ନୂଆଦିଲ୍ଲୀ ୦୭/୦୪: ଶନି ଗ୍ରହ ଦୂରରୁ ଶାନ୍ତ ଦିଶେ । ମହାକାଶରେ ଚୁପ୍ଚାପ୍ ବସିଥିବା ବଳୟଯୁକ୍ତ ଏକ ବିଶାଳକାୟ ଫିକା ଗ୍ରହ । କିନ୍ତୁ ଏହାର ଚତୁଃପାର୍ଶ୍ୱ ଭିନ୍ନ କାହାଣୀ କହୁଛି । ଏହି ଶାନ୍ତ ଗ୍ରହ ଚତୁଃପାଶ୍ୱର୍ର କ୍ଷେତ୍ର ବ୍ୟସ୍ତ, ଉର୍ଜ୍ଜାରେ ପରିପୂର୍ଣ୍ଣ ଏବଂ ନିରନ୍ତର ପରିବର୍ତ୍ତନଶୀଳ । ସଦ୍ୟତମ ଅଧ୍ୟୟନ ଦର୍ଶାଇଛି ଯେ ଶନି ଗ୍ରହର ଚୁମ୍ବକୀୟ କବଚ, ଯାହା ଗ୍ରହକୁ ସୌର ବିକିରଣରୁ ରକ୍ଷା କରୁଥିବା ଅଦୃଶ୍ୟ ଢାଲ, ପୃଥିବୀର ଚୁମ୍ବକୀୟ କବଚ ଭଳି ସମାନ ରୂପେ ବିସ୍ତାର କରିନାହିଁ । ଏହା ଢଳିକି ଅଛି । ନାଟକୀୟ ରୂପେ ବହୁତ ଅଧିକ ନ ହେଲେ ବି ଫରକ ପଡ଼ିବା ଭଳି ।
ଚୁମ୍ବକୀୟ କ୍ଷେତ୍ରଯୁକ୍ତ ପ୍ରତ୍ୟେକ ଗ୍ରହର ଏକ ମ୍ୟାଗ୍ନେଟୋସ୍ଫିୟର (ବଳୟ) ରହିଛି । ଏହା ଏକ କବଚ ଭଳି କାମ କରେ । ସୂର୍ଯ୍ୟଠୁ ଆସୁଥିବା ଚାର୍ଜ କଣିକାଗୁଡ଼ିକର ସ୍ରୋତକୁ ଏହା ପ୍ରତ୍ୟାବର୍ତ୍ତିତ କରେ । ପୃଥିବୀରେ ଏହି କବଚ ଖୁବ୍ ସନ୍ତୁଳିତ । ଏହି ଢାଞ୍ଚା ପ୍ରସାରିତ କିନ୍ତୁ ତଥାପି ଏକ ଅନୁମାନଯୋଗ୍ୟ ମାର୍ଗରେ କେନ୍ଦ୍ରିତ । ଶନିର ମ୍ୟାଗ୍ନେଟୋସ୍ଫିୟର ଅତ୍ୟନ୍ତ ବିଶାଳ । ତା’ଠୁ ଏହା ୧୦ ଗୁଣରୁ ମଧ୍ୟ ଅଧିକ ପ୍ରସ୍ଥରେ ବିସ୍ତୃତ । କିନ୍ତୁ ଏହାର ଆକାର ସମାନ ନୁହେଁ । ଏହାର ମୁଖ୍ୟ ବିଶେଷତ୍ୱ ହେଉଛି କସ୍ପ, ଯେଉଁଠି ସୌର କଣିକାଗୁଡ଼ିକ ବାୟୁମଣ୍ଡଳକୁ ଖସିଥାନ୍ତି, ସେହି ସ୍ଥାନର ସ୍ଥିତି ଠିକ୍ ନାହିଁ ଯାହା ବୈଜ୍ଞାନିକମାନେ ପୂର୍ବରୁ ଆଶା କରୁଥିଲେ । ଦ୍ୱିପ୍ରହର ସମୟରେ ସୂର୍ଯ୍ୟର ସାପେକ୍ଷ ଢଳିବା ବଦଳରେ ଶନିର କସ୍ପ ସାଧାରଣତଃ ଡାହାଣକୁ ଢଳିଛି । ଏକ ଘଡ଼ିର ପ୍ରାୟ ୧ଟାରୁ ୩ଟା ମଧ୍ୟରେ ରହିଛି । ଏହି ଛୋଟ ପରିବର୍ତ୍ତନ ବଡ଼ କାହାଣୀ ବର୍ଣ୍ଣନା କରୁଛି ।
ବୈଜ୍ଞାନିକମାନେ କାସିନି ମହାକାଶଯାନର ୬ ବର୍ଷର ତଥ୍ୟକୁ ବିଶ୍ଳେଷଣ କଲେ । ଏହା ଶନି ଗ୍ରହ ଚତୁଃପାଶ୍ୱର୍ରେ ପରିକ୍ରମା କରି ଏହାର ପରିବେଶକୁ ବିସ୍ତୃତ ଅଧ୍ୟୟନ କରିଥିଲା । ଅଧ୍ୟୟନର ଫଳ ମିଳିତ ଭାବେ କାମ କରୁଥିବା ଦୁଇଟି ମୁଖ୍ୟ ଶକ୍ତିକୁ ଇଙ୍ଗିତ କରିଛି । ପ୍ରଥମତଃ ଶନି ଗ୍ରହ ଦ୍ରୁତ ଘୂରୁଛି । ଗୋଟିଏ ପୂର୍ଣ୍ଣ ପରିକ୍ରମା ଲାଗି ଏହାକୁ ମାତ୍ର ୧୦.୭ ଘଣ୍ଟା ସମୟ ଲାଗୁଛି । ଏହି ଦ୍ରୁତ ଘୂର୍ଣ୍ଣନ ଏହାର ଚୁମ୍ବକୀୟ କ୍ଷେତ୍ରକୁ ନିଜ ସହ ଟାଣୁଛି । ଦ୍ୱିତୀୟତଃ, ଶନି ଗ୍ରହ ଚାର୍ଜ କଣିକା କିମ୍ବା ପ୍ଲାଜ୍ମାର ଏକ ମୋଟା ବାଦଲକୁ ନିଜ ଚତୁଃପାଶ୍ୱର୍କୁ ଟାଣେ । ଏହି ପ୍ଲାଜ୍ମା ମୁଖ୍ୟତଃ ଶନିର ଚନ୍ଦ୍ର ଏନ୍ସେଲାଡସ୍ରୁ ଆସେ । ଏହାର ବରଫପୂର୍ଣ୍ଣ ପୃଷ୍ଠ ମଧ୍ୟରୁ ଜଳୀୟ ବାଷ୍ପ ବାହାର କରେ ।
ଏହି ବାଷ୍ପ ଆୟନଯୁକ୍ତ ହେବା ପରେ ତାହା ପ୍ରଣାଳୀରେ ଓଜନ ବୃଦ୍ଧି କରେ । ମିଳିତ ଭାବେ ଦ୍ରୁତ ଘୂର୍ଣ୍ଣନ ଓ ଏହି ଭାରୀ ପ୍ଲାଜ୍ମା ‘ସୁପ୍’ ଶନିର ଚୁମ୍ବକୀୟ କ୍ଷେତ୍ରକୁ ତା’ର ସ୍ଥାନରୁ ବାହାର କରିଦେଉଥିବା ଭଳି ମନେହୁଏ । ଅଧ୍ୟୟନର ସହ-ଲେଖକ ୟୁନିଭର୍ସିଟି କଲେଜ ଲଣ୍ଡନର ଆଣ୍ଡ୍ର୍ୟୁ କୋଟେସ କହିଛନ୍ତି, କସ୍ପ ସେହି ସ୍ଥାନ ଯେଉଁଠି ସୌର ପବନ ସିଧାସଳଖ ମ୍ୟାଗ୍ନେଟୋସ୍ଫିୟରକୁ ଖସିଯାଏ । ଶନିର କସ୍ପ ସ୍ଥାନ ବିଷୟରେ ଜାଣିବା ଆମକୁ ଅଧିକ ଜ୍ଞାନ ଆହରଣରେ ସାହାଯ୍ୟ କରିବ ଏବଂ ସମଗ୍ର ଚୁମ୍ବକୀୟ ବଳକୁ ମାପିବା ସହଜ ହେବ ।
ଆହୁରି ପଢ଼ନ୍ତୁ...ଗୋଟିଏ ରାତିରେ ବି ଇରାନକୁ ଧ୍ୱଂସ କରି ଦେବୁ, ତାହା ମଙ୍ଗଳବାର ରାତି ହୋଇପାରେ : ଟ୍ରମ୍ପଙ୍କ ବଡ଼ ଦାବି
ଭବିଷ୍ୟତ ମିଶନ- ଖାସ୍କରି ଶନିର ଚନ୍ଦ୍ର ଏନ୍ସେଲାଡସ୍ ପାଇଁ ଶନି ଗ୍ରହ ପୁଣି ଥରେ ବୈଜ୍ଞାନିକଙ୍କ ଧ୍ୟାନ ଆକର୍ଷଣ କରିଛି । ନିଜର ଲୁକ୍କାୟିତ ଉପପୃଷ୍ଠ ମହାସାଗର ଓ ଜୀବଜଗତର ସମ୍ଭାବନା ଯୋଗୁ ଏହି ବରଫପୂର୍ଣ୍ଣ ଚନ୍ଦ୍ର ଆମ ସୌରମଣ୍ଡଳରେ ଅନ୍ୟତମ ସବୁଠୁ ଆକର୍ଷଣୀୟ ସ୍ଥଳୀ ଭାବେ ଉଭା ହୋଇଛି । ଶନିର ଚୁମ୍ବକୀୟ ପରିବେଶକୁ ବୁଝିବା ଏହି ପ୍ରୟାସର ଏକ ଅଂଶ । ଶନି ଓ ଏହାର ଚନ୍ଦ୍ର ଏନ୍ସେଲାଡସ୍କୁ ଫେରିବାର ପ୍ରସ୍ତୁତି ଯୋଜନା ହେଉଥିବା ବେଳେ ଶନିର ପରିବେଶକୁ ଭଲଭାବେ ବୁଝିବା ଅତି ଜରୁରି ହୋଇଛି । ଏଥର ବୈଜ୍ଞାନିକମାନେ ଏଠାରେ ଜୀବନର ସମ୍ଭାବ୍ୟ ସଙ୍କେତ ଓ ବାସଯୋଗ୍ୟତାର ପ୍ରମାଣ ଖୋଜିବେ ।