ଭୁବନେଶ୍ୱର, ୩୦/୦୭: ପାରମ୍ପରିକ ଉପାୟରେ ଚାଷ କଲେ କୃଷକର ରୋଜଗାର ବଢ଼ି ନାହିଁ । ଧାନ, ଗହମ ସହିତ ଚାଷୀକୁ ଅନ୍ୟାନ୍ୟ ଚାଷ ମଧ୍ୟ କରିବାକୁ ପଡ଼ିବ। ଚାଷ ଜମିରେ ସୋଲାର ପ୍ୟାନେଲ ଲଗାଇ ସୌର ଶକ୍ତି ଉତ୍ପାଦନ କରି ଚାଷୀର ରୋଜଗାର ବଢ଼ାଇ ହେବ। କିଛି ଚାଷୀ ମିଶି ସୌର ବିଦ୍ୟୁତ୍ ପ୍ଲାଣ୍ଟ ଲଗାଇ ପାରିବେ । ସେଥିରୁ ଉତ୍ପାନ୍ନ ବିଦ୍ୟୁତ୍ ଶକ୍ତିକୁ ଚାଷ କାମରେ ଲାଗିବା ସହ ବିକ୍ରି କରିହେବ। ଯାହାକୁ ଓରେଡା ଓ ଗ୍ରୀଡ଼କୋ ପ୍ରମୁଖ ଅନୁଷ୍ଠାନ କିଣିବେ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।
ବୁଧବାର ସନକ୍ରାନ୍ତି ଏପିଭି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଚସ୍ପତି କହିଲେ, ସୌର ଶକ୍ତି ଉତ୍ପାଦନ କରି ଚାଷୀର ରୋଜଗାର ବଢ଼ାଇ ହେବ। କିଛି ଚାଷୀ ମିଶି ଏହା କଲେ ସୌର ବିଦ୍ୟୁତ୍ ପ୍ଲାଣ୍ଟ କରିହେବ। ସେହି ପ୍ଲାଣ୍ଟର ବିଦ୍ୟୁତ୍ କିଭଳି ପୁଣି ଚାଷ କାମରେ ଲାଗିବ, ତାହା ଠିକ୍ କରି ହେବ। ବଳକା ବିଦ୍ୟୁତ ଓରେଡା, ଗ୍ରୀଡ଼କୋ କିଣିପାରିବେ। ଏ ଦିଗରେ ଏଫପିଓଗୁଡିକ କାମ କରିବେ। ସୌର ଶକ୍ତି, ଜୈବ ବିଦ୍ୟୁତ ଶକ୍ତି, ପବନ ଶକ୍ତି ଉତ୍ପାଦନ ବଢିଛି। ଆଗକୁ ଆହୁରି ବଢ଼ାଇ ହେବ। ସ୍ଵଚ୍ଛ ଶକ୍ତି ମାଧ୍ୟମରେ ଗ୍ରାମୀଣ ରୋଜଗାର ବଢ଼ା ଯାଇପାରିବ । ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ଅନୁଷ୍ଠାନ ସହଯୋଗରେ ଏହାକୁ ଆଗେଇ ହେବ। ତେବେ ଏଫପିଓ ଗଠନରେ ଓଡିଶା ପଛୁଆ ଅଛି। ତାହା ଅଧିକ କରିବାକୁ ପଡ଼ିବ । ଉଭୟ ରାଜ୍ୟ ଓ କେନ୍ଦ୍ରରେ ସମ୍ବେଦନଶୀଳ ସରକାର। ଏବେ ଜ୍ଞାନର ବିକାଶରେ ରାଜ୍ୟକୁ ଉନ୍ନତି କରିହେବ। ନୂଆ ଗବେଷଣା ଥିଲେ, କୁହନ୍ତୁ । ସରକାର କାର୍ଯ୍ୟରେ ଲଗାଇ ପାରିବେ । ତେବେ କୃଷି ଉପରେ ଓଡିଶାର ଅର୍ଥନୀତି ନିର୍ଭର କରୁଛି । ବିକଶିତ ଓଡିଶା ପାଇଁ ଚାଷୀଙ୍କ ଅର୍ଥନୈତିକ ବିକାଶ ଆବଶ୍ୟକ । କୃଷକର ଆୟ ବଢାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ବହୁତ ଯୋଜନା କରିଛନ୍ତି । ଆମେ କ୍ୱିଣ୍ଟାଲ ପିଛା ଆଠ ଶହ ଟଙ୍କା ଇନପୁଟ ସବସିଡି ଦେବା ପରେ ରାଜ୍ୟରେ ଉତ୍ପାଦନ ବଢିବା ସହ ଧାନ ଅଧିକ ସଂଗ୍ରହ ହୋଇଛି ।
ସେହିପରି ପିଏମ କୁସୁମ ଯୋଜନାରେ ଚାଷୀଙ୍କ ରୋଜଗାର ବଢାଇବା ସହ ବିଦ୍ୟୁତ୍ ଉତ୍ପାଦନ ବଢୁଛି। କ୍ଷୁଦ୍ର, ଅଣୁ କ୍ଷୁଦ୍ର ଝରଣାଗୁଡ଼ିକରୁ ଜଳ ସଞ୍ଚୟ କରି ବିଦ୍ୟୁତ ଉତ୍ପାଦନ କରା ଯାଇପାରିବ। ପନ୍ଦର ହଜାରରୁ ଅଧିକ କ୍ଷୁଦ୍ର, ଅଣୁ କ୍ଷୁଦ୍ର ଜଳ ପ୍ରକଳ୍ପ ଥିଲେ ବି ଅଧିକାଂଶ ଅକାମି ହୋଇଛି। ସେସବୁ ସାମାନ୍ୟ ଖର୍ଚ୍ଚ କଲେ ପୁନଃରୁଦ୍ଧାର ହୋଇ ପାରିବ ବୋଲି ବାଚସ୍ପତି କହିଛନ୍ତି।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ, ଗାଁର ବିକାଶ ହେଲେ ଓଡ଼ିଶାରେ ବିକାଶ ହେବ। ଜଳ, ଜଙ୍ଗଲ, ଜମି, ଜନ୍ତୁ, ଜନବସତି ବିକାଶ ହେବା ଦରକାର । ଜଙ୍ଗଲ କାଟି ଚାଲିଛୁ। ସୁରକ୍ଷା ଲୋଡ଼ା । ମିଶ୍ରିତ ଚାଷ ଦରକାର। କୃଷି ଉନ୍ନତି ହେବାରୁ ଏବେ ପୁଣି ପିଲା ଗାଁ ଅଭିମୁଖେ ଆଗେଇଛନ୍ତି । ଏକ କୋଟି ସବସିଡି ଚାଷରେ ଦିଆଯାଉଛି । ଆଗାମୀ ଦିନରେ ଏହା ପାଞ୍ଚ କୋଟି ହେବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।
ଆଇସି ଆଇସିଆରଆଇଇଆରର ପ୍ରଫେସର ଡ଼ ଅଶୋକ ଗୁଲାଟି କହିଥିଲେ, କେବଳ ଚାଷରେ କୃଷକ ରୋଜଗାର ବଢ଼ି ପାରିବ ନାହିଁ । ତେଣୁ ସୌର ବିଦ୍ୟୁତକୁ ତୃତୀୟ ଚାଷ ପାଇଁ ଚିନ୍ତା ଆରମ୍ଭ ହୋଇଛି। ଯାହା ସମସ୍ତେ ଚେଷ୍ଟା କଲେ ସଫଳ ହେବ । ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ କହିଲେ, ଚାରି ଏକର ଜମିରେ ଏକ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିହେବ । ଆମେ ଧାନ ଉତ୍ପାଦନ କରିବା ସହ ବହୁବିଦ୍ଧ ଚାଷ କରିପାରିବୁ । ଉପରେ ପାନେଲ ଲଗାଇବା ସୌର ବିଦ୍ୟୁତ ଉତ୍ପାଦନ ହେବା ସହ କିଭଳି ଚାଷ କରିହେବ, ତାହା ଦେଖିବାକୁ ପଡ଼ିବ ବୋଲି ବିଶାଳ ଦେବ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗ ପ୍ରମୁଖ ସଚିବ ଡ଼ ଅରବିନ୍ଦ ପାଢ଼ୀ, ଗ୍ରୀଡ଼କୋ ପରିଚାଳନା ନିର୍ଦ୍ଦେଶକ ଡ଼ ସତ୍ୟପ୍ରିୟ ରଥ, ପାସିଂ ଗିଫ୍ଟର ନିର୍ବାହୀ ନିର୍ଦ୍ଦେଶକ ରୀନା ସୋନି ଉପସ୍ଥିତ ଥିଲେ ।