PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

‘ସାରୋଳଦାସ ମହାଭାରଥ କର୍ଣ୍ଣାଦିଦଶପର୍ବ’ ସମର୍ପଣ ଉତ୍ସବ: ସାହିତ୍ୟକୁ ନୂଆ ଦିଗ ଦେଖାଇଛନ୍ତି ସନ୍ଥକବିଗଣ

ଭୁବନେଶ୍ୱର,୦୩/୦୭: ଆଦିକବି ସାରୋଳ ଦାସଙ୍କ ଭଳି ସନ୍ଥକବିଙ୍କର କୃତି ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ନୂତନ ଦିଗ ଦେଖାଇଛି । ଲୋକଙ୍କୁ କାଳାତୀତ ଶାସ୍ତ୍ର ସମ୍ପର୍କରେ ସଶକ୍ତ କରାଇବାରେ ବାଟ କଢ଼ାଇଛି । ନୂଆ କଳ୍ପନା ଓ ରୂପାନ୍ତର ବିଭିନ୍ନ ଭାଷାର ସାହିତ୍ୟିକ ଏବଂ କବିମାନଙ୍କୁ ଚିରାଚରିତ ଧାରାରୁ ପୃଥକ କରିଛି । ନିଜର ଭାବନାକୁ ପରିପ୍ରକାଶ କରିବାରେ ନୂତନ ମାର୍ଗ ଦେଖାଇଥାଏ ବୋଲି କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ପଦ୍ମଭୂଷଣ ଡ. ଚନ୍ଦ୍ରଶେଖର କମ୍ବର କହିଛନ୍ତି ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ‘ପ୍ରାଚୀନ’ ପକ୍ଷରୁ ପ୍ରକାଶିତ ‘ସାରୋଳଦାସ ମହାଭାରଥ କର୍ଣ୍ଣାଦିଦଶପର୍ବ’ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୋଆ କ୍ୟାମ୍ପସ୍‌-୨, କନ୍‌ଭେନ୍‌ସନ୍‌ ହଲ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. କମ୍ବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ।

ସେ କହିଥିଲେ, ପ୍ରତ୍ୟେକ ଧର୍ମ, ଭାଷା ଓ ସମାଜ ଅନ୍ୟ ଦେଶର ସଂସ୍କୃତି ଓ ଭାଷାକୁ ଭଲ ଭାବରେ ବୁଝିଥାଏ । ତେଣୁ ଲୋକଙ୍କ ମଧ୍ୟରେ ଭିନ୍ନତା ଦୂର ଏବଂ ଦାର୍ଶନିକ ସତ୍ୟତାକୁ ସରଳୀକରଣ କରିବା କ୍ଷେତ୍ରରେ ଶିକ୍ଷାବିତ୍‌ ଏବଂ ପଣ୍ଡିତମାନେ ପୂର୍ବକାଳରେ ବେଶ ବୁଦ୍ଧିମତାର ସହ ଅନେକ ପଦ୍ଧତି ଆପଣାଇଥିଲେ । ଉଭୟ ସାରୋଳ ଦାସ ଏବଂ କୁମାର ବ୍ୟାସ ସମସାମୟିକ କବି । ଦୁହେଁ ଭାରତୀୟ କାବ୍ୟକୁ ସ୍ଥାନୀୟ ସଂସ୍କୃତି ସହିତ ଖାପ ଖୁଆଇବା କ୍ଷେତ୍ରରେ ନିଜ ଲେଖନୀ ମାଧ୍ୟମରେ ପ୍ରୟାସ କରିଥିଲେ । ଓଡ଼ିଶାର ସନ୍ଥକବିମାନଙ୍କର କାର୍ଯ୍ୟ କେବଳ ସାହିତ୍ୟ, ଧାର୍ମିକ କିମ୍ବା ଆଧ୍ୟାତ୍ମିକ କ୍ଷେତ୍ରରେ ସୀମିତ ନ ଥିଲା । ସେମାନେ ଲୋକଙ୍କୁ ଶିକ୍ଷିତ କରାଇବା ସହ ସଚେତନ ପାଇଁ ଲେଖନୀ ଚଳାଉଥିଲେ । ସ୍ଥାନୀୟ ସଂସ୍କୃତି ସହ ଅନ୍ୟ ସଂସ୍କୃତିକୁ ସମନ୍ୱୟ ଘଟାଇବା ଦିଗରେ କାର୍ଯ୍ୟ କରିଥିଲେ ।

ଡ. କମ୍ବର କହିଥିଲେ, ଅନୁବାଦ ଏବଂ ଅନୁକରଣ କ୍ଷେତ୍ରରେ ଭାରତୀୟ ସାହିତ୍ୟ ଅନ୍ୟମାନଙ୍କଠାରୁ ବେଶ୍‌ ଆଗରେ । ଦୁଇ ହଜାର ବର୍ଷ ପୂର୍ବରୁ ହିଁ ଭାରତୀୟମାନେ କେବଳ ଅନ୍ୟ ଭାଷା ଏବଂ ଶାସ୍ତ୍ରକୁ ଅନୁବାଦ କରିନାହାନ୍ତି ବରଂ ଅନ୍ୟ ସ୍ଥାନୀୟ ସଂସ୍କୃତିକୁ ଆପଣାଇଛନ୍ତି । ଉଦାହରଣ ଛଳରେ କୁମାର ବ୍ୟାସଙ୍କର ରଚିତ ‘ଗୁଡୁଗିନା ଭାରତ’ କେବଳ କନ୍ନଡ଼ ସାହିତ୍ୟକୁ ସମୃଦ୍ଧ କରିନାହିଁ ବରଂ ମହାଭାରତର ତତ୍ତ୍ୱକୁ ଲୋକଙ୍କ ମନରେ ପ୍ରସାର କରିପାରିଛି । ସାରୋଳ ଦାସ ଏବଂ ଅନ୍ୟ ସନ୍ଥକବିମାନଙ୍କ କାର୍ଯ୍ୟଧାରା ସମାଜକୁ ସାଂସ୍କୃତିକ ବାର୍ତ୍ତା ମଧ୍ୟ ପହଞ୍ଚାଉଥିଲା । ସେମାନେ ଅତୀତର ତଥ୍ୟକୁ ଏକାଠି କରି ସମାଜର ଉନ୍ନତି ଦିଗରେ ନୂତନ ଦିଗ ଦେଖାଉଥିଲେ ।

କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ ଡ. କେ. ଶ୍ରୀନିବାସ ରାଓ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ଅତୀତରେ ସାରୋଳ ଦାସ ଏବଂ କାଳିଦାସଙ୍କ ମଧ୍ୟରେ ଏକ ସମାନ୍ତରାଳ ଧାରା ସୃଷ୍ଟି ହୋଇଥିଲା । ଏହି ଦୁଇ କବିଙ୍କର ମହାନ୍‌ କାର୍ଯ୍ୟ ସାରୋଳ ମହାଭାରଥ ଏବଂ ରଘୁବଂଶ ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲା ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ବର୍ତ୍ତମାନର ଯୁବପିଢ଼ି ଓଡ଼ିଆ ଭାଷା ଓ ସାହିତ୍ୟର ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ଜାତୀୟସ୍ତରରେ ସାରୋଳ ଦାସଙ୍କୁ ଉପଯୁକ୍ତ ମର୍ଯ୍ୟାଦା ମିଳି ନ ଥିବା ଉଲ୍ଲେଖ କରିଥିଲେ ।

ପୁସ୍ତକର ଉଦ୍‌ଘାଟକ ବିଶିଷ୍ଟ କବି ରମାକାନ୍ତ ରଥ ଅନିବାର୍ଯ୍ୟ କାରଣବଶତଃ ଉପସ୍ଥିତ ରହିପାରି ନ ଥିଲେ । ତେଣୁ ସେ ପଠାଇଥିବା ଭିଡିଓ ବାର୍ତ୍ତାକୁ ପ୍ରାରମ୍ଭରେ ପରିବେଷଣ କରାଯାଇଥିଲା । ସେ ବାର୍ତ୍ତାରେ କହିଥିଲେ, ସାରୋଳ ଦାସଙ୍କ ରଚିତ ମହାଭାରଥ ପରେ ଓଡ଼ିଆ ମୌଖିକ ଭାଷା, ଲିଖିତ ଭାଷାରେ ପରିଣତ ହୋଇଥିଲା । ଏହି ଅବସରରେ ସାରୋଳଦାସ ମହାଭାରଥ କର୍ଣ୍ଣାଦିଦଶପର୍ବର ପଦ୍ୟ ରୂପକୁ ଡ. କମ୍ବର ଏବଂ ଗଦ୍ୟ ରୂପକୁ ଡ. ରାଓ ଉନ୍ମୋଚନ କରିଥିଲେ । ଏହି ପୁସ୍ତକଟିକୁ ଏହାର ସମ୍ପାଦକ ମଣ୍ଡଳୀ ଅନେକ ଶ୍ରମପୂର୍ବକ କାର୍ଯ୍ୟ କରି ସାରୋଳ ଦାସଙ୍କ ମହାଭାରଥର ପ୍ରସ୍ତୁତି ଓ ଗଦ୍ୟ ରୂପାନ୍ତରଣ ଲୋକଲୋଚନକୁ ଆଣିଛନ୍ତି । ଡ. କମ୍ବର ଏବଂ ଡ. ରାଓ ସାହିତ୍ୟର ପ୍ରସାର କ୍ଷେତ୍ରରେ ସୋଆ ଏବଂ ‘ପ୍ରାଚୀନ’ର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଉଦ୍ୟମ ସମଗ୍ର ବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ପ୍ରାଚୀନ’ର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ପୁସ୍ତକ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

ଉନ୍ମୋଚନ ସଭାରେ ପ୍ରଫେସର ଦାଶରଥୀ ଦାସ, ପୁସ୍ତକ ସଙ୍କଳନର ସଦସ୍ୟ ଡ. ପ୍ରଦୀପ୍ତ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ । ସାରୋଳଦାସ ମହାଭାରଥର ଡିଜିଟାଲ୍‌ ଏଡିସନ୍‌ ସମ୍ପର୍କରେ ପ୍ରଫେସର ଅଜିତ ନାୟକ ସୂଚନା ଦେଇଥିଲେ । ସୋଆ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ କାର୍ଯ୍ୟକ୍ରମ ସଂଯୋଜନା ସହ ଉଦ୍‌ଘାଟନୀ ଅଧିବେଶନ ଶେଷରେ ଧନ୍ୟବାଦ ଦେଇଥିଲେ ।

ସମର୍ପଣ ଉତ୍ସବର ଦ୍ୱିତୀୟ ଅଧିବେଶନରେ ମହାଭାରତ ପାଠ ଆଧାରିତ ସମ୍ପାଦନା ବିମର୍ଶ ଅନୁଷ୍ଠିତ ହୋଇଥିଲା । ଆଲୋଚକ ଭାବେ କୈଳାସ ଚନ୍ଦ୍ର ଦାଶ, ଦୀପ୍ତିରଞ୍ଜନ ପଟ୍ଟନାୟକ, ହୃଷୀକେଶ ମଲ୍ଲିକ, ଅସିତ ମହାନ୍ତି, ସନ୍ତୋଷ କୁମାର ରଥ ଏବଂ ବୈଷ୍ଣବ ଚରଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ସଭା ମୁଖ୍ୟ ଭାବେ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ସଭା ପରିଚାଳନା କରିଥିଲେ । ଫଣୀନ୍ଦ୍ର ଭୂଷଣ ନନ୍ଦ ସଂଯୋଜନା କରିଥିଲେ । ଡ. ନଚିକେତା ଶର୍ମା ଧନ୍ୟବାଦ ଦେଇଥିଲେ । ଏହି ଅଧିବେଶନରେ ଗ୍ରନ୍ଥ ସମ୍ପର୍କରେ ବିଶେଷ ଚର୍ଚ୍ଚା ହୋଇଥିଲା । ସମସ୍ତ ଆଲୋଚକ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅତିଥିବୃନ୍ଦ, ସମ୍ପାଦନାମଣ୍ଡଳୀ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସୋଆ ଆନ୍ଥେମ୍‌ ପରିବେଷଣ କରାଯାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗବେଷକ ଓ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

ଏହି ଗ୍ରନ୍ଥଟିକୁ ସମ୍ପାଦନ କରିଛନ୍ତି ଡ. ଗୌରାଙ୍ଗ ଚରଣ ଦାସ, ଡ. ପ୍ରଦୀପ୍ତ କୁମାର ପଣ୍ଡା, ଡ. ଭାଗ୍ୟଲିପି ମଲ୍ଲ ଏବଂ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ । “ସାରୋଳଦାସ ମହାଭାରଥ’ ଗ୍ରନ୍ଥର ଦୁଇଟି ପର୍ବ ‘ମୁସଳି’ ଏବଂ ‘ସ୍ୱର୍ଗାରୋହଣ’ର ପାଠ-ଆଧାରିତ ସଙ୍କଳନ ସୋଆ ପକ୍ଷରୁ ଗତବର୍ଷ ଏପ୍ରିଲ୍‌ ମାସରେ ପ୍ରକାଶିତ ହୋଇଥିଲା ।