୧୫ରେ ଶାହ ଆସିବେ ସମ୍ବଲପୁର

source:www.indiatoday.in
ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଆସନ୍ତା ୧୫ରେ ଓଡ଼ିଶା ଆସୁଛନ୍ତିି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସେ ୧୫ ତାରିଖ ସକାଳେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ଦୁର୍ଗାପାଲି ପଡ଼ିଆରେ ପହଞ୍ଚି ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବେ । ସେଠାରୁ ସେ ଜେଲ୍ ଛକ ପାଖରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ମଧ୍ୟାହ୍ନ ସମୟରେ ଶ୍ରୀ ଶାହ ସିଟି ଷ୍ଟେସନ ସ୍ଥିତ ଶନିକଟ ଜୟଗୁର ମନ୍ଦିର ପାଖ ପଡିଆରେ କର୍ମକର୍ତ୍ତା ସମାବେଶରେ ଯୋଗ ଦେଇ ଉଦ୍ବୋଧନ ଦେବେ । ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀର ବୁଥ୍ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଶାହ ଆଲୋଚନା କରିବେ । ଅପରାହ୍ଣରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଶ୍ରୀ ଶାହ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଆସନ୍ତାକାଲି ପୂର୍ବାହ୍ନରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିଠାରେ ହେବାକୁ ଯାଉଛି ପଛୁଆ ବର୍ଗ ମହା ସମାବେଶ । ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ରାମକୃପାଳ ଯାଦବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଗୁରୁବାର ଅପରାହ୍ଣରେ ରାଉରକେଲାରେ “ଭାରତ କି ମନ୍ କି ବାତ୍, ମୋଦି କେ ସାଥ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଯୋଗଦେବେ ।
ଉଲ୍ଳେଖଯୋଗ୍ୟ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଗାଦି ଉପରେ ଆଖି ପକାଇଛନ୍ତି । ଓଡ଼ିଶା ଶାସନ ଡୋରି ଧରିବାକୁ ଦଳ ଟାର୍ଗେଟ୍ ନେଇ ଆନୁଷଙ୍ଗିକ କାର୍ଯ୍ୟକ୍ରମ ହାତକୁ ନେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଥର ଓଡ଼ିଶା ଗସ୍ତ କରିଥିଲା ବେଳେ ଶ୍ରୀ ଶାହ ମଧ୍ୟ ଇତିମଧ୍ୟରେ ଦୁଇଥର ଗସ୍ତ କଲେଣି । ରାଜ୍ୟ ବିଜେପି ମିଶନ ୧୨୦ ଲକ୍ଷ୍ୟରେ ଆଗେଇ ଚାଲିଛି । ପୂର୍ବ ଭାରତର ବିକାଶ ତଥା ନୂଆ ଭାରତ ଏବଂ ନୂଆ ଓଡ଼ିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି ।
ଫେବ୍ରୁଆରୀ ୧୭ରେ ଗୃହମନ୍ତ୍ରୀ ରାଜନାଥ ସିଂହ ଓଡିଶା ଗସ୍ତରେ ଆସି ଭଦ୍ରକରେ ଏକ ଜନସଭାରେ ଯୋଗଦେବେ । ୨୦ ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ । ସେ ଭବାନୀପଟଣା ଏବଂ ନାଚୁଣିଠାରେ ଅନୁଷ୍ଠିତ କାର୍ମକର୍ତ୍ତା ସମାବେଶରେ ସାମିଲ ହେବେ । ବିଜେପି କେନ୍ଦ୍ରୀୟ ନେତାଙ୍କ ଏଭଳି ଘନ ଘନ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ବେଶ୍ ଉତ୍ସାହିତ ହୋଇ ପଡ଼ିଛି । ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟ ବିଜେପି ମିଶନ ୧୨୦ ଲକ୍ଷ୍ୟରେ ଆଗେଇ ଚାଲିଛି । ପୂର୍ବ ଭାରତର ବିକାଶ ତଥା ନୂଆ ଓଡ଼ିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି । ତୃଣମୂଳସ୍ତରରୁ ଆରମ୍ଭ କରି ସବୋର୍ଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ବିକାଶ ପାଇଁ ହଜାର ହଜାର କୋଟି ଅନୁଦାନ ଦେଇଛନ୍ତି ଯାହାକି କେବେ ଓଡ଼ିଶାକୁ କୌଣସି କେନ୍ଦ୍ର ସରକାର ଦେଇନଥିଲେ ।