ଭୁବନେଶ୍ୱର,୧୫/୦୬ : ସରକାରୀ ତହବିଲରୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ‘କୁଲିଂ ଜ୍ୟାକେଟ୍’ କିଣିଲେ । କହିଲେ ଖରାରେ ଡ୍ୟୁଟି କରୁଥିବା ଟ୍ରାଫିକ୍ କର୍ମଚାରୀମାନେ ଏହାକୁ ପିନ୍ଧିଲେ ୧୦ରୁ ୧୨ ଡିଗ୍ରୀ ତାପମାତ୍ର କମ୍ ଲାଗିବ । ଏବେ ସେ ଜ୍ୟାକେଟ୍ କୁଆଡ଼େ ଗଲା, କାହାକୁ ଜଣାନାହିଁ । ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍ ପାଣିରେ ପଡ଼ିଲା । ଖାଲି ଜ୍ୟାକେଟ୍ ନୁହେଁ ଏସି ହେଲମେଟ୍ କିଣି ଟ୍ରାଫିକ୍ ପୁଲିସଙ୍କୁ ଦେଲେ । ସେ ବି କୁଆଡେ ଉଭାନ ହୋଇଯାଇଛି ।
୨୦୧୮ ଜୁଲାଇ ମାସରେ ଟୁଇନ୍ ସିଟି ଟ୍ରାଫିକ୍ ପାଇଁ ତତ୍କାଳୀନ ପୁଲିସ୍ କମିଶନର ତଥା ବର୍ତ୍ତମାନର ଡିଜିପି ୱାଇ.ବି ଖୁରାନିଆ ଟ୍ରାଫିକ୍ ପୁଲିସ୍ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଆରମ୍ଭ କରିଥିଲେ । ଟ୍ରାଫିକ୍ ପାଇଁ ଏକ ସ୍ୱତନ୍ତ୍ର ୱେବ୍ସାଇଟ୍ ଓ ୩୦୦ କୁଲିଂ ଜ୍ୟାକେଟ୍ର ବ୍ୟବସ୍ଥା କରିଥିଲେ । କେବଳ ଜ୍ୟାକେଟ୍ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଉକ୍ତ ଜ୍ୟାକେଟ୍ ଟ୍ରାଫିକ୍ କର୍ମଚାରୀଙ୍କୁ ପ୍ରଦାନ ସମୟରେ କମିଶନର କହିଥିଲେ, ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ଟ୍ରାଫିକ୍ କନଷ୍ଟେବଳମାନେ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩୦୦ କୁଲିଂ ଜ୍ୟାକେଟ୍ ଦିଆଯାଇଛି । ଉକ୍ତ ଜ୍ୟାକେଟ୍ ପିନ୍ଧିଲେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ କମ ଲାଗିବ । ଏବେ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଟ୍ରାଫିକ୍ କର୍ମଚାରୀ । ପ୍ରମୁଖ ଛକ ଛାଡ଼ିଲେ ଟ୍ରାଫିକ୍ ପୋଷ୍ଟ ଛାଡ଼ି ପୁଲିସ୍ କର୍ମଚାରୀ ଗଛ ଛାଇ ଅଣ୍ଡାଳୁଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଫ୍ୟାନ୍ ଲାଗିଛି । କିଛି ଫ୍ୟାନ୍ ଚାଲୁଛି । ଆଉ କିଛି ଅକାମି ହୋଇ ପଡିଛି । ଫ୍ୟାନ୍ ଚାଲିଲେ ବି ଗରମ ପବନ ଦେଉଛି । କୁଲିଂ ଜ୍ୟାକେଟ୍ ବିଷୟରେ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ପ୍ରାୟ ୯୦% କର୍ମଚାରୀ ଏହି ଜ୍ୟାକେଟ୍ ବିଷୟରେ କିଛି ଜାଣି ନଥିବା କହିଥିଲେ । ଆଉ ଯେଉଁମାନେ ଜ୍ୟାକେଟ୍ ବିଷୟରେ ଜାଣିଥିଲେ ସେମାନେ କହିଥିଲେ, ସେ ଜ୍ୟାକେଟ୍ ପିନ୍ଧି ଡ୍ୟୁଟି କଲେ ଭାରି ଗରମ ହେଉଛି । ଡ୍ୟୁଟି କରିବାକୁ ଭୟ ଲାଗୁଛି । ବିନା ଜ୍ୟାକେଟ୍ ୮ ଘଣ୍ଟା ବଦଳରେ ୧୦ ଘଣ୍ଟା ଡ୍ୟୁଟି କଲେ ଚଳିବ । ଜ୍ୟାକେଟ୍ ପିନ୍ଧିଲେ ସରିଲା । ବେଳେବେଳେ ସାର୍ମାନଙ୍କ ଭୟରେ ସେତେବେଳେ ପିନ୍ଧିବାକୁ ପଡିଥିଲା । ଜ୍ୟାକେଟ୍ ପିନ୍ଧିଲେ ଝାଳ ବାହାରୁଥିଲା । ସେଥିପାଇଁ ଆମେ ଏହାକୁ ପିନ୍ଧି ଡ୍ୟୁଟି କରିବାକୁ ଇଚ୍ଛା ପ୍ରକାଶ କରୁନାହୁଁ ।
ସେହିଭଳି ୨୦୨୪ ମସିହାରେ ଡହଡ଼ହ ଖରାରୁ ଟ୍ରାଫିକ୍ କର୍ମଚାରୀଙ୍କୁ ଆଶ୍ୱସ୍ଥି ଦେବାକୁ ଏସି ହେଲେମେଟ କିଣିଥିଲା କମିଶନରେଟ ପୁଲିସ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଏସି ହେଲମେଟ୍ ଆସିଥିଲା । ଥରେ ଚାର୍ଜ କଲେ ଏହା ୮ ଘଣ୍ଟା ଚାଲେ । ବିଭିନ୍ନ ଛକ ବୁଲି ତତ୍କାଳୀନ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ହେଲମେଟ୍ ବାଣ୍ଟିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୨ ଶହରୁ ଅଧିକ ଏସି ହେଲମେଟ୍ ଆଣିବେ ବୋଲି କହିଥିଲେ । ୨ ଶହ ତ ଆସିଲା ନାହିଁ । ବଣ୍ଟା ଯାଇଥିବା ୧୦ଟି ଏସି ହେଲ୍ମେଟ୍ ବିଷୟରେ କାହା ପାଖରେ କିଛି ଖବର ନାହିଁ । ଏବେ ଯେଉଁ ଭଳି ଖରା ହେଉଛି ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ପିଇବା ପାଇଁ ପାଣି ବି ଘରୁ ଆଣୁଛନ୍ତି । କିଛି କରିତ୍କର୍ମା ଟ୍ରାଫିକ୍ ପୁଲିସ୍ ଅଛନ୍ତି ସେମାନେ ଫାଇନ୍ କାଟିବା ବାହାନାରେ ଛତା ଠାରୁ ପାଣି ସବୁ ଯୋଗାଡ଼ କରି ଦେଉଛନ୍ତି । କୁଲିଙ୍ଗ ଜ୍ୟାକେଟ୍ ଓ ଏସି ହେଲମେଟ୍ ବିଷୟରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂହ କିଛି ଜାଣି ନଥିବା କହିଛନ୍ତି । ବିଭିନ୍ନ ଛକରେ ପୁଲିସ ତରଫରୁ ଗାଡ଼ି ରଖାଯାଇଛି । ସେ ଗାଡ଼ିରେ ପାନୀୟ ମେସିନ୍ ଲାଗିଛି । ସମସ୍ତ ଉକ୍ତ ପାଣି ପିଇ ପାରିବେ ବୋଲି କମିଶନର୍ କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଧର୍ମ ଆଗରେ ହାର୍ ମାନିଛି ମାନବିକତା, ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ, ଦାଣ୍ଡରେ ପଡ଼ିଛି ୨ ଶବ...