ପାଟନା, ୨୧।୪: ବିହାରରେ କ୍ଷମତା ପରିବର୍ତ୍ତନ ହେବା ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁରା ଆକ୍ସନ ମୋଡ୍ରେ ନଜର ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ସେ ପୂର୍ବତନ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ବିଜୟ କୁମାର ସିହ୍ନାଙ୍କ ଦ୍ୱାରା ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତିଗୁଡ଼ିକୁ ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି । ବିଶେଷ କରି ରାଜସ୍ୱ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଏବଂ ପରୀକ୍ଷା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରି ସମ୍ରାଟ ଚୌଧୁରୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଗତ ୨.୫ ମାସ ଧରି ନିଲମ୍ବିତ ଥିବା ରାଜସ୍ୱ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ସମ୍ରାଟ ଚୌଧୁରୀ ସେମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ରାଜସ୍ୱ ଏବଂ ଭୂମି ସଂସ୍କାର ବିଭାଗର ଅତିରିକ୍ତ ସଚିବ ମହେନ୍ଦ୍ର ପାଲ ସମସ୍ତ ଜିଲ୍ଲାପାଳ (DM) ମାନଙ୍କୁ ଚିଠି ଲେଖି ଫେବୃଆରୀ ୧୧ ରୁ ଏପ୍ରିଲ ୧୯ ମଧ୍ୟରେ ନିଲମ୍ବିତ ହୋଇଥିବା ୨୨୪ ଜଣ କର୍ମଚାରୀଙ୍କ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପୀ ରାଜସ୍ୱ କର୍ମଚାରୀମାନେ ବିକ୍ଷୋଭ କରିଥିଲେ । ସେହି ସମୟରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ବିଜୟ ସିହ୍ନା କଠୋର ଆଭିମୁଖ୍ୟ ଗ୍ରହଣ କରି ଏହି କର୍ମଚାରୀମାନଙ୍କୁ ନିଲମ୍ବିତ କରିଥିଲେ । ମାତ୍ର ଏବେ ସମ୍ରାଟ ଚୌଧୁରୀ ମନ୍ତ୍ରାଳୟ ଦାୟିତ୍ୱ ପାଇବା ପରେ କର୍ମଚାରୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଛନ୍ତି । ସରକାରଙ୍କ ପକ୍ଷରୁ ଜାରି ଆଧିକାରିକ ପତ୍ର ଅନୁସାରେ, ବର୍ତ୍ତମାନ ବିହାରରେ ଗୁରୁତ୍ୱପୂର୍ଣ୍ଣ ଜନଗଣନା କାର୍ଯ୍ୟ ଚାଲୁ ରହିଛି । ରାଜସ୍ୱ କର୍ମଚାରୀଙ୍କ ବିକ୍ଷୋଭ ଯୋଗୁଁ ଅଞ୍ଚଳ କାର୍ଯ୍ୟାଳୟଗୁଡ଼ିକରେ ଜମି ସମ୍ବନ୍ଧୀୟ କାମ ବାଧାପ୍ରାପ୍ତ ହେଉଥିଲା ଏବଂ ସାଧାରଣ ଜନତା ହଇରାଣ ହେଉଥିଲେ । ପ୍ରଶାସନିକ କାର୍ଯ୍ୟରେ ସୃଷ୍ଟି ହେଉଥିବା ଏହି ଜଟିଳତାକୁ ଦୂର କରିବା ପାଇଁ ସରକାର ଏହି କର୍ମଚାରୀଙ୍କୁ ତୁରନ୍ତ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଜୟ ସିହ୍ନାଙ୍କ ଦ୍ୱିତୀୟ ନିଷ୍ପତ୍ତି ଉପରେ ୟୁ-ଟର୍ଣ୍ଣ:
ସମ୍ରାଟ ଚୌଧୁରୀ କେବଳ ରାଜସ୍ୱ ବିଭାଗ ନୁହେଁ, ବରଂ ନଗର ଉନ୍ନୟନ ଏବଂ ଆବାସ ବିଭାଗରେ ମଧ୍ୟ ବିଜୟ ସିହ୍ନାଙ୍କ ନିଷ୍ପତ୍ତିକୁ ବଦଳାଇଛନ୍ତି । ବିଜୟ ସିହ୍ନା ମନ୍ତ୍ରୀ ଥିବା ସମୟରେ ଏକ ନିୟମ ଲାଗୁ ହୋଇଥିଲା ଯେ, ଚାକିରି ସମୟରେ କର୍ମଚାରୀମାନେ କେବଳ ଥରୁଟିଏ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇପାରିବେ । ଏହି ନିୟମକୁ କର୍ମଚାରୀଙ୍କ କ୍ୟାରିୟରରେ ପ୍ରତିବନ୍ଧକ ବୋଲି ବିବେଚନା କରାଯାଉଥିଲା । ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ବିବାଦୀୟ ଆଦେଶକୁ ତୁରନ୍ତ ରଦ୍ଦ କରିଦେଇଛନ୍ତି ।
ବଦଳିଛି ବିହାରର ରାଜନୈତିକ ସମୀକରଣ:
ଜାନୁଆରୀ ୨୦୨୪ ରେ ଗଠିତ ସରକାରରେ ବିଜୟ ସିହ୍ନା ଏବଂ ସମ୍ରାଟ ଚୌଧୁରୀ ଉଭୟ ବିଜେପି କୋଟାରୁ ଉପମୁଖ୍ୟମନ୍ତ୍ରୀ ଥିଲେ । ମାତ୍ର ନୀତିଶ କୁମାର ରାଜ୍ୟସଭାକୁ ଯିବା ପରେ ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ନୂତନ କ୍ୟାବିନେଟରେ ବିଜୟ ସିହ୍ନାଙ୍କୁ ସ୍ଥାନ ମିଳିନାହିଁ । ପୂର୍ବରୁ ବିଜୟ ସିହ୍ନାଙ୍କ ପାଖରେ ଥିବା ରାଜସ୍ୱ ଏବଂ ନଗର ଉନ୍ନୟନ ବିଭାଗ ଏବେ ସମ୍ରାଟ ଚୌଧୁରୀଙ୍କ ଅଧୀନରେ ରହିଛି । ସମ୍ରାଟ ଚୌଧୁରୀଙ୍କ ଏହି ପଦକ୍ଷେପ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଥିବା ବେଳେ ଏହା ବିଜୟ ସିହ୍ନାଙ୍କ ପାଇଁ ଏକ ବଡ଼ ରାଜନୈତିକ ଝଟକା ବୋଲି ଚର୍ଚ୍ଚା ହେଉଛି ।
ଆହୁରି ପଢ଼ନ୍ତୁ... ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ MCC ଉଲ୍ଲଂଘନ କରିଥିଲା କି ? କାହିଁକି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ୭୦୦ ନାଗରିକ