ଭୁବନେଶ୍ବର,୧୭/୨ : ପୁଅକୁ ନ ପାଇ ନିରାଶ ହୋଇ ଓଡ଼ିଶା ଫେରି ଆସିଲେ ସାର୍ଥକ ମା’ ଓ ମାମୁଁ । ଗତ ଦୁଇ ଦିନ ତଳେ ନିଖୋଜ ନାବିକ ପୁଅକୁ ଖୋଜିବା ପାଇଁ ସିଙ୍ଗାପୁର ଯାଇଥିଲେ । ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ କୋହଭରା କଣ୍ଠରେ ନିରାଶ ହୋଇଥିବା କହିଛନ୍ତି । ସାର୍ଥକ କାମ କରୁଥିବା ସିପିଂ କମ୍ପାନୀ ନିଖୋଜ ସାର୍ଥକ ବାବଦରେ ତଥ୍ୟ ଦେବାରେ ସହଯୋଗ କରିବା ବଦଳରେ ଚାପ ପକାଇବାକୁ ପ୍ରବଳ ଉଦ୍ୟମ କରିଥିଲା ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ମାମୁଁ ସନ୍ତୋଷ କୁମାର ସାହୁ। ସାର୍ଥକ କାମ କରୁଥିବା ସିପିଂ କମ୍ପାନୀ ପକ୍ଷରୁ ତାଙ୍କୁ ବିଲକୁଲ ସହଯୋଗ କରାଗଲା ନାହିଁ । ଓଲଟା ଚାପ ପକାଇବାକୁ ଚେଷ୍ଟା କରିଥିଲେ । କମ୍ପାନୀର ଏଚଆର ମ୍ୟାନେଜର, ଆଡଭୋକେଟ୍ କୌଣସି ସାହାଯ୍ୟ ସହଯୋଗ କରିଲେ ନାହିଁ । ଗୋଟିଏ ସିଗ୍ନେଚର୍ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରାଇଲେ । ଏପରିକି ଡିଜି ସିପିଂର ଷ୍ଟାଫଙ୍କୁ ମଧ୍ୟ ଏଚଆର ମ୍ୟାନେଜର, ଆଡଭୋକେଟ୍ ଖରାପ ବ୍ୟବହାର କଲେ। ଭବିଷ୍ୟତରେ କୌଣସି ଅର୍ଥ କିମ୍ବା ଆଇନଗତ ଦୃଷ୍ଟିକୋଣରୁ ନିବୃତ୍ତ ରହିବା ପାଇଁ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ସିଙ୍ଗାପୁରରୁ ଭୁବନେଶ୍ୱର ଫେରିବା ପରେ ବିମାନ ବନ୍ଦରରେ କୋହଭରା କଣ୍ଠରେ କହିଛନ୍ତି ସାର୍ଥକଙ୍କ ମାମୁଁ ସନ୍ତୋଷ କୁମାର ସାହୁ। ତାଙ୍କ ମା’କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ।

ମାମୁ କହିଛନ୍ତି, ଯେଉଁ ଆଶା ନେଇ ଯାଇଥିଲୁ, ଆମେ ଆମ ଛୁଆକୁ ପାଇବୁ, କିନ୍ତୁ ସିପିଂ କମ୍ପାନୀ ଆମକୁ ଆଦୌ ସହଯୋଗ କଲାନି। ଆମେ ଯାହା ସନ୍ଦେହ କରୁଛୁ, ସେମାନେ କିଛି ଲୁଚାଉଛନ୍ତି। ସେଇଟା ସତ ଭଳି ଲାଗୁଛି। ସେମାନେ ଆମଠୁ ଏକ ଏଗ୍ରିମେଣ୍ଟରେ ଦସ୍ତଖତ କରାଇବାକୁ ଚେଷ୍ଟା କଲେ। ଯେମିତି ଆଗାମୀ ଦିନରେ ଆମେ ତାଙ୍କ ବିରୋଧରେ କୌଣସି କେଶ କରିପାରିବୁନି। ସେଠି ଆମକୁ ବହୁତ ସମୟ ରଖିଦେଲେ ଶେଷରେ ଆମେ ସନ୍ଧ୍ୟାରେ ଯେତେବେଳେ ଆମେ ସିପକୁ ଗଲୁ, ସେତେବେଳେ ଆମେ ସିପର ଲୋକମାନଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲୁ। ହେଲେ ସିପର ଏଚଆର ମ୍ୟାନେଜର ଇଆନ ଦୁବେଶ, ଶାନ୍ତନୁ ଆମକୁ ବାରମ୍ବାର ସେଠି ଅଟକାଉଥିଲେ। ଆମେ ଯେତେବେଳେ ସର୍ଚ୍ଚ କରିବା ପାଇଁ କହିଥିଲୁ, ସେତେବେଳେ ଆମକୁ ୧୦ରୁ ୧୫ ଜଣ ଘେରି ରହିଥିଲେ। ସେମାନେ କେବଳ ଜାହାଜରେ ସାର୍ଥକ ଚ୍ୟାମ୍ବର ଭିତରକୁ ଯିବାକୁ ସୁଯୋଗ ଦେଇଥିଲେ। ଯେତେ ଅନୁରୋଧ କଲେ ବି ଅନ୍ୟ ସ୍ଥାନକୁ ଯିବାକୁ ସୁଯୋଗ ଦେଲେନି। ମିସିଂ ବିଷୟରେ ଆମକୁ କୌଣସି ଅବଗତ କରାଇଲେନି।

ଡିଜି ସିପିଂରୁ ଯେଉଁମାନେ ଯାଇଥିଲେ, ସେମାନେ ଆମକୁ ସହଯୋଗ କଲେ। ଅନେକ ଦୋଷ ତ୍ରୁଟି ତାଙ୍କର ବାହାର କଲେ। ଯେତେବେଳେ ସାର୍ଥକଙ୍କର ଜିନିଷ ଆମକୁ ଦେବାର ଥିଲା, ତାହା ଭଲ ଭାବେ ସିଲିଂ କରାଯାଇନଥିଲା। ଆମକୁ ଏମିତି ଥାର୍ଡ ପାର୍ଟି ଏଜେଣ୍ଟ ମାଧ୍ୟମରେ ଦେଇ ଦେଇଥିଲେ। ଏହାକୁ ଡିଜି ସିପିଂ ଅଧିକାରୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ସେମାନେ ଦୁର୍ବ୍ୟବହାର କଲେ। ଏହାର ତଦନ୍ତ ପାଇଁ ଆମେ ହାଇ କମିଶନରଙ୍କୁ ଭେଟିଲୁ। ସେମାନେ ମେରାଇନ ପୋର୍ଟ ଅଥରିଟିକୁ ଏହାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସେମାନେ ଏବେ ତଦନ୍ତ କରୁଛନ୍ତି। ଆବଶ୍ୟକ ପଡ଼ିଲେ, ସେମାନେ ସିଙ୍ଗାପୁର ପୁଲିସର ସହଯୋଗ ନେବେ। ଏମପିଆଇ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି, ଖୁବଶୀଘ୍ର ଆମେ ଆପଣଙ୍କୁ ଅବଗତ କରାଇବୁ। ଆମର ସନ୍ଦେହ ସାର୍ଥକ ସହ କିଛି ଘଟଣା ଘଟିଛି। କାହିଁକି ନା ଜାହାଜ କର୍ତ୍ତୃପକ୍ଷ ମାତ୍ର ଦୁଇ ଘଣ୍ଟା ଭିତରେ ଆମକୁ ଜାହାଜରୁ ଓହ୍ଲାଇ ଦେଲେ। ଆମର ପାସ ଥିଲା ରାତି ୧୨ଟା ପର୍ଯ୍ୟନ୍ତ, କିନ୍ତୁ ସେମାନେ ଆମକୁ ୯ଟାରୁ ଓହ୍ଲାଇ ଦେଲେ। ତାଙ୍କର କଥାରେ କୌଣସି ତାଳମେଳ ନଥିଲା। ଲଗବୁକ ଠିକ ଭାବେ ଦେଖାଇଲେନି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାର୍ଥକର ପାସପୋର୍ଟ ବି ସେମାନେ ଦେଇନାହାନ୍ତି, ଜାହାଜର କ୍ୟାପଟେନ ନେଇକି ଚାଲିଗଲେ ବୋଲି କହିଛନ୍ତି ମାମୁ।