ଭୁବନେଶ୍ୱର,୦୯/୦୯: ପାଖେଇ ଆସୁଛି ପାର୍ବଣ ପୂଜା । ଧରାବତରଣ କରିବେ ଦଶଭୁଜା । ଅନ୍ୟଠୁ ଟିକିଏ ଭିନ୍ନ ତୋରଣ କରିବା ପାଇଁ ପୂଜା କମିଟିଗୁଡ଼ିକ ଦିନରାତି ଏକକଲେଣି । ମା' ଆସିବେ ବୋଲି ସଭିଁଏ ଚଳଚଞ୍ଚଳ ।
ଆଖି ଝଲସା ତୋରଣ, ନୂଆ ଥିମ୍ର ସାଜସଜ୍ଜା ଏବଂ ମା’ଙ୍କ ମୂର୍ତ୍ତିକୁ ନେଇ ସବୁବର୍ଷ ଚର୍ଚ୍ଚାରେ ରହୁଥିବା ସହିଦନଗର ପୂଜାମଣ୍ଡପ ଆରମ୍ଭ କରିଦେଇଛି ଜୋର୍ଦାର ପ୍ରସ୍ତୁତି । ଚଳିତ ବର୍ଷ ଅନୁଷ୍ଠାନ ୪୮ ବର୍ଷରେ ପାଦ ଥାପିଛି । ରାଜଧାନୀବାସୀଙ୍କୁ ନିଆରା ଅନୁଭୂତି ଦେବା ପାଇଁ ଚଳିତ ବର୍ଷ କାଳ୍ପନିକ ତୋରଣ ନିର୍ମାଣ କରାଯାଉଛି । କମିଟିର ମତ ତୋରଣ ଆବର୍ଜନାମୁକ୍ତ ତଥା ପରିବେଶ ଅନୁକୂଳ ହେବ । ତୋରଣର ଉଚ୍ଚତା ୮୫ ଫୁଟ୍ । ଚଉଡ଼ା ୧୩୦ ଫୁଟ୍ । ଏହି ତୋରଣର ତିଆରି ପାଇଁ ୫୦ ଜଣ ବଙ୍ଗୀୟ କାରିଗର ଜନ୍ମାଷ୍ଟମୀଠାରୁ ଲାଗିଛନ୍ତି । ମେଢର ଉଚ୍ଚତା ୧୮ ଫୁଟ । ଏହାକୁ ତିଆରି କରୁଛନ୍ତି କଟକର କାରିଗର ।
ସବୁରି ଆକର୍ଷଣ ସାଜିବ ମା’ଙ୍କ ଚାନ୍ଦିମେଢ । ମା’ଙ୍କୁ ସଜେଇବା ପାଇଁ ରହିଛି ଦେଢ କୁଇଣ୍ଟାଲରୁ ଅଧିକ ରୁପା ସାମଗ୍ରୀ । ଯେଉଁଥିରେ ମା’ ଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ପ୍ରତିବର୍ଷ ତୋରଣ ଏବଂ ସାଜସଜ୍ଜାରେ ପରିବର୍ତ୍ତନ ହେଉଛି । ମାତ୍ର ସହିଦନଗର ପୂଜା କମିଟି ଆରମ୍ଭରୁ ମା’ ଙ୍କୁ ଯେଉଁ ରୀତିନୀତିରେ ପୂଜା କରିଆସୁଥିଲା ଆଜିବି ସେମିତି କରିଆସୁଅଛି । ଗହଳି ଯୋଗୁ ତୋରଣ ଭିତରକୁ ଶହଶହ ଭକ୍ତ ଆସି ମା’ଙ୍କୁ ଦର୍ଶନ କରିପାରିନଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ମା'ଙ୍କୁ ସହଜରେ ଦର୍ଶନ ପାଇବା ପାଇଁ ତୋରଣର ଡିଜାଇନ୍ ପ୍ରସ୍ତୁତ ହୋଇଛି । ଭକ୍ତଙ୍କ ପାଇଁ ପୂଜା ୪ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ମଣ୍ଡାପିଠା, ଚୁଡ଼ାଘଷା, ଖିରି ସହ ଦଶମୀ ଦିନ ଦହିପଖାଳ ଭୋଗ ଲାଗି ହେବ । ଷଷ୍ଠୀଠାରୁ ପୂଜା ଆରମ୍ଭ ହେବ । ପ୍ରତ୍ୟେକ ଦିନ ୧୫୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ପୂଜା ପରିସରରେ ପ୍ରାୟ ୧୦୦ଟି ସିସି କ୍ୟାମେରା ଓ ଏଆଇ କ୍ୟାମେରା ଲାଗିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୧୦୦ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀଙ୍କ ସହ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯିବ । ଭସାଣି ସମୟରେ ମାଦଳ, ସିଂହବାଜା, ଶଙ୍ଖୁଆ, ପଞ୍ଜାବୀ ଭଳି ପାରମ୍ପରିକ ବାଦ୍ୟଯନ୍ତ୍ର ଓ କଳାକାରଙ୍କୁ ପ୍ରଧାନ୍ୟ ଦିଆଯିବ ।