କଟକ/କୁଆଁପାଳ/ମାହାଙ୍ଗା,୨୫/୦୫ : ଯାଆଁଳା ଝିଅ ହେବାରୁ କେବଳ ବୋହୂ ନୁହେଁ ପୁଅକୁ ବି ଘରୁ ତଡ଼ିଦେଲେ ପରିବାର । ଏମିତିକି ଗାଁ ଦାଣ୍ଡରେ ଘୋଷାରି ମାଡ଼ ମାରିବାକୁ ବି ପଛେଇଲେ ନାହିଁ । ଫଳରେ ଯାଆଁଳା ଝିଅଙ୍କୁ ନେଇ ଅସହାୟ ଅବସ୍ଥାରେ ଘର ଛାଡ଼ିଛନ୍ତି ଦମ୍ପତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ଥାନା ପଶୁଲୁଣ୍ଡା ଗ୍ରାମରେ । ଏନେଇ ମାହାଙ୍ଗା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଏଯାବତ୍ କାହାକୁ ଗିରଫ କରିନାହିଁ ।
ଅଭିଯୋଗ ଅନୁଯାୟୀ, ମାହାଙ୍ଗା ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ଗ୍ରାମର ସମୂଲ୍ୟ ଜେନାଙ୍କ ପୁଅ ଚନ୍ଦ୍ରଶେଖର ଜେନା ଜଳେଶ୍ୱରପୁର ପଞ୍ଚାୟତ କାହ୍ନୁପୁର ଗ୍ରାମର ଅଜୟ ଜେନାଙ୍କ ଝିଅ ପାର୍ବତୀ ଜେନାଙ୍କୁ ଚାରି ବର୍ଷ ତଳେ ବିବାହ କରିଥିଲେ । କିଛି ଦିନ ପୂର୍ବରୁ ପାର୍ବତୀଙ୍କ ଯାଆଁଳା କନ୍ୟା ସନ୍ତାନ ଜନ୍ମ ହେବାରୁ ଶାଶୂ ମେଡିକାଲରୁ ମୁହଁ ବୁଲାଇ ପଳାଇ ଆସିଥିଲେ । ଦୁଇଟି ଝିଅ ହେବା ପରଠାରୁ ପାର୍ବତୀଙ୍କୁ ଶାଶୂଘର ଲୋକେ ଅକଥନୀୟ ନିର୍ଯାତନା ଦେଉଥିଲେ । ଝିଅମାନଙ୍କୁ ମାରିଦେବାକୁ କହୁଥିଲେ । ଏନେଇ ପାର୍ବତୀ ନିଜ ବାପା, ଭାଇଙ୍କୁ ଜଣାଇଥିଲେ ।
ଖବର ପାଇ ପାର୍ବତୀଙ୍କ ବାପା ଅଜୟ ଜେନା ଓ ଭାଇ ପଶୁଲୁଣ୍ଡା ଗ୍ରାମରେ ପହଞ୍ଚି ଏ ସମ୍ପର୍କରେ ଶାଶୂଘର ଲୋକଙ୍କୁ ପଚାରିଥିଲେ । ପାର୍ବତୀଙ୍କ ଶାଶୂଘର ଲୋକେ ଉତ୍କ୍ଷିପ୍ତ ହୋଇ ପାର୍ବତୀଙ୍କ ବାପା, ଭାଇଙ୍କୁ ଗାଳିଗୁଲଜ କରିଥିଲେ । ଚନ୍ଦ୍ରଶେଖର ଏହାର ବିରୋଧ କରିବାରୁ ପାର୍ବତୀଙ୍କ ଶଶୁର ସମୂଲ୍ୟ ଜେନା, ଶାଶୂ ଓ ନଣନ୍ଦ ମିଶି ପୁଅ-ବୋହୂଙ୍କୁ ଆକ୍ରମଣ କରିଥିଲେ ଓ ଦୁଇ ନବଜାତ କନ୍ୟା ସନ୍ତାନଙ୍କ ସହ ପାର୍ବତୀଚନ୍ଦ୍ରଶେଖରଙ୍କୁ ଘରୁ ବାହାର କରିଦେଇଥିଲେ । ଏହାକୁ ବିରୋଧ କରିବାରୁ ପାର୍ବତୀଙ୍କ ବାପା ଓ ଭାଇ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୁଲିସ୍ ମାମଲା ରୁଜୁ କରିଛି । ତେବେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ ପୁଲିସ୍ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ଚନ୍ଦ୍ରଶେଖର ବେହେରା କହିଛନ୍ତି ଯେ, ଘଟଣା ପରଠାରୁ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ ଯାଇନାହିଁ । ତଦନ୍ତ ଜାରି ରହିଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହି ଖବରଟିକୁ ପଢନ୍ତୁ- ଜୁଲାଇ ସୁଦ୍ଧା ଗାଁକୁ ଯିବେ ସଚିବ, ଜିଲ୍ଲାରେ ରାତି ବିତାଇବେ, ଆହାର କେନ୍ଦ୍ରରେ ଖାଇବେ... ଲୋକଙ୍କ ସମସ୍ୟା ବୁଝି ଯୋଜନା ପରଖିବେ