ମୁମ୍ବାଇ ୨୮/୦୫: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସ୍ପିରିଟ୍‌’ରୁ ଦୀପିକା ପାଦୁକୋନଙ୍କୁ ବାହାର କରି ଦିଆଯାଇଛି । ତାଙ୍କ ସ୍ଥାନ ନେଇଛନ୍ତି ‘ଆନିମଲ୍‌’ ଫେମ୍‌ ତୃପ୍ତି ଡିମରୀ । ଫିଲ୍ମରେ କାମ କରିବା ପାଇଁ ଦୀପିକା ଏମିତି କିଛି ଦାବି କରିଥିଲେ, ଯାହାକୁ ନେଇ ନିର୍ମାତା-ନିର୍ଦ୍ଦେଶକ ଖୁସି ନ ଥିଲେ । ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ଦୀପିକାଙ୍କ ନାଁ ନ ନେଇ ଭାଙ୍ଗା ଅଭିଯୋଗ କରିଛନ୍ତି ଯେ ଫିଲ୍ମ ଛାଡ଼ିବା ମାତ୍ରେ ଏହାର କାହାଣୀ ସେ ଲିକ୍‌ କରିଦେଇଛନ୍ତି । 

ଭାଙ୍ଗା ନିଜ ଏକ୍ସ ଆକାଉଣ୍ଟ୍‌ରେ ଲେଖିଛନ୍ତି, ମୁଁ ଯେତେବେଳେ କୌଣସି କଳାକାରଙ୍କୁ ପଟ୍ଟକଥା ଶୁଣାଏ, ତାଙ୍କ ଉପରେ ଶତ ପ୍ରତିଶତ ଭରସା କରେ । ନ କହିଲେ ମଧ୍ୟ ଆମ ଭିତରେ କାହାଣୀ ଲିକ୍‌ ନ କରିବାର ଏକ ଚୁକ୍ତି ହୋଇଯାଏ । କିନ୍ତୁ ଏଭଳି କରି ଆପଣ କହିଦେଇଛନ୍ତି ଯେ ଆପଣ କ’ଣ । ଜଣେ ଯୁବ କଳାକାରଙ୍କୁ ନୀଚ୍ଚା ଦେଖାଇବା ଓ ମୋ କାହାଣୀକୁ ଲିକ୍‌ କରିବା, କ’ଣ ଏହା ଆପଣଙ୍କର ଫେମିନିଜମ୍‌? ଜଣେ ଫିଲ୍ମମେକର୍‌ ଭାବେ ମୁଁ ନିଜ କଳା ଉପରେ ଅନେକ ବର୍ଷର କଠିନ ପରିଶ୍ରମ କରିଛି । ମୋ ପାଇଁ ଫିଲ୍ମ ନିର୍ମାଣ ସବୁକିଛି । କିନ୍ତୁ ଆପଣ ଏହା ବୁଝିପାରିଲେନି କି ପାରିବେନି । ଏମିତି କରିବେ, ଆର ଥରକୁ ପୂରା କାହାଣୀ କହିଦେବେ । କାରଣ ମୋତେ ଟିକିଏ ବି ଫରକ୍‌ ପଡ଼େନାହିଁ । ଡର୍ଟି ପିଆର୍‌ ଗେମ୍‌ । ଏହି ଢଗ ମୋର ବହୁତ ପସନ୍ଦ ‘ଖୁନ୍ଦକ୍‌ ମେଁ ବିଲ୍ଲୀ ଖମ୍ବା ନୋଚେ ।’ ଭାଙ୍ଗା ନିଜ ପୋଷ୍ଟ୍‌ରେ କାହାର ନାଁ ନ ନେଇଥିଲେ ହେଁ, ଏହା ସ୍ପଷ୍ଟ ଯେ ପୋଷ୍ଟ୍‌ଟି ଦୀପିକାଙ୍କ ପାଇଁ । ଭାଙ୍ଗା ଯେଉଁ ଯୁବ ଅଭିନେତ୍ରୀଙ୍କ ବିଷୟରେ କହିଛନ୍ତି, ସେ ତୃପ୍ତି ଡିମରୀ । କାରଣ ଦୀପିକାଙ୍କ ସ୍ଥାନ ତୃପ୍ତି ନେଇଛନ୍ତି ।