ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର ଆସିଛି । ରବିବାର ଏସବିଆଇର ସମସ୍ତ ପ୍ରକାର ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସେପ୍ଟେମ୍ବର ୭ ଦିନ ୧.୨୦ରୁ ୨.୨୦ ପର୍ଯ୍ୟନ୍ତ ଏହି ସବୁ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଘୋଷଣା କରିଛି ଯେ, ଏହାର ଇଣ୍ଟରନେଟ୍ ବ୍ୟାଙ୍କିଂ, ୟୋନୋ ଲାଇଟ୍ ଏବଂ ଇଣ୍ଟରନେଟ୍ ସମ୍ପର୍କିତ ସେବା ଆସନ୍ତାକାଲି ବନ୍ଦ ରହିବ। ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ଏହି ସେବାଗୁଡ଼ିକ ଅସ୍ଥାୟୀ ଭାବରେ ବନ୍ଦ ରହିବ ।
ଏହି ସମୟ ମଧ୍ୟରେ ୟୁପିଆଇ ଲାଇଟ୍ ଏବଂ ଏଟିଏମ ସେବା କାର୍ଯ୍ୟକ୍ଷମ ହେବ । ଏସବିଆଇ ତାର ଗ୍ରାହକମାନଙ୍କୁ କୌଣସି ଅସୁବିଧାକୁ ଏଡାଇବା ପାଇଁ ସମୟ ଅନୁସାରେ ସେମାନଙ୍କର ଅନଲାଇନ୍ କାମ କରିବାକୁ ପରାମର୍ଶ ଦେଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ତାର ଗ୍ରାହକମାନଙ୍କ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ବ୍ୟାଙ୍କ ସୂଚନା ଦେଇଛି ଯେ, ରକ୍ଷଣାବେକ୍ଷଣ ଯୋଗୁଁ ଇଣ୍ଟରନେଟ୍ ବ୍ୟାଙ୍କିଂ, ରିଟେଲ୍, ମର୍ଚ୍ଚାଣ୍ଟ, ୟୋନୋ ଲାଇଟ୍, ସିଆଇଏନବି, ବ୍ୟବସାୟ ୱେବ୍ସାଇଟ୍ ଏବଂ ମୋବାଇଲ୍ ଆପ୍ ପ୍ରଭାବିତ ହେବ।
ଏପରି ସ୍ଥିତିରେ ଟଙ୍କା ନେଣଦେଣ ପାଇଁ ୟୁପିଆଇ ଲାଇଟ୍ ହିଁ କାମରେ ଆସିବ । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ୱେବସାଇଟ୍ ଅନୁଯାୟୀ, UPI ଲାଇଟ୍ ୧୦୦୦ ଟଙ୍କାରୁ କମ୍ ମୂଲ୍ୟର କାରବାର ପାଇଁ ଦ୍ରୁତ ଏବଂ ପିନ୍-ବିହୀନ ପେମେଣ୍ଟକୁ ସକ୍ଷମ କରିବ । ଏହାସହ ଏହି ସମୟ ମଧ୍ୟରେ ଏସବିଆଇ ଏଟିଏମ ମଧ୍ୟ କାର୍ଯ୍ୟ କରିବ ।