ପୁରୀ, ୨୯/୦୩: ଶ୍ରୀକ୍ଷେତ୍ରର ସାଂସ୍କୃତିକ ମହାକୁମ୍ଭ ‘ସାହିଯାତ’ର ଦ୍ୱିତୀୟ ସନ୍ଧ୍ୟାରେ ଶ୍ରୀମନ୍ଦିର ପରମ୍ପରା କ୍ରମେ ସମ୍ପନ୍ନ ହୋଇଥିଲା ରାମଲୀଳାର ଯଜ୍ଞରକ୍ଷା ପ୍ରସ୍ତାବ । ଶନିବାର ରାତିରେ ହରଚଣ୍ଡୀ ସାହି ପକ୍ଷରୁ ଅସୁର ନାକ ଓ କାନ ବାହାରିଥିଲେ । ପଟୁଆରରେ ଥିଲେ ବିଶ୍ୱାମିତ୍ର ଋଷିଙ୍କ ସହ ଶ୍ରୀରାମ ଓ ଲକ୍ଷ୍ମଣ । ହରଚଣ୍ଡୀ ସାହି ଆଖଡ଼ାରୁ ପଟୁଆର ବାହାରିଥିଲା । ଶେଷରେ ନାକ କାନ ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚି ଯଜ୍ଞରକ୍ଷା ପ୍ରସ୍ତାବ ସମ୍ପନ୍ନ ହୋଇଥିଲା ।

ହରଚଣ୍ଡୀ ସାହି ପ୍ରଦକ୍ଷଣ ପରେ ବାଲିସାହି ହୋଇ ଶେଷରେ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚିଥିଲା ପଟୁଆର । ବୀରବାଦ୍ୟର ତାଳେ ନାକ ଓ କାନ ନୃତ୍ୟ ପରିବେଷଣ କରିଥିଲେ । ଇତି ମଧ୍ୟରେ ଠାକୁରଙ୍କ ଚଳନ୍ତି ପ୍ରତିମା ମଠରେ ବିଜେ ହୋଇଥିଲେ । ଶ୍ରୀରାମଲୀଳାର ଯଜ୍ଞରକ୍ଷା ନୀତି ସମ୍ପନ୍ନ ହୋଇଥିଲା । ତ୍ରେତୟା ଯୁଗରେ ଅସୁରଙ୍କ ଉତ୍ପାତରେ ମୁନିରୂଷିଙ୍କ ଯଜ୍ଞ ଭଙ୍ଗ ହେଉଥିଲା । ମହର୍ଷି ବିଶ୍ୱାମିତ୍ରଙ୍କ ସହିତ ଶ୍ରୀରାମ ଲକ୍ଷ୍ମଣ ଜଙ୍ଗଲକୁ ଯାଇ ସୁବାହୁ ଓ ମାରିଚଙ୍କୁ ନିହତ କରି ଯଜ୍ଞ ରକ୍ଷା କରିଥିଲେ । କେହି କେହି ନାକ କାନଙ୍କୁ ଖର ଦୁଷଣ ବୋଲି ମଧ୍ୟ କୁହନ୍ତି । ରାକ୍ଷସର ନାକ କାନ କାଟିବା ପରେ ତା’ର ଏପରି ନାମକରଣ ହୋଇଥିବା କୁହାଯାଏ । ହରଚଣ୍ଡୀ ସାହି ଆଖଡ଼ାର ସଭାପତି ଜୟନ୍ତ ଷଡଙ୍ଗୀ, ସମ୍ପାଦକ ନାରାୟଣ ମହାସୁଆର ଓ ସାଂସ୍କୃତିକ ସମ୍ପାଦକ ବିପିନ୍ ପତ୍ରୀଙ୍କ ସମେତ ଜାଗା କର୍ମକର୍ତ୍ତା ଓ ସଂସ୍କୃତି ପ୍ରେମୀ ସାହିଆଙ୍କ ତତ୍ତ୍ୱାବଧାନରେ ଯାତର ଏହି ପର୍ବ ସମାପନ ହୋଇଥିଲା । ହଜାର ହଜାର ଦର୍ଶକ ସାହିଯାତର ମଜା ନେଇଥିଲେ ।

ଅଧିକ ପଢ଼ନ୍ତୁ :- ଯୋଗୀଯୋଗୀଏନ୍ ଜଙ୍ଗଲରେ ବାଘ! ଗାଈକୁ ମାରି ଖାଇଲା..