ବୁର୍ଲା,୦୭/୦୨: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ ଜଣେ ପିଏଚ୍‌ଡି ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ଘଟଣା ଲୋକଲୋଚନାକୁ ଆଣିବା ସହିତ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେଉଥିବା ନେଇ ଗତ ଦୁଇଦିନ ହେଲା ‘ପ୍ରମେୟ’ରେ ଖବର ପ୍ରକାଶିତ ହୋଇଥିଲା । ଏହାର ପ୍ରଭାବରେ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଶ୍ୱବିଦ୍ୟାଳୟ ଏମ୍ବିଏ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ସରୋଜ କୁମାର ସାହୁଙ୍କୁ କୁଳପତିଙ୍କ ନିର୍ଦ୍ଦେଶରେ ଚାକିରିରୁ ନିଲମ୍ବନ କରିଛନ୍ତି ବିଶ୍ୱବିଦ୍ୟାଳୟ କୁଳସଚିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ ଶେଷ କରିନାହିଁ ଆଇସିସି ବା ଇଣ୍ଟରନାଲ କମ୍ପେ୍ଲନ କମିଟି । ତଦନ୍ତ ପ୍ରକ୍ରିୟା ଆଉ କିଛିଦିନ ଲାଗିବ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ଆଇସିସି ଅନୁମତି ନେଇଛି ।

ଗତକାଲି ଆଇସିସି ପ୍ରିଜାଇଡିଂ ଅଫିସର୍ଙ୍କ ସୁପାରିସ ଅନୁସାରେ ଏବଂ କୁଳପତିଙ୍କ ଅନୁମୋଦନ ପରେ ଏମ୍ବିଏ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ସାହୁଙ୍କୁ ନିଲମ୍ବିତ କରାଯାଇଥିବା ତାଙ୍କ ନିକଟରୁ ସମସ୍ତ ଶିକ୍ଷାତ୍ମକ ଓ ପ୍ରଶାସନିକ ଦାୟିତ୍ୱ ପ୍ରତ୍ୟାହାର କରାଯାଇଥିଲା । ତାଙ୍କୁ ବିଶ୍ୱବିଦ୍ୟାଳୟର ପିଜି କାଉନ୍ସିଲ୍ କାର୍ଯ୍ୟାଳୟରେ ଯୋଗଦାନ କରି ପିଜି କାଉନ୍ସିଲ୍ ଅଧ୍ୟକ୍ଷଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ପୁଣି ଏହି ଘଟଣାକୁ ନେଇ କୁଳପତିଙ୍କ ଅଧ୍ୟକ୍ଷତାରେ ଆଇସିସିର ସମସ୍ତ ସଦସ୍ୟ ଏବଂ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆହୁରି ପଢ଼ନ୍ତୁ :- ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ: ବିଷ ପିଇଲେ ପିଇଓ, ଏମ୍କେସିଜିରେ ଭର୍ତ୍ତି

ଏନେଇ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ପ୍ରଦୀପ କୁମାର ନାୟକଙ୍କୁ ପଚାରିବାରୁ ଡ. ସାହୁଙ୍କ ବିରୋଧରେ ଅଭିଯୋଗର ତଦନ୍ତ ରିପୋର୍ଟ ଆଇସିସି ହସ୍ତାନ୍ତର କରିନାହିଁ । କିନ୍ତୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଆଇସିସି ରିପୋର୍ଟ ଦାଖଲ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁଳସଚିବ ପ୍ରଫେସର ନାୟକ ସୂଚନା ଦେଇଛନ୍ତି ।