ଓଡ଼ାପଡ଼ା,୦୯/୦୬: ଦିନକୁ ଦିନ ବଢିବାରେ ଲାଗିଛି ବାଲି ମାଫିଆଙ୍କ ଉତ୍ପାତ । ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବଣିଆପଡା ଗାଁ ନିକଟରେ ବାଲି ମାଫିଆ ଏକ କାର୍ ଉପରକୁ ବୋମା ମାଡ଼ କରିବା ସହ ଆତଙ୍କ ଖେଳାଇଛନ୍ତି । ବୋମା ମାଡ଼ରେ କାର୍ର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଛି । ହେଲେ କାହାର କିଛି କ୍ଷୟକ୍ଷତି ଘଟିନାହିଁ ।
ସୂଚନା ମୁତାବକ, ବଣିଆପଡ଼ା ଗାଁ ରାସ୍ତାରେ ବେଆଇନ ଚୋରା ବାଲି ଚାଲାଣ ହେଉଛି । ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ କରିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଖଣି ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇବା ପରେ ବାଲି ମାଫିଆଙ୍କ କିଛି ଗୁଣ୍ଡା ରବିବାର ରାତି ପ୍ରାୟ ସାଢ଼େ ୨ଟାରେ ଗାଁ ମଧ୍ୟରେ ପଶି ରାସ୍ତା କଡରେ ରହିଥିବା ଏକ କାର୍ ଉପରକୁ ଦୁଇଟି ବୋମା ମାଡ କରି ଫେରାର ହୋଇ ଯାଇଛନ୍ତି। ଏନେଇ ଗ୍ରାମବାସୀ ମୋଟଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ବାଲି ମାଫିଆ ଓ ସେମାନଙ୍କ ଗୁଣ୍ଡାଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ଟେର୍ ପାଇନି। ତେବେ ସୋମବାର ପୂର୍ବାହ୍ନ ୧୦ଟାରେ ଏହାକୁ ନେଇ ବୈଠକ ହେବ ବୋଲି ସୂଚନା ମିଳିଛି।