ଭୁବନେଶ୍ୱର,୨୧/୩: ସତ୍ୟନଗର  ସ୍ଥିତ ଜାଭିୟର୍ସ ସ୍କୁଲକୁ ବନ୍ଦ କରି ଖଣ୍ଡଗିରିରେ  ଥିବା ଏକ ଶାଖାକୁ ସ୍ଥାନାନ୍ତରଣ କରିବାକୁ ନିଷ୍ପତ୍ତି  ନେଇ ବିବାଦ ଦେଖାଦେଇଥିଲା । ଏପରିକି ସ୍କୁଲ  କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ଅଭିଭାବକମାନେ  ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରାଷ୍ଟ୍ରୀୟ ଅଭିଭାବକ ମହାସଂଘ  ତରଫରୁ ଏହି ଘଟଣା ସମ୍ୱନ୍ଧରେ ପ୍ରାଥମିକ  ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । 

ଶିକ୍ଷା ବିଭାଗ ତରଫରୁ ବିସ୍ତୃତ ତଦନ୍ତ କରାଯିବା ପରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ  ଶିକ୍ଷା ଅଧିକାର ଆଇନ୍‌ ଅନୁଯାୟୀ ବିଦ୍ୟାଳୟ ସ୍ଥାନାନ୍ତରଣ ହୋଇପାରିବ ନାହିଁ ଏବଂ ସେଠାରେ ପଢୁଥିବା ପିଲାମାନଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ବିଦ୍ୟାଳୟ ସତ୍ୟନଗରରେ  ଚାଲିବ ବୋଲି ନିର୍ଦ୍ଦେଶାନାମା ଜାରି କରିଥିଲେ ।  ଯାହାକୁ ଖାରଜ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ  ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ମାମଲା ରୁଜୁ  କରାଯାଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ  ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏ  ସଂପର୍କରେ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇ  ମାମଲାକୁ ଖାରଜ କରିଦେଇଛନ୍ତି ।  

ସେହିପରି ଅଭିଭାବକମାନଙ୍କ ତରଫରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ କାଏମ  ରଖିବା ପାଇଁ ମଧ୍ୟ ଏକ ମାମଲା ହାଇକୋର୍ଟରେ ଦାଖଲ କରାଯାଇଥିଲା, ଯାହାର ଶୁଣାଣି କରି  ହାଇକୋର୍ଟ ଅଭିଭାବକମାନଙ୍କୁ ପ୍ରାଥମିକ ଶିକ୍ଷା  ନିର୍ଦ୍ଦେଶକଙ୍କ ଶୁଣାଣି ସମୟରେ ପକ୍ଷଭୁକ୍ତ କରିବା  ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।