ନୂଆଦିଲ୍ଲୀ, ୨୩।୭: ଭୂକମ୍ପ ବିପର୍ଯ୍ୟୟ ପାଇଁ ଆସିଲା AI 'ମାଇକ୍ରୋ-ରୋବୋଟ୍' । ଭୂକମ୍ପ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭଗ୍ନାବଶେଷ ତଳେ ଦବି ରହିଥିବା ଜୀବନକୁ ବଞ୍ଚାଇବା ପାଇଁ ଏବେ କାମରେ ଆସିବେ 'ମାଛି ରୋବୋଟ୍' । ଆମେରିକାର ପ୍ରସିଦ୍ଧ 'ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି' ର ଗବେଷକମାନେ ଏକ ବିଶେଷ ପ୍ରକାରର ଆକାଶମାର୍ଗୀୟ ମାଇକ୍ରୋ-ରୋବୋଟ୍ ବିକଶିତ କରିଛନ୍ତି, ଯାହା ଆକାରରେ ଅତି କ୍ଷୁଦ୍ର ଏବଂ ମାଛି ପରି ଉଡ଼ିବାରେ ସକ୍ଷମ ।
ଏହି ରୋବୋଟ୍ଗୁଡ଼ିକରେ ଏଆଇ ଆଧାରିତ କଣ୍ଟ୍ରୋଲର ଲଗାଯାଇଛି, ଯାହା ଏହାର ଉଡ଼ାଣକୁ ନିୟନ୍ତ୍ରଣ କରିଥାଏ । ପୂର୍ବରୁ ଏହିପରି କ୍ଷୁଦ୍ର ରୋବୋଟ୍ ତିଆରି କରାଯାଇଥିଲେ ବି ସେଗୁଡ଼ିକର ବେଗ ବହୁତ କମ୍ ଥିଲା । କିନ୍ତୁ ପ୍ରାୟ ୫ ବର୍ଷର କଠିନ ପରିଶ୍ରମ ପରେ ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ କରିଛନ୍ତି । ପୁରୁଣା ରୋବୋଟ୍ ତୁଳନାରେ ନୂଆ ଭର୍ସନର ବେଗ ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହାର ଗତି ପରିବର୍ତ୍ତନ କ୍ଷମତା ପୂର୍ବ ଅପେକ୍ଷା ଦୁଇଗୁଣାରୁ ଅଧିକ ସୁଧାରିଛି । ଏହାର ଓଜନ ଗୋଟିଏ 'ପେପରକ୍ଲିପ୍' ରୁ ବି କମ୍ । ତଥାପି, ପ୍ରବଳ ପବନ ସତ୍ତ୍ୱେ ଏହା ନିଜର ନିର୍ଦ୍ଧାରିତ ରାସ୍ତାରୁ ମାତ୍ର ୪-୫ ସେଣ୍ଟିମିଟର ହିଁ ବିଚ୍ୟୁତ ହୋଇଥାଏ ।
ଏହା ବି ପଢ଼ନ୍ତୁ... U.S.-India trade agreement ; ୪ ମାସରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ; ବଢ଼ିବ ଦ୍ୱିପାକ୍ଷିକ ବ୍ୟବସାୟ
ନୂଆ ମୋଡେଲଟି ପୂର୍ବ ଅପେକ୍ଷା ଅଧିକ ମଜବୁତ୍ । ଏଥିରେ ବଡ଼ ଡେଣା ସହିତ ଶକ୍ତି ଯୋଗାଇବା ପାଇଁ "ସଫ୍ଟ ଆର୍ଟିଫିସିଆଲ୍ ମସଲ୍ସ" ବ୍ୟବହାର କରାଯାଇଛି, ଯାହା ଅତ୍ୟନ୍ତ ଦ୍ରୁତ ଗତିରେ ଡେଣାକୁ ଆଗ-ପଛ କରିବାରେ ସାହାଯ୍ୟ କରେ । ବୈଜ୍ଞାନିକମାନେ ଏବେ ଏହି ରୋବୋଟ୍ଗୁଡ଼ିକରେ କ୍ଷୁଦ୍ର କ୍ୟାମେରା ଏବଂ ସେନ୍ସର ଲଗାଇବାକୁ ଯୋଜନା କରୁଛନ୍ତି । କ୍ୟାମେରା ଲଗାଯିବା ପରେ ଏହା ବାହାର ପରିବେଶରେ ନିର୍ଦ୍ୱନ୍ଦରେ ନିଜେ ଗତିପଥ ବାଛିପାରିବ । ବିଶେଷ ସେନ୍ସର ଦ୍ୱାରା ଏହି ରୋବୋଟ୍ଗୁଡ଼ିକ ପରସ୍ପର ସହ କିମ୍ବା କୌଣସି ପ୍ରତିବନ୍ଧକ ସହ ପିଟି ହେବାରୁ ବଞ୍ଚିପାରିବେ । ଏହି ଗବେଷଣାରେ ସାମିଲ ଥିବା ଆସୋସିଏଟ୍ ପ୍ରଫେସର କେଭିନ୍ ଚେନ୍ଙ୍କ କହିବାନୁସାରେ, "ଯେଉଁ ସଂକୀର୍ଣ୍ଣ ସ୍ଥାନକୁ ସାଧାରଣ କ୍ୱାଡକୋପ୍ଟର କିମ୍ବା ଡ୍ରୋନ୍ ଯାଇପାରନ୍ତି ନାହିଁ, ସେହିସବୁ ସ୍ଥାନରେ ଏହି ମାଇକ୍ରୋ-ରୋବୋଟ୍ ବ୍ୟବହାର କରାଯିବ । ଏଗୁଡ଼ିକ ମାଛି ଭଳି ଦ୍ରୁତ ଗତିରେ ଉଡ଼ିବା ସହ ଅତ୍ୟନ୍ତ ଚାଲାକିର ସହ କାର୍ଯ୍ୟ କରିପାରିବେ ।"