ପୁରୀ/ଭୁବନେଶ୍ୱର,୦୧/୦୮:  ଶରଧାବାଲି ଦଳାଚକଟା ସଂପର୍କରେ ତଦନ୍ତ ରିପୋର୍ଟ ସରକାରଙ୍କୁ ମିଳିଛି ।  ଏ ଘଟଣାର ତଦନ୍ତ କରିଥିବା ଉନ୍ନୟନ  କମିଶନର ଅନୁ ଗର୍ଗ ଗୁରୁବାର ରିପୋର୍ଟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି । ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ତର୍ଜମା କରୁଛନ୍ତି । ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ମୁଖ୍ୟମନ୍ତ୍ରୀ ତାର ନିଷ୍ପତ୍ତି ନେବେ । ତେଣୁ ଆମକୁ ଅପେକ୍ଷା କରିବାକୁ ପଡିବ । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।  

ଶ୍ରୀଗୁଣ୍ଡିଚା ପରଦିନ (୨୯ ଜୁନ୍‌)  ଶରଧାବାଲିରେ ରଥାରୁଢ଼ ଶ୍ରୀଜିଉଙ୍କୁ  ଦର୍ଶନ କରିବାକୁ ଭକ୍ତଙ୍କ ଅସମ୍ଭବ  ଭିଡ଼ ହେବାରୁ ପୁଲିସ ଏହାକୁ ନିୟନ୍ତ୍ରଣ  କରିପାରିନଥିଲା । ଦଳାଚକଟା ପରିସ୍ଥିତି  ଉପୁଜି ୩ ଜଣଙ୍କର ମୃତ୍ୟୁ ହେବା  ସହ ୧୨ରୁ ଅଧିକ ଶ୍ରଦ୍ଧାଳୁ ଆହତ  ହୋଇଥିଲେ । ଘଟଣାର ଗମ୍ଭୀରତାକୁ  ଦେଖି ଏହାର ତଦନ୍ତ ପାଇଁ ଉନ୍ନୟନ  କମିଶନରଙ୍କୁ ସରକାର ଦାୟିତ୍ୱ ଦେଇଥିଲେ । ଉନ୍ନୟନ କମିଶନର  ଏ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନରେ  କାର୍ଯ୍ୟରତ ଅଧିକାରୀ ଓ ପୁଲିସ  ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ ।  ତଦନ୍ତ କମିଟି ଭୁବନେଶ୍ୱରରେ  ଗୋଟିଏ ଓ ପୁରୀ ସର୍କିଟ ହାଉସ୍‌ରେ  ୩ଟି ବୈଠକ କରିଥିଲେ । ଘଟଣା  ସମୟର ପ୍ରତ୍ୟକ୍ଷଦର୍ଶୀ ବା ଏବାବଦରେ ଘଟଣାସ୍ଥଳରେ ଥିବା ସମସ୍ତ ବର୍ଗର  ବ୍ୟକ୍ତି ବିଶେଷଙ୍କ ସମେତ ଡ୍ୟୁଟିରେ  ମୁତୟନ ବିଭିନ୍ନ ବିଭାଗର ଅଧିକାରୀଙ୍କ  ଠାରୁ ତଦନ୍ତକାରୀ ଅଧିକାରୀ ବୟାନ  ନେଇଛନ୍ତି । କେଉଁଠି ଭୁଲ ରହିଲା  ଓ କିଏ ପ୍ରକୃତରେ ଭୁଲ କରିବାରୁ  ଏତେବଡ଼ ଅଘଟଣ ଘଟିଲା ତାହା  ଜାଣିବାକୁ ତଦନ୍ତ ବେଳେ କମିଟି  ଉଦ୍ୟମ କରିଥିଲେ । ପ୍ରାୟ ୬୭  ଜଣଙ୍କର ସାକ୍ଷ୍ୟପ୍ରମାଣ ଗ୍ରହଣ  କରିଥିଲେ ଉନ୍ନୟନ କମିଶନର ।  

ଏହି ମାମଲାରେ ଅତିରିକ୍ତ ମୁଖ୍ୟ  ସଚିବ ତଥା ଉନ୍ନୟନ କମିଶନର  ଶ୍ରୀମତୀ ଗର୍ଗଙ୍କୁ ତଦନ୍ତରେ ସହଯୋଗ  କରିବାକୁ ଅନ୍ୟ ୪ ଅଧିକାରୀଙ୍କୁ ସରକାର ନିଯୁକ୍ତ କରିଥିଲେ । ମାସକରେ  ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ  ଥିଲା ବେଳେ ଅଘଟଣ ପରଦିନଠାରୁ  ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।  ଏହି ଘଟଣାରେ ତତ୍କାଳୀନ ଜିଲ୍ଲାପାଳ  ଓ ଏସ୍‌ପିଙ୍କୁ ବଦଳି କରାଯାଇଥିଲା ।  ସେହିପରି ଅନ୍ୟ ଦୁଇ ପୁଲିସ ଉଚ୍ଚ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ  କରାଯାଇଥିଲା । ମୃତକଙ୍କ ପରିବାରକୁ  ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୨୦ ଲକ୍ଷ ଲେଖାଏଁ  ସହାୟତା ପ୍ରଦାନ କରାଯାଇଥିଲା ।  ଧାର୍ଯ୍ୟ ସମୟରେ ତଦନ୍ତ ରିପୋର୍ଟ  ଦାଖଲ ହୋଇଥିବାବେଳେ ରିପୋର୍ଟରେ  କ’ଣ ରହିଛି ତାହା ଜଣାପଡିନାହିଁ ।