ଖୁଣ୍ଟା,୨୫/୦୫: ବିଲ ଭିତର ଗାତ କରି ପଶିଲେ । କୁଆଁ କୁଆଁ କାନ୍ଦି ଗାତରୁ ବାହାରି ନୂଆ ଜନ୍ମ ନେଲେ । ନୂଆ ଜନ୍ମ ନେବା ପରେ ନିଜ ଧର୍ମକୁ ଫେରିଲେ । ଧର୍ମ ପରିବର୍ତ୍ତନ କରିଥିବା ପରିବାର ଏବେ ଧର୍ମକୁ ଫେରିବା ପରେ ଏମିତି ହୋଇଛି ତାଙ୍କର ପୁନର୍ଜନ୍ମ । ସାନ୍ତାଳୀ ସମ୍ପ୍ରଦାୟରେ ପୁଣି ଧର୍ମକୁ ଫେରିବା ପାଇଁ ଏଭଳି ଭିନ୍ନ ପରମ୍ପରା ଦୃଷ୍ଟି ଆକର୍ଷଣ କରିଛି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ଭୋଳାଗଡ଼ିଆ ପଞ୍ଚାୟତ ଅଧୀନ ନୂଆଗାଁ, ଡୁଙ୍ଗୁରୁଡ଼ିହି ଗ୍ରାମର ଲେମ୍ବୁ ହାଁସଦାଙ୍କ ପରିବାର ୫ ବର୍ଷ ପୂର୍ବରୁ ସଂଖ୍ୟାଲଘୁ ସମ୍ପ୍ରଦାୟରେ ସାମିଲ ହୋଇଥିଲେ । ଘରୋଇ ସମସ୍ୟା, ରୋଗବ୍ୟାଧି ଆଦି ଦୂର ହେବାର ସ୍ୱପ୍ନ ଦେଖାଇ ଅନ୍ୟ ଧର୍ମର ଲୋକେ ଲେମ୍ବୁଙ୍କୁ ଧର୍ମ ପରିବର୍ତ୍ତନ କରାଇଥିଲେ । ହେଲେ ତାହା ମିଛ ବୋଲି ଜାଣିବା ପରେ ପୂରା ପରିବାର ଏବେ ନିଜ ସାର୍ନ୍ନା ଧର୍ମକୁ ଫେରିଛନ୍ତି । ଯେଉଁଥିପାଇଁ ତାଙ୍କୁ ନେବାକୁ ପଡିଛି ନୂଆ ଜନ୍ମ ।

ସାନ୍ତାଳୀ ସମ୍ପ୍ରଦାୟ ପରମ୍ପରା ଅନୁସାରେ ଧର୍ମକୁ ଫେରିବା ପାଇଁ ତାଙ୍କୁ ଆଉ ଥରେ ଜନ୍ମ ନେବାକୁ ପଡିଛି । ପ୍ରଥମେ ଗ୍ରାମ ବିଲ ହିଡ଼ରେ ୩ ଫୁଟ ଗାତରେ ପଶିବା ସହିତ ସେଠାରୁ କାନ୍ଦି କାନ୍ଦି କୁଆଁ କୁଆଁ ଶବ୍ଦ କରି ବାହାରିଥିଲେ ସପରିବାର । ପୂର୍ବରୁ ଅଣ୍ଟାରେ ନାଭି ଭାବେ ବନ୍ଧା ଯାଇଥିବା କଇଁଫୁଲର ନାଡକୁ କାଟିଥିଲେ । ଗାତରୁ ବାହାରିବା ପରେ ଉକ୍ତ ନାଭି କଟା ଯାଇ ତାଙ୍କୁ ଘରକୁ ନିଆଯାଇଥିଲା । ସେଠାରେ ଘର ଚାଳକୁ ଗ୍ରାମବାସୀ ବାଡେଇବା ପରେ ପୂରା ପରିବାର ଘର ଭିତରେ ପଶିଥିଲେ ଆଉ ତା ପରେ ଘରେ ନାଭିକୁ ପରମ୍ପରା ଅନୁସାରେ ପୋତି ଦିଆଯାଇଥିଲା । ଯାହା ପରେ ପୂରା ପରିବାରର ଏକୋଇଶିଆ ହୋଇଥିଲା ।

ଧର୍ମକୁ ଫେରିଥିବା ପରିବାର ସଦସ୍ୟଙ୍କ ଏକୋଇଶିଆ ଚୁଟି ପଡିବା ସହିତ ସେମାନଙ୍କୁ ନୂଆବସ୍ତ୍ର ପିନ୍ଧିବାକୁ ଦିଆଯାଇଥିଲା । ତତ୍‌ପରେ ସମସ୍ତଙ୍କୁ ପବିତ୍ର ଲେପ ଛିଟା ଯାଇ ଧର୍ମକୁ ଫେରାଇ ଅଣାଯାଇଥିଲା । ଏହା ପରେ ଧର୍ମକୁ ଫେରିଥିବା ଲେମ୍ବୁଙ୍କ ପରିବାର ପକ୍ଷରୁ ଭୋଜି ଭାତର ଆୟୋଜନ କରାଯାଇଥିଲା । ଭୋଜି ସହିତ ୩ଟି ହାଣ୍ଡିଆ ହାଣ୍ଡି ଦିଆଯାଇଥିଲା । ଯାହା ପରେ ସେ ନିଜ ସାନ୍ତାଳୀ ସମ୍ପ୍ରଦାୟ ସାର୍ନ୍ନା ଧର୍ମକୁ ଫେରିଛନ୍ତି ।

ଅଧିକ ପଢ଼ନ୍ତୁ- Domestic Violence : ଯାଆଁଳା ଝିଅ ହେବାରୁ ଦଣ୍ଡ, ଗାଁ ଦାଣ୍ଡରେ ପୁଅ-ବୋହୂଙ୍କୁ ଘୋଷାରି ମାଡ଼ ମାରି ଘରୁ ବିଦା କଲେ ପରିବାର ଲୋକ