ନୂଆଦିଲ୍ଲୀ ୧୯/୦୨: ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ’ର ରିଲିଜ୍‌କୁ ନେଇ ସଲମାନ ଏବେ ଚର୍ଚ୍ଚାରେ ଅଛନ୍ତି । ଅପୂର୍ବ ଲଖିୟାଙ୍କ ଏହି ଫିଲ୍ମରେ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି । ଇତିମଧ୍ୟରେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଫ୍ୟାନ୍‌ଙ୍କୁ ଚକିତ କରିଛନ୍ତି ଭାଇଜାନ୍ । ଆଜି ବି ସେ ଗୋଟିଏ ବଖରାଯୁକ୍ତ ଆପାର୍ଟମେଣ୍ଟରେ ରହୁଛନ୍ତି ବୋଲି ଖୋଲାଖୋଲି କହିଛନ୍ତି । ଭାରତୀୟ ସିନେମାର ଜଣେ ସଫଳ ବ୍ୟକ୍ତି ଭାବେ ପରିଚିତ ସଲମାନଙ୍କର ଏହି ଖୁଲାସା ପରେ ତାଙ୍କ ପ୍ରତି ଫ୍ୟାନ୍‌ଙ୍କ ସମ୍ମାନ ଓ ଭଲପାଇବା ଆହୁରି ବଢ଼ିଯାଇଛି ।

ଫୋର୍ବସ-୨୦୨୫ ଅନୁସାରେ, ସଲମାନଙ୍କ ନେଟ୍ ସମ୍ପତ୍ତି ୨,୯୦୦ କୋଟି । ତଥାପି ସେ ମୁମ୍ବାଇରେ ଗୋଟିଏ ବଖରାଯୁକ୍ତ ଆପାର୍ଟମେଣ୍ଟ୍‌ରେ ରହୁଛନ୍ତି । ଏ ନେଇ ସଲମାନ କହିଛନ୍ତି ‘ମୁଁ ଆଜି ବି ଗୋଟିଏ ବଖରାଯୁକ୍ତ ଆପାର୍ଟମେଣ୍ଟ୍‌ରେ ରହୁଛି । ଏହା ମୋ ପାଇଁ ଠିକ୍ ।’ ଏହି ରୋକ୍‌ଠୋକ୍‌ କଥା ପାଇଁ ଫ୍ୟାନ୍ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ଏ ମାମଲାରେ ଆରାମ ଓ ପରିଜନଙ୍କ ଉପସ୍ଥିତି ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବଡ଼ ଘରେ ରହିବା କଦାପି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଆହୁରି ପଢ଼ନ୍ତୁ...ଜୁନିୟର ଏନଟିଆର- ପ୍ରଶାନ୍ତ ନୀଲଙ୍କ ଫିଲ୍ମକୁ ନେଇ ବଢିଲା ଉତ୍ସାହ, ନାଁକୁ ନେଇ ଚର୍ଚ୍ଚା ଜୋର୍…

ସଲମାନ କହିଛନ୍ତି, ଆବଶ୍ୟକର ସବୁକିଛି ମୋ ପାଖରେ ଅଛି । ବଡ଼ ଘର ତୁମ ବ୍ୟକ୍ତିତ୍ୱ କିମ୍ବା ରାତିରେ ତୁମ ନିଦକୁ ପରିବର୍ତ୍ତନ କରିପାରେ ନାହିଁ । ଧନ-ସମ୍ପତ୍ତି ଦେଖାଇବା ତୁଳନାରେ, ମାନସିକ ଶାନ୍ତି ଓ ବ୍ୟକ୍ତିଗତ ଆରାମ ଅଧିକ ଗୁରୁତ୍ୱପୂର୍ଣ୍ଣ । ଫୋର୍ବସ ଅନୁସାରେ, ସଲମାନ ଗୋଟିଏ ଫିଲ୍ମ ପିଛା ୧୦୦-୧୫୦ କୋଟି ପାରିଶ୍ରମିକ ଦାବି କରନ୍ତି । ତାଙ୍କ ଆୟର ମୁଖ୍ୟ ଭାଗ ବିଗ୍ ବସ୍ ସଂଚାଳନାରୁ ଆସେ, ଯାହା ତାଙ୍କ ମୋଟ୍ ସମ୍ପତ୍ତିକୁ ଯଥେଷ୍ଟ ବୃଦ୍ଧି କରେ । ସଲମାନ ଖାନ୍ ଫିଲ୍ମସ ନାମକ ତାଙ୍କର ଏକ ପ୍ରଡକ୍ସନ୍ କମ୍ପାନି ମଧ୍ୟ ଅଛି, ଯାହା ‘ବଜରଙ୍ଗୀ ଭାଇଜାନ୍’ ଓ ‘ଚିଲ୍ଲର ପାର୍ଟି’ ଭଳି ସଫଳ ଫିଲ୍ମ ପ୍ରସ୍ତୁତ କରିଛି । ଫିଲ୍ମ ସମେତ ଲୋକପ୍ରିୟ କପଡ଼ା ବ୍ରାଣ୍ଡ ବିଙ୍ଗ୍ ହ୍ୟୁମାନ୍‌ର ମଧ୍ୟ ସେ ମାଲିକ ।