ଭୁବନେଶ୍ବର,୧୮।୧୨ : ପିଲାମାନଙ୍କ ମଧ୍ୟରେ ଅଫୁରନ୍ତ ଆଶା ଓ ଆନନ୍ଦ ଆଣି ଦେବାରେ ସହାୟକ ହୁଏ ସରଗି ଫୁଲ ମହୋତ୍ସବ। ପିଲାମାନେ ରାଜ୍ୟକୁ ପ୍ରତିନିଧିତ୍ବ କରିବା ଭଳି କ୍ଷମତା ବହନ କରୁଛନ୍ତି। ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କ ଦକ୍ଷତାକୁ ଅଧିକ ବିକଶିତ କରିବା ନିମନ୍ତେ ଏହି ମହୋତ୍ସବ ଏକ ଅଭିନବ ମାଧ୍ୟମ ହେବ ବୋଲି ସରଗି ଫୁଲ ଉଦଘାଟନୀ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

  • ୩୦ ଜିଲ୍ଲାର ୧୧୬୦ ଛାତ୍ରଛାତ୍ରୀ ସାମିଲ
  • ଛାତ୍ରଛାତ୍ରୀଙ୍କ ଦ୍ବାରା ବିଜ୍ଞାନମେଳା ଆୟୋଜନ

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଆନୁକୂଲ୍ୟର ଏହି ଉତ୍ସବ ଆୟୋଜିତ ହେଉଛି। ଅନ୍ୟ ଅତିଥି ଭାବେ ବିଭାଗର ଶାସନ ସଚିବ ବି.ପରମେଶ୍ବରନ କହିଥିଲେ ଯେ ,ଏହି ଉତ୍ସବ ଛାତ୍ରଛାତ୍ରୀମାନଙ୍କ ପାଇଁ ଯେତେ ଗୁରୁତ୍ବପୂର୍ଣ୍ଣ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ମଧ୍ୟ ସେତେ ଉପଯୋଗୀ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଅବସରରେ ୨୦୨୫ ଦଶମ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୧୦ ଜଣ ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ମାନପତ୍ର ପ୍ରଦାନ ସହ ସ୍ମାରକି ଓ ପୁସ୍ତକ ପ୍ରଦାନ କରିଛନ୍ତି। ୩ ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଆୟୋଜନ କରାଯାଇଛି।

ଏଥିରେ ବିଭାଗର ଶାସନ ସଚିବ ବି.ପରମେଶ୍ବରନ, ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର ମୀଣା , ଅନୁସୂଚିତ ଜାତି ନିର୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ପଛୁଆବର୍ଗ ନିର୍ଦେଶକ ଯଗଳେଶ୍ବରୀ ଦାଶ, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମେମ୍ବର ସେକ୍ରେଟାରୀ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ।