ଭୁବନେଶ୍ଵର, ୦୫/୦୩ : ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ଵର ହୋତା। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୩ ସେଟ୍ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି କମନ୍ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରିଟର୍ଣ୍ଣି ଅଫିସରଙ୍କ ନିକଟରେ ଦୁଇ ନେତା ନୋମିନେସନ ଫାଇଲ୍ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ କକ୍ଷରେ ବିଜେଡି ଓ କଂଗ୍ରେସ ନେତା ଏକାଠି ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ପାଖ ସିଟ୍ ରେ ବସିଥିବା ଦେଖିବାକୁ ମିଳିଛି।
ସଂତୃପ୍ତ ଏବଂ ଦତ୍ତେଶ୍ଵରଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ୨ ପ୍ରାର୍ଥୀଙ୍କୁ ସ୍ଵାଗତ କରିଛନ୍ତି। ସମ୍ଭାବ୍ୟ ମେଣ୍ଟ ସମ୍ପର୍କିତ ପ୍ରଶ୍ନରେ ନବୀନ କହିଛନ୍ତି ଯେ, ସମୟ ଭବିଷ୍ୟତ କଥା କହିବ। ସେହିପରି ନାମାଙ୍କନ ଦାଖଲ ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବହୁ ବର୍ଷ ପରେ ଓଡ଼ିଶାରେ ସମଭାବାପନ୍ନ ଦଳମାନେ ଏକାଠି ହୋଇଛନ୍ତି। ବିଜେଡି-କଂଗ୍ରେସ-ସିପିଏମ୍ ଏକାଠି ହେବା ରାଜନୈତିକ ନିଷ୍ପତ୍ତି। ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ଏଆଇସିସି ଗ୍ରହଣ କଲା। ଆମେ କଥାବାର୍ତ୍ତା ହୋଇ ରାଜ୍ୟ ହିତରେ କମନ୍ କ୍ୟାଣ୍ଡିଡେଟ୍ କଲୁ। କୌଣସି ବିଧାୟକ ଭୁଲ୍ ନିଷ୍ପତ୍ତି ନେବେନି ବୋଲି ବିଶ୍ଵାସ। ନବୀନ ବାବୁ ସ୍ପଷ୍ଟ ଭାବେ ସମାଜବାଦୀ, ସମଭାବାପନ୍ନ ଦଳଙ୍କ କଥା କହିଛନ୍ତି। ତେଣୁ ଓଡ଼ିଶା ରାଜନୀତିରେ ଏହା ଏକ ଐତିହାସିକ ପଦକ୍ଷେପ। ଓଡ଼ିଶାରେ ନବୀନ ବାବୁଙ୍କର ନାହିଁ ନଥିବା ଲୋକପ୍ରିୟତା ଅଛି। ଭୋଟ୍ ପ୍ରତିଶତରେ ଆଜି ବି ସେ ରାଜ୍ୟରେ ସବୁଠୁ ଅଧିକରେ ଅଛନ୍ତି। ନବୀନଙ୍କ ଏହି ନିଷ୍ପତ୍ତି ବହୁତ ବଡ଼, ପୂର୍ବରୁ ବିଜୁ ବାବୁ ଏପରି ନିଷ୍ପତ୍ତି ନେଉଥିଲେ।..
ସେପଟେ ସଂତୃପ୍ତ ମିଶ୍ର କହିଛନ୍ତି ଯେ, ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି। ତେବେ ଦିଲ୍ଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ପ୍ରଶ୍ନରେ କହିଛନ୍ତି ଯେ, ତାଙ୍କର ଅଧିକାର ଅଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ବି ପ୍ରତିଦ୍ଵନ୍ଦିତା କରିପାରିବେ।
ଏହି ଖବରଟିକୁ ପଢନ୍ତୁ- ଚତୁର୍ଥ ଆସନରେ ରୋଚକ ଲଢ଼େଇ; ଦିଲ୍ଲୀପ ରାୟଙ୍କ ପାଇଁ ବିଜେପିର ୧୦ ପ୍ରସ୍ଥାବକ, ଦତ୍ତେଶ୍ବରଙ୍କ ପଛରେ ବିରୋଧୀ