ ପାଇଁ ସବ୍ୟସାଚୀ ମହାପାତ୍ର ଏବଂ ତାଙ୍କ ପୁଅ କୁମାର ସି. ଦେବ ମହାପାତ୍ରଙ୍କୁ ମିଳିତ ଭାବେ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର । ଯାହାକୁ ନେଇ ବେଶ ଖୁସି ସବାସସହି ମହାପାତ୍ର । ଆଉ ଏ ସଫଳତା ସେ ଓଡ଼ିଶାବାସୀଙ୍କୁ ସମର୍ପି ଦେଇଛନ୍ତି । ଜଗନ୍ନାଥ ସମଲେଶ୍ୱରୀ ଙ୍କ କୃପା ଅନନ୍ତାର ସମ୍ପୂର୍ଣ୍ଣ ଟିମ ଓ ଓଡିଶାବାସୀଙ୍କ ଭଲ ପାଇବା ପାଇଁ ଏହି ସମ୍ମାନ ମିଳିପାରିଛି ବୋଲି ସେ କହିଛନ୍ତି ।
ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ରାଣ୍ଡିପୁଅ ଅନନ୍ତା’କୁ ପରଦା ଉପରେ ଜୀବନ୍ତ କରିଥିଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଏହି ଚଳଚ୍ଚିତ୍ରରେ ଅଭିନେତା ସବ୍ୟସାଚୀ ମିଶ୍ର ନିଜକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ପୂର୍ବରୁ ‘ଶଲାବୁଢ଼ା’, ‘ଆଦିମ ବିଚାର’ ଓ ‘ପାହାଡ଼ର ଲୁହ’ ଭଳି ଚଳଚ୍ଚିତ୍ର ପାଇଁ ଜାତୀୟ ସମ୍ମାନ ପାଇଥିବା ମହାପାତ୍ରଙ୍କ କ୍ୟାରିୟରରେ ଏହା ଆଉ ଏକ ସଫଳତାର ପକ୍ଷୀ ଯୋଡ଼ିଛି। ତେବେ ଏହି ଚଳଚିତ୍ର ନିର୍ମାଣ ଆରମ୍ଭ ଠାରୁ ସିନେମା ଘରକୁ ଆସିବା ପର୍ଯ୍ୟନ୍ତ ଅନେକ ସମାଲୋଚନାର ଶିକାର ହୋଇଥିଲା 'ଅନନ୍ତା ' । ସବୁ ପରେ ପଛଘୁଞ୍ଚା ଦେଇନଥିଲେ ଫିଲ୍ମ ନିର୍ମାତା ସବ୍ୟସାଚୀ ମହାପାତ୍ର । ଦୃଢ଼ମନ ଓ ନିଷ୍ଠା ଓ ଦର୍ଶକଙ୍କ ଭଲପାଇବା ହିଁ ତାଙ୍କୁ ଆଜି ଏହି ସଫଳତା ଦେଇଛି ବୋଲି କହିଛନ୍ତି ସବ୍ୟସାଚୀ ମହାପାତ୍ର । ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ରର ଏହି ଜୟଯାତ୍ରା ପ୍ରମାଣ କରୁଛି ଯେ, ଯଦି କାହାଣୀ ମୌଳିକ ଏବଂ ନିର୍ଦ୍ଦେଶନା ସୁଦୃଢ଼ ହୁଏ, ତେବେ ଭାଷା କେବେ ବି ପ୍ରତିବନ୍ଧକ ସାଜେ ନାହିଁ।
ଏହାସହ ପଢ଼ନ୍ତୁ : RCBକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ