ଭୁବନେଶ୍ୱର,୧୦/୧୨: ସୈନିକ ସ୍କୁଲ ଓ ଓଏମ୍‌ସି  ଆନୁକୂଲ୍ୟରେ ୮ମ ମିନି ମାରାଥନ ଆସନ୍ତା ୧୫ ତାରିଖ ସକାଳ  ୬ଟାରେ ଆୟୋଜିତ ହେବ । ଏଥିରେ ସ୍କୁଲର ୬୦୦ କ୍ୟାଡେଟ୍‌,  ୨୦୦ ପୁରାତନ ଛାତ୍ର, ୪୦୦ରୁ ଊଦ୍ଧ୍ୱର୍ ସହୋଦୟ ସ୍କୁଲ ଏବଂ  ସରକାରୀ ବିଦ୍ୟାଳୟ ମାନଙ୍କରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।  

ପ୍ରତିଯୋଗୀମାନଙ୍କୁ ମାରାଥନର ୩୦ ମିନିଟ ପୂର୍ବରୁ  ସୈନିକ ସ୍କୁଲ ପରିସର ମଧ୍ୟରେ ଥିବା ଗାନ୍ଧୀ ମିନି ଷ୍ଟାଡିୟମରେ  ପହଞ୍ଚିବା ପାଇଁ ଅନୁରୋଧ କରାଯାଇଛି । ଏଠାରୁ ସିନିୟର  ପ୍ରତିଯୋଗୀମାନେ ନିଜର ଦୌଡ଼ ଆରମ୍ଭ କରି ସୈନିକ ସ୍କୁଲ  ମୁଖ୍ୟ ଗେଟ୍‌, ମଞ୍ଚେଶ୍ୱର ରାସ୍ତା, ରେଳ କଲୋନୀ ରାସ୍ତା,  ଓମ୍‌ଫେଡ଼୍‌ ଛକ, ନାଲକୋ-କଳିଙ୍ଗ ହସ୍ପିଟାଲ, ଜୟଦେବ  ବିହାର, ଆଚାର୍ଯ୍ୟବିହାର ଛକ, ଆପୋଲ ହସ୍ପିଟାଲ, ସୈନିକ  ସ୍କୁଲ ଛକ ଦେଇ ୧୦ କି.ମି. ପଥ ଅତିକ୍ରମ କରି ଶେଷରେ  ଆରମ୍ଭ ହୋଇଥିବା ଗାନ୍ଧୀ ଷ୍ଟାଡ଼ିୟମ ଠାରେ ଶେଷରେ ପହଞ୍ଚିବେ ।  

ସୈନିକ ସ୍କୁଲ ଅଧ୍ୟକ୍ଷ କର୍ଣ୍ଣେଲ ବାଲୁଭରତ, ସୈନିକ  ସ୍କୁଲ ପୁରାତନ ଛାତ୍ର ସଂଘର ସଭାପତି ମଧୁସୂଦନ ପାଢ଼ୀ ଓ  ପ୍ରତିଯୋଗିତାର ସଂଯୋଜକ ଅମିତାଭ ସ୍ୱାଇଁ ପ୍ରମୁଖ ପତାକା  ଦେଖାଇ ଦୌଡ଼ର ଶୁଭାରମ୍ଭ କରିବେ । ଏତଦ୍‌ ବ୍ୟତୀତ  ସୈନିକସ୍କୁଲ ଭୁବନେଶ୍ୱରର ୫୩ତମ ବାର୍ଷିକ ବନ୍ଧୁ ମିଳନ  ଆସନ୍ତା ୨୨ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ହେବ ।