ନୂଆଦିଲ୍ଲୀ: ସମୟ ରୈନା ଏବଂ ରଣବୀର ଆହ୍ଲାବାଦିଆଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଛି । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ଦୁଇ ୟୁଟ୍ୟୁବରଙ୍କ ମନ୍ତବ୍ୟକୁ ନେଇ ଦେଶରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ । ୟୁଟ୍ୟୁବରେ ପୋଡ୍କାଷ୍ଟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଆହ୍ଲାବାଦିଆଙ୍କ ସହ ସାକ୍ଷାତକାର କରିବାକୁ ଅନେକ ସେଲିବ୍ରିଟି ମନା କରିସାରିଛନ୍ତି । ଏହାରି ମଧ୍ୟରେ ଏହି ଦୁଇ ୟୁଟ୍ୟୁବରଙ୍କ ଶୋ’କୁ କୌଣସି ଟିଭି କିମ୍ବା ଫିଲ୍ମ କଳାକାର ଯିବେ ନାହିଁ ବୋଲି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ଘୋଷଣା କରିଛି । ଏନେଇ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ମଙ୍ଗଳବାର କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ଦିଆଯାଇଛି । ଏଥିରେ ଉଲ୍ଲେଖ ଅଛି ଯେ, ବଲିଉଡ୍ ଠାରୁ ଟେଲିଭିଜନ ପର୍ଯ୍ୟନ୍ତ କେହି ଏବେ କମେଡିଆନ୍ ସମୟ ରୈନାଙ୍କ ଶୋ’ରେ କାମ କରିବେ ନାହିଁ। ଆମେ ସେମାନଙ୍କୁ (ରୈନା ଏବଂ ଆହ୍ଲାବାଦିଆ) ବୟକଟ କରିଛୁ। ଫିଲ୍ମ ଇଣ୍ଡଷ୍ଟ୍ରି ସେମାନଙ୍କୁ ଏବେ କୌଣସି କାମ ଦେବ ନାହିଁ ଏବଂ ଭବିଷ୍ୟତରେ ସେମାନଙ୍କୁ ସହଯୋଗ କରାଯିବ ନାହିଁ ।
AICWA ସଭାପତି ସୁରେଶ ଗୁପ୍ତା କହିଛନ୍ତି, ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ’ର ବିବାଦୀୟ ଭିଡିଓରେ ସମ୍ପୃକ୍ତ ରଣବୀର ଆହ୍ଲାବାଦିଆ ଏବଂ ତାଙ୍କ ସହଯୋଗୀମାନଙ୍କୁ ବୟକଟ କରାଯାଇଛି। ବିବାଦୀୟ ଭିଡିଓରେ ସାମିଲ ଥିବା ସମସ୍ତ ୫ ଜଣ ବ୍ୟକ୍ତି କୌଣସି YouTube ଚ୍ୟାନେଲ୍ ଖୋଲିପାରିବେ ନାହିଁ । ଆମେ ଏକ ଚିଠି ମାଧ୍ୟମରେ ଦାବି କରିଛୁ ଯେ, ସେମାନଙ୍କର YouTube ଏବଂ ସେମାନଙ୍କ ଶୋ’କୁ ତୁରନ୍ତ ବନ୍ଦ କରାଯାଉ । ଏପରି ଅଭଦ୍ର କଣ୍ଟେଣ୍ଟ ସୃଷ୍ଟିକାରୀଙ୍କୁ ଆତଙ୍କବାଦୀ ଘୋଷଣା କରାଯିବା ଉଚିତ । ଏପରି ଲୋକ ଦେଶର ଯୁବପିଢ଼ିଙ୍କ ଚିନ୍ତାଧାରାକୁ ପ୍ରଭାବିତ କରୁଛନ୍ତି । ସେମାନଙ୍କର କ୍ଷମା ପ୍ରାର୍ଥନା କାମ କରିବ ନାହିଁ । ଭବିଷ୍ୟତରେ ଏପରି ଖରାପ ଚିନ୍ତାଧାରା ସାମ୍ନାକୁ ନ ଆସିବା ପାଇଁ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ସଭାପତି କହିଛନ୍ତି।
ସୂଚନାଯୋଗ୍ୟ, ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଆପତ୍ତିଜନକ ବିଷୟବସ୍ତୁ ପାଇଁ ଲୋକପ୍ରିୟ କମେଡି ରିୟଲିଟି ସିରିଜରେ, ଆଲ୍ଲାବାଦିଆ ଜଣେ ପ୍ରତିଯୋଗୀଙ୍କୁ ପିତାମାତା ଏବଂ ଯୌନ ସମ୍ପର୍କି ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚାରିଥିଲେ । ଯାହାକୁ ନେଇ ସମଗ୍ର ଦେଶରେ ବିବାଦ ବୃଦ୍ଧି ପାଇଛି । ଜଣେ ବିଜେପି ନେତା ଶୋ'ର ନିର୍ମାତା, ବିଚାରକ ଏବଂ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପୋଲିସରେ ଏତଲା ମଧ୍ୟ ଦେଇଛନ୍ତି । ସେପଟେ ଆହ୍ଲାବାଦିଆ ସୋମବାର ଏକ୍ସରେ କ୍ଷମା ପ୍ରାର୍ଥନା କରିଥିଲେ । ଆହ୍ଲାବାଦିଆ ସ୍ୱୀକାର କରିଛନ୍ତି ଯେ, ତାଙ୍କର ଏଭଳି ମନ୍ତବ୍ୟ ଅନୁପଯୁକ୍ତ । ଏପରିକି ଜମା ମଜାଦାର ମଧ୍ୟ ନୁହେଁ। ୟୁଟ୍ୟୁବର ଆହ୍ଲାବାଦିକ କ୍ଷମା ପ୍ରାର୍ଥନ କରିଥିଲେ ହେଁ ତାଙ୍କର ଶୋ’କୁ ଆଉ କେହି ସେଲିବ୍ରିଟି ଯିବାକୁ ରାଜି ହେଉନଥିବା ଶୁଣିବାକୁ ମିଳିଛି ।
କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ, ବାପାମା’ଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ବୟାନ