ସଲମାନଙ୍କୁ ବମ୍ବେ ହାଇକୋର୍ଟଙ୍କ ଆଶ୍ବସ୍ତି, ସାମ୍ବାଦିକଙ୍କୁ ଅସଦାଚରଣ ଏବଂ ଧମକାଇବା ମାମଲା ଖାରଜ…

ମୁମ୍ବାଇ: ବଲିଉଡ୍ର ଦବଙ୍ଗ୍ ଖାନ୍ ସଲମାନଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ସଲମାନଙ୍କ ବିରୋଧରେ ଅନ୍ଧେରୀ ମେଟ୍ରୋପଲିଟନ କୋର୍ଟ ଦ୍ବାରା ଜାରି ହୋଇଥିବା ସମନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି । ସୂଚନାଥାଉକି, ସଲମାନ ଖାନ ୨୦୧୯ ମସିହାରେ ସାମ୍ବାଦିକଙ୍କୁ ଅସଦାଚରଣ ଏବଂ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ନିଷ୍ପତ୍ତି ଜଷ୍ଟିସ ଭାରତୀ ଡାଙ୍ଗ୍ରେଙ୍କ ଏକକ ବେଞ୍ଚ ଦେଇଛନ୍ତି ।
ସାଲମାନ ଖାନ ସାମ୍ବାଦିକ ଅଶୋକ ପାଣ୍ଡେଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ସୂଚନାଥାଉକି, ଅଶୋକ ପାଣ୍ଡେ ଅନ୍ଧେରୀରେ ସଲମାନ ଖାନଙ୍କ ଏକ ଭିଡିଓ ପ୍ରସ୍ତୁତ କରୁଥିଲେ । ସେତେବେଳେ ସଲମାନ ଏବଂ ତାଙ୍କ ଅଙ୍ଗରକ୍ଷୀ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଖାରଜ କରି ହାଇକୋର୍ଟ ସଲମାନ ଖାନଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି ।
ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ୨୦୧୯ର ଏହି ବିବାଦ ସମ୍ପର୍କରେ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖଙ୍କୁ ୨୨ ମାର୍ଚ୍ଚ ୨୦୨୨ ରେ ସମନ ଜାରି କରିଥିଲେ । ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍ ଆର.ଆର.ଖାନ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ମାମଲାରେ ଦାଖଲ ହୋଇଥିବା ପୋଲିସ ଅଭିଯୋଗରେ ତାଙ୍କ ବିରୋଧରେ ଧାରା ୫୦୪ ଏବଂ ଭାରତୀୟ ପେନାଲର ୫୦୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ତେବେ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ସଲମାନ ଖାନ ହାଜର ହେବା ପାଇଁ ସମୟ ଦାବି କରିଥିଲେ, ଯାହା ଗ୍ରହଣ କରାଯାଇଥିଲା ।
ଏହା ପରେ ସଲମାନ ଖାନ ବମ୍ବେ ହାଇକୋର୍ଟରେ ସିଆରପିସି ୪୮୨ ଅଧୀନରେ ଏକ ଆବେଦନ କରିଥିଲେ ଏବଂ ଏହାକୁ ଖାରଜ କରିବାକୁ ଅନୁରୋଧ କରିଥିଲେ ଯାହା ବର୍ତ୍ତମାନ କୋର୍ଟ ଗ୍ରହଣ କରିଛନ୍ତି ।