କାନପୁର,୩୦ ।୧(ଏଜେନ୍ସି): ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହ ବୁଧବାର ମହାମେଣ୍ଟ ଆଳରେ ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି । ଯଦି ମହାମେଣ୍ଟ କ୍ଷମତାକୁ ଆସେ ତା’ ହେଲେ ସପ୍ତାହର ପ୍ରତିଦିନ ନୂଆ ପ୍ରଧାନମନ୍ତ୍ରୀ ଦେଖିବାକୁ ମିଳିବେ ବୋଲି ସେ ପ୍ରକାଶ କରିଛନ୍ତି ।
କାନପୁରରେ ବିଜେପିର ବୁଥ୍ ସ୍ତରୀୟ କର୍ମୀମାନଙ୍କ ବୈଠକରେ ସେ କହିଛନ୍ତି ଯେ, ଯଦି ମହାମେଣ୍ଟ ହେଲା ତା’ ହେଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ବିରୋଧୀ ଦଳଗୁଡ଼ିକ ଘୋଷଣା କରିବା ଆବଶ୍ୟକ । ନ ହେଲେ ସୋମବାର ମାୟାବତୀ, ମଙ୍ଗଳବାର ଅଖିଳେଶ ଯାଦବ, ବୁଧବାର ମମତା ବାନାର୍ଜୀ, ଗୁରୁବାର ଶରଦ ପାୱାର, ଶୁକ୍ରବାର ଦେବେଗୌଡ଼ା, ଶନିବାର ଷ୍ଟାଲିନ୍ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ମିଳିବ । ରବିବାର ଦିନ ଛୁଟି ରହିବ । ସେମାନେ ପରିବର୍ତ୍ତନ କରିବାକୁ ବାହାରିଛନ୍ତି, କିନ୍ତୁ ସେମାନଙ୍କ ପାଖରେ ନେତାନାହାନ୍ତି ବୋଲି ବିରୋଧୀଙ୍କୁ କଟାକ୍ଷ କରି ଶାହ କହିଛନ୍ତି ।
ବିରୋଧୀ ଦଳଗୁଡ଼ିକ ପାରିବାରିକବାଦ କରୁଥିବା ଦର୍ଶାଇ ସେ ଆହୁରି କହିଛନ୍ତି ଯେ, ମହାମେଣ୍ଟ କରୁଥିବା ଦଳଗୁଡ଼ିକ ନିକଟରେ ୪ଟି ବି ରହିଛି । ତାହା ହେଲା ବୁଆ(ପିଉସୀ), ଭତିଜା(ପୁତୁରା), ଭାଇ ଓ ବେହେନ୍(ଭଉଣୀ) । ତେଣୁ ସେମାନଙ୍କ ସରକାର ଦେଶକୁ ଆଗକୁ ନେଇପାରିବ ନାହିଁ । ଆମେ ମୋଦିଜୀଙ୍କ ନେତୃତ୍ୱରେ ଦୃଢ ସରକାର ଗଠନ ପାଇଁ ଚାହୁଁଥିବାବେଳେ ସେମାନେ ଏକ ମଜବୁର(ଅସହାୟ) ସରକାର ଗଠନ ଚାହୁଁଛନ୍ତି । କେବଳ ମୋଦିଜୀ ହିଁ ସ୍ଥିର ସରକାର ପ୍ରଦାନ କରିପାରିବେ ବୋଲି ସେ ଦୃଢୋକ୍ତି କରିଥିଲେ । ରାମଜନ୍ମଭୂମି ପ୍ରସଙ୍ଗରେ ସେ କହିଥିଲେ ଯେ, କଂଗ୍ରେସ ନେତାମାନଙ୍କର ଏହି ପ୍ରସଙ୍ଗ ଉଠାଇବାର ଅଧିକାର ନାହିଁ ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...