ଭୁବନେଶ୍ବର, ୬/୨ : ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁବାବୁଙ୍କ ପିଛା ଛାଡ଼ୁନି ବିବାଦ । ଯାତ୍ରା ମହାସମର ଖଣ୍ଡଗିରିରେ ଚାଲିଥିବାବେଳେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି । କଳାକାରଙ୍କୁ ଧମକ ହେବା ସହ ମାରିବାକୁ କହିଥିବା ଅଭିଯୋଗ ହୋଇଛି । ମାମଲା ସିଧା ପହଞ୍ଚିଛି ଥାନାରେ । ଅଭିଯୋଗ ଆଣିଲେ ଯାତ୍ରା ଅଭିନେତା ସାଇ ସତ୍ୟଜିତ ପଣ୍ଡା । ସଂଗୀନ ଅଭିଯୋଗ ସହ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଇ ଓ ତାଙ୍କ ମା’ ।

 

ପ୍ରଥମେ ସାଇଙ୍କ ମା ଅନନ୍ତ ନାରାୟଣ ଧଳଙ୍କ ନାଁରେ ବାଲିପାଟଣା ଥାନାରେ ଏଫଆଇଆର ଦେଇଥିଲେ । ପରେ ସାଇ ନିଜେ ଖଣ୍ଡଗିରି ଥାନାରେ ପହଂଚି ଅଭିଯୋଗ କରିଛନ୍ତି । ନାଣ୍ଡୁବାବୁ ମାନସିକ ନିର୍ଯାତନା ଦେବା ସହ ଧମକ ଦେଉଥିବା ଏଫଆଇଆରରେ ଉଲ୍ଲେଖ । ନାଣ୍ଡୁବାବୁ ମାନସିକ ନିର୍ଯାତନା ଦେବା ସହ ଧମକ ଚମକ ଦେଉଥିବା ସାଇ ସତ୍ୟଜିତ୍ ଅଭିଯୋଗ ଆଣିଛନ୍ତି । ସାଇ ଏବେ ତୁଳସୀ ଗଣନାଟ୍ୟରେ ଅଭିନୟ କରୁଛନ୍ତି କିଛି ଦିନ ହେବ ସେ ଅସୁସ୍ଥ ମଧ୍ୟ ଅଛନ୍ତି । ଲୋକ ଲଗାଇ ସାଇକୁ ଉଠାଇ ନେଇ ମାରିଦେବା ଧମକ ମଧ୍ୟ ଦେଇଥିବା କହିଛନ୍ତି । ପରିବାର ଲୋକେ ସାଇଙ୍କ ଜୀବନ ବିପଦରେ ଥିବା ଅନୁଭବ କରୁଛନ୍ତି । ଯେଉଁଥିପାଇଁ ଆଗାମୀ ଦିନରେ ତାଙ୍କୁ ଯାତ୍ରା କରିବାକୁ ବାରଣ କରିଛନ୍ତି । ସାଇ ଅନ୍ୟ ଏକ ଯାତ୍ରା ପାର୍ଟିରୁ ଅଗ୍ରିମ ଟଙ୍କା ମଧ୍ୟ ଆଣିଛନ୍ତି ଯାହା ବିଷୟରେ ଜାଣିଛନ୍ତି ଅନନ୍ତ ଧଳ । ତେଣୁ ତାଙ୍କୁ ପୁନର୍ବାର ନିଜ ପାର୍ଟିରେ ରହିବାକୁ ବାଧ୍ୟ କରୁଥିବା ମଧ୍ୟ କୁହାଯାଉଛି । 

ସେପଟେ ମୁହଁ ଖୋଲିଛନ୍ତି ଯାତ୍ରା ମାଲିକ ନାଣ୍ଡୁ ବାବୁ । ସେ କହିଛନ୍ତି, ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ବାଧ୍ୟ ସାଇ । ଯଦି ମୋ ପାର୍ଟିରେ ଯାତ୍ରା ନ କରେ ତେବେ ତା ନାଁରେ ମୁଁ କେସ କରିବି ମୋର ବାକିତକ ଟଙ୍କା ସହ ସମସ୍ତ କ୍ଷତିପୁରଣ ଦବା ପାଇଁ ବାଧ୍ୟ ହେବ । ମୁଁ ସବୁବେଳେ ଭଲ କଳାକାରଙ୍କୁ ତିଆରି କରିଛି । ମୋ ସହ ବେଇମାନି କରିବାକୁ ଚେଷ୍ଟା କରୁଛି ସାଇ । ମୋ ସହ ସେ ୫ ବର୍ଷ ପାଇଁ ରାଜିନାମା କରିଛି । ତେଣୁ ଆଗାମୀ ଯାତ୍ରା ଋତୁରେ ମୋ ସହ ରହିବାକୁ ବାଧ୍ୟ । ଅଧିକ ଟଙ୍କା ଲୋଭରେ ସେ ମୋ ନାଁରେ ମିଛ ଅଭିଯୋଗ ଆଣି ଅନ୍ୟ ପାର୍ଟି ଯାଉଛି । ଦେହ ଖରାପ ହେବାର ଡ୍ରାମା, ମିଛ ନାଟକ କରୁଛି ସାଇ । ତାର କୌଣସି କ୍ଷତି କରିବା କେବେ ମୁଁ ଭାବିନି । ସେ ମୋ ନାଁରେ ମିଛ କହୁଛି । ମୁଁ କାହାକୁ କେବେ ମାରିବାକୁ ଚେଷ୍ଟା କରେନାହିଁ । ମୋ ପାର୍ଟିର ଯାହା କ୍ଷତି ହବ ସେଥିପାଇଁ ଦାୟୀ ରହିବ ସାଇ ।

ଅନ୍ୟପଟେ ସାଇଙ୍କ ମାଆ ଶୁକ୍ରବାର ଅଭିଯୋଗ କରିଥିଲେ କି,  ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ତାଙ୍କ ପୁଅ ସାଇ ସତ୍ୟଜିତଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ୫ରୁ ୬ଦିନ ହେଲା ଗୁଣ୍ଡା ଲଗାଇ ଧମକଚମକ ଦେଉଛନ୍ତି । ଯାତ୍ରା ଚଲୁଥିବା ବେଳେ ଗ୍ରୀନ୍ ରୁମକୁ ଆସି କାମ କରାଇ ଦେଉନାହାନ୍ତି । ଗୁରୁବାର ମାନସିକ ଚାପ ସହି ନପାରି ସାଇ ସତ୍ୟଜିତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସାଥି କଳାକାରମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରିବାର ଲୋକ ସକାଳୁ ଖବର ଜାଣିବା ପରେ ପୁଅକୁ ଖଣ୍ଡଗିରିରୁ ଆଣିଛନ୍ତି । ଏତେ ବଡ଼ ଘଟଣା ଘଟିଯିବା ପରେ ମଧ୍ୟ ଯାତ୍ରା ପାର୍ଟି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ମାଆ ପଦ୍ମିନୀ ଦାଶ ଏତଲାରେ ଅଭିଯୋଗ କରିଛନ୍ତି ।

ଏହାସହ ପଢ଼ନ୍ତୁ : STAର ପରାମର୍ଶ : ଅଣସ୍ୱୀକୃତିପ୍ରାପ୍ତ ଡିଲରଙ୍କ ଜରିଆରେ ବ୍ୟବହୃତ ଗାଡ଼ି କିଣା–ବିକା କରନ୍ତୁ ନାହିଁ