ପ୍ରସବ ବେଳେ ନବଜାତର ମୁଣ୍ଡ-ଗଣ୍ଡି ଅଲଗା ହୋଇଗଲା, ପରିବାର ଲୋକଙ୍କୁ କପଡାରେ ବାନ୍ଧି ହସ୍ପିଟାଲ କର୍ମଚାରୀ ଦେଲେ ମୃତଦେହ

ସତନା,୩୦।୧୧: ମଧ୍ୟ ପ୍ରଦେଶର ସତନା ଜିଲ୍ଲା ଡାକ୍ତରଖାନାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମହିଳାଙ୍କୁ ପ୍ରସବ ପରେ ଏକ ମୃତ ଶିଶୁକୁ ଦିଆଯାଇଥିଲା। ନବଜାତ ଶିଶୁର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ପ୍ରସୁତିଙ୍କ ଅପରେସନ ମହିଳା ଡାକ୍ତର ଡକ୍ଟର ନୀଲମ ସିଂ କରିଥିଲେ। ଏଥିରୁ ସ୍ପଷ୍ଟ ଯେ, ପ୍ରସବ ସମୟରେ ଅବହେଳା ହୋଇଥିଲା।
ମେହେର ଡେଲହା ଗାଁର ବାସିନ୍ଦା କିରଣ ଚୌଧୁରୀଙ୍କୁ ଗର୍ଭ ଯନ୍ତ୍ରଣା ପରେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ମହିଳାଙ୍କୁ ଅପରେସନ୍ ଦ୍ୱାରା ପ୍ରସବ କରାଯାଇଥିଲା। ଜିଲ୍ଲା ଡାକ୍ତରଖାନାରେ ଡ୍ୟୁଟିରେ ଥିବା ମହିଳା ଡାକ୍ତର ନୀଲମ ଏହି ଅପରେସନ୍ କରି ଶିଶୁକୁ ଜନ୍ମ କରାଇଥିଲେ। ପରେ ପରିବାର ସଦସ୍ୟଙ୍କୁ କୁହାଯାଇଥିଲା ଯେ ପିଲାଟିର ମୃତ୍ୟୁ ହୋଇଛି। ପ୍ରାୟ ଅଢେଇ ଘଣ୍ଟା ପରେ ଡାକ୍ତରଖାନା ପ୍ରଶାସନ ନବଜାତ ଶିଶୁର ମୃତଦେହକୁ ଏକ କପଡ଼ାରେ ଗୁଡ଼ାଇ ପରିବାର ସଦସ୍ୟଙ୍କୁ ଦେଇଥିଲା।
ନବଜାତ ଶିଶୁର ମୃତଦେହ ଦେଖି ପରିବାର ସଦସ୍ୟଙ୍କ ପାଦ ତଳେ ଭୂମି ଖସିଯାଇଥିଲା। ପିଲାଟିର ମୁଣ୍ଡ-ଗଣ୍ଡିରୁ ଅଲଗା ହୋଇ ଯାଇଥିବାର ଦେଖିବାକୁ ମିଳିଥିଲା। ଡାକ୍ତରଖାନାର ଲୋକମାନେ କୌଣସି ଉତ୍ତର ଦେବାକୁ ପ୍ରସ୍ତୁତ ନୁହଁନ୍ତି। କୁହାଯାଉଛି ଯେ, ମୃତଦେହ ଦେବା ସମୟରେ ହସ୍ପିଟାଲ ପ୍ରଶାସନ ଶିଶୁଟିର କେବଳ ଗୋଡ ଦେଖାଇଥିଲେ। ତା ପରେ ଚୁପଚାପ୍ ଏକ କପଡାରେ ବାନ୍ଧି ପରିବାର ଲୋକଙ୍କୁ ଦେଇଥିଲେ। ଏହି ଘଟଣା ନେଇ ପରିବାର ଲୋକ ଡାକ୍ତରଖାନା ଓ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ଏ ସମ୍ପର୍କରେ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।