ଭୁବନେଶ୍ୱର, ୧୫/୦୪ (ଚାନ୍ଦିନୀ ମହାପାତ୍ର) : ୨୦୨୬ ଜାନୁଆରୀ ୩୦ । ସୁପ୍ରିମକୋର୍ଟ ମହିଳାଙ୍କ ମାସିକ ଧର୍ମ ସ୍ୱଚ୍ଛତାକୁ ଧାରା-୨୧ ଅଧିନରେ ମୌଳିକ ଅଧିକାରର ମର୍ଯ୍ୟାଦା ଦେଲେ । ଜଷ୍ଟିସ ଜେ.ବି ପରଡିୱାଲା ଓ ଆର. ମାଧବନ୍ଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ଐତିହାସିକ ରାୟରେ ଉଲ୍ଲେଖ କରିଛନ୍ତି ଯେ ସ୍କୁଲ/କଲେଜ୍ରେ ସାନିଟାରୀ ନାପକିନର ଅଭାବ ଛାତ୍ରୀଙ୍କ ପାଇଁ ଅପମାନ ଓ ସେମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ସହ ଯୁଝିବାକୁ ବାଧ୍ୟ କରିଥାଏ । ତେଣୁ ଆସନ୍ତା ୩ ମାସ ମଧ୍ୟରେ ସବୁ ସ୍କୁଲ/କଲେଜ୍ରେ ବାୟୋଡିଗ୍ରେଡେବଲ୍ ସାନିଟାରୀ ପ୍ୟାଡ୍ ଭେଣ୍ଡିଂ ସେମିନ ଓ ବ୍ୟବହାର ପରେ ଏହାକୁ ନଷ୍ଟ କରାଯାଇପାରୁଥିବା ଇନସିନେରେଟର ଉପଲବ୍ଧ କରାଇବା ବାଧ୍ୟତାମୂଳକ । ସୁପ୍ରିମକୋର୍ଟଙ୍କ ରାୟକୁ ୩ ମାସ ହେବାକୁ ଯାଉଥିଲାବେଳେ ରାଜ୍ୟର ସ୍କୁଲ କଲେଜଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲା ‘ପ୍ରମେୟ’ । ଜଣାପଡ଼ିଲା, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରତି କାହାରି ଖାତିର ନାହିଁ । ଅଧିକାଂଶ ସ୍କୁଲ କଲେଜରେ ସାନିଟାରୀ ପ୍ୟାଡ୍ ଉପଲବ୍ଧ ହେଉ ନଥିଲାବେଳେ ଯେଉଁ କେତୋଟି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଭେଣ୍ଡିଂ ମେସିନ ଲାଗିଛି, ତାହା କୋର୍ଟଙ୍କ ଡେଡ୍ଲାଇନ ପୂରିବା ଆଗରୁ ଅଚଳ ହୋଇପଡ଼ିଛି । ସମାଜରେ ତଥାକଥିତ ଲାଜର କଥା କୁହାଯାଉଥିବା ମାସିକ ଧର୍ମକୁ ନେଇ ଛାତ୍ରୀମାନେ ମୁହଁ ଖୋଲୁନଥିବାରୁ ଏହା କର୍ତ୍ତୃପକ୍ଷଙ୍କୁ ବେଶ ସୁହାଉଛି ।
ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ମୋଟ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ, ୪୯ଟି ସରକାରୀ ମହାବିଦ୍ୟାଳୟ ରହିଛି । ଏଥିସହିତ ୧୦୦ରୁ ଅଧିକ ବେସରକାରୀ ଅନୁଦାନପ୍ରାପ୍ତ (୬୬୨, ୬୮୮ବର୍ଗର) ମହାବିଦ୍ୟାଳୟ ରହିଛି । ସରକାରୀ ତଥ୍ୟ ଅନୁଯାୟୀ ୫୦ଟି ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ୮୮ଟି ହଷ୍ଟେଲରେ ଛାତ୍ରୀଙ୍କ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ଇନସିନେରେଟର ସ୍ଥାପନ କରାଯାଇଛି । ଏହାବାଦ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଲଗାଇବାକୁ ଓଡ଼ିଶା ଖଣି ନିଗମ (ଓଏମ୍ସି) ଉଚ୍ଚଶିକ୍ଷା ବିଭାଗକୁ ୪୦ ଲକ୍ଷ ୪୮ ହଜାର ଟଙ୍କା ଦେଇଥିଲା । ଏଥିରେ ୮୦ଟି କମ୍ପୋଜିଟ୍ କଲେଜରେ ୧୩୭ଟି ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ୧୨୧ଟି କମ୍ପୋଜିଟ୍ କଲେଜରେ ୧୬୪ଟି ଇନସିନେରେଟର ମେସିନ୍ ଲାଗିଛି । ହେଲେ ଏସବୁର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଅନେକ ସ୍ଥାନରେ ଏହି ମେସିନ୍ ଲାଗିନଥିବା ବେଳେ ଯେଉଁ କିଛି ସ୍ଥାନରେ ଏହି ମେସିନ୍ ଲାଗିଛି ତାହା ମଧ୍ୟ ଖରାପ ହୋଇ ପଡ଼ିଛି ।
ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶୌଚାଳୟରେ ସାନିଟାରୀ ନାପକିନ୍ ଭେଣ୍ଡିଙ୍ଗ୍ ମେସିନ୍ ଲାଗିଥିଲେ ମଧ୍ୟ ତାହା କାମ କରୁନି । ରମାଦେବୀରେ ପିଜି ଦ୍ୱିତୀୟ ବର୍ଷରେ ପଢୁଥିବା ସୁପ୍ରିୟା କୁହନ୍ତି, ଅଧିକାଂଶ ଶୌଚାଳୟରେ ପ୍ୟାଡ୍ ବାହାରୁଥିବା ଭେଣ୍ଡିଙ୍ଗ୍ ମେସିନ୍ ଖରାପ ହୋଇପଡ଼ିଛି । ଆବଶ୍ୟକ ବେଳେ ମିଳୁନାହିଁ । ସିରିପୁର ସ୍ଥିତ ସିଟି ଓମେନ୍ସ କଲେଜରେ ମଧ୍ୟ ଯୁକ୍ତ ୩ ଛାତ୍ରୀମାନଙ୍କ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଙ୍ଗ୍ ମେସିନ୍ ନାହିଁ । ଏନେଇ ସିଟି ଓମେନ୍ସ କଲେଜ ଯୁକ୍ତ ୩ର ଅଧ୍ୟକ୍ଷା ସୂର୍ଯ୍ୟସ୍ନାତା ଶତପଥୀ କହନ୍ତି, କଲେଜରେ ଭେଣ୍ଡିଙ୍ଗ୍ ମେସିନ୍ ନାହିଁ, ହେଲେ ଯେତେବେଳେ ଯେଉଁ ଛାତ୍ରୀଙ୍କର ଆବଶ୍ୟକ ହୁଏ ସେମାନେ ମୋ ପାଖରୁ ଆସି ନିଅନ୍ତି । ସେହିପରି ବରମୁଣ୍ଡାସ୍ଥିତ ରାଜଧାନୀ ମହାବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କାନ୍ତ ଚୌଧୁରୀ କୁହନ୍ତି, ଏହି ମେସିନ୍କୁ ଖୁବ୍ଶୀଘ୍ର ସଜଡ଼ା ଯିବ । ଏଥିସହିତ ଜଣେ ମହିଳାଙ୍କୁ ଆମେ ନିୟୋଜିତ କରିବୁ ଯିଏକି, ପ୍ୟାଡ୍ ବଣ୍ଟନ ଦାଇତ୍ୱରେ ରହିବେ । ଯଦି ରାଜ୍ୟର ରାଜଧାନୀରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଏଭଳି ସ୍ଥିତି ତେବେ ଅନ୍ୟ ଜିଲ୍ଲାର ଅବସ୍ଥା କ’ଣ ହେଉଥିବା ଏଥିରୁ ସ୍ପଷ୍ଟ ବାରି ହେଉଛି।
ଏହି ଖବରଟିକୁ ପଢନ୍ତୁ- Traffic Police : ଖରାରେ ଆଉଟୁ ପାଉଟୁ ଟ୍ରାଫିକ୍ ପୁଲିସ୍, ଉଭାନ ହୋଇଗଲା 'ଏସି ହେଲ୍ମେଟ୍, କୁଲିଂ ଜ୍ୟାକେଟ୍'