ନୂଆଦିଲ୍ଲୀ,୭।୧: ସୋସିଆଲ ମିଡିଆ ଓ ହ୍ବାଟସଆପ୍ରେ ଏକ ମେସେଜ୍ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏଥିରେ ଦାବି କରାଯାଇଛି ଯେ,ଯଦି ଏସବିଆଇ ଗ୍ରାହକ ନିଜ ଆଧାର ଅପଡେଟ୍ ନକରନ୍ତି, ତେବେ ତାଙ୍କର ଏସବିଆଇ ୟୋନୋ ଆପ୍ ବ୍ଲକ୍ କରି ଦିଆଯିବ। ଏହି ମେସେଜ୍ରେ ଲୋକଙ୍କୁ ଏକ ଏପିକେ ଫାଇଲ ଡାଉନୋଲଡ୍ କରିବାକୁ କୁହାଯାଉଛି। ଯାହାକୁ ଆଧାର ଅପଡେଟ୍ ପ୍ରଣାଳୀ ମଧ୍ୟ କୁହାଯାଉଛି। ବହୁବାର ଲୋକ ଭୟରେ କିଛି ଭାବି ନବିଚାରି ଏଭଳି ଲିଙ୍କ ଉପରେ କ୍ଲିକ୍ କରିଦେଇଥାନ୍ତି,ଯାହାକି ଆଗକୁ ଭାରି କ୍ଷତିକାରକ ହୋଇପାରେ।
ଠକେଇରୁ କିଭଳି ବଞ୍ଚିବେ ?
ପିଆଇବି ଫାକ୍ଟ ଚେକ୍ରୁ ଏହା ସ୍ପଷ୍ଟ ଜଣାପଡିଛି ଯେ,ଏଭଳି ଦାବି ସମ୍ପୂର୍ଣ୍ଣ ଭାବରେ ନକଲି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କେବେ ବି ନିଜର ଗ୍ରାହକଙ୍କୁ ଏପିକେ ଫାଇଲ୍ ଡାଉନଲୋଡ୍ କରିବା କିମ୍ବା ହ୍ବାଟସଆପ୍/ସୋସିଆଲ ମିଡିଆ ଜରିଆରେ ଆଧାର କିମ୍ବା ବ୍ୟାଙ୍କିଙ୍ଗ ଡିଟେଲ୍ସ ମାଗିବାକୁ କୁହନ୍ତି ନାହିଁ। ଏଭଳି ନକଲି ମେସେଜର ଉଦେଶ୍ୟ ନା କେବଳ ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଲିକ୍ କରିବା କିମ୍ବା ବ୍ୟାଙ୍କ ଆକାଉଣ୍ଟ ଖାଲି କରିବା ଭଳି ହୋଇଥାଏ। ଯଦି ଆପଣ ଏସ୍ବିଆଇ ୟୋନୋ ଆପ୍ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍ ଜରୁରୀ।
କ’ଣ ରହିଛି ଭାଇରାଲ ଦାବି ?
ଭାଇରାଲ ମେସେଜ୍ରେ କୁହାଯାଇଛି, ଯଦି ଆପଣଙ୍କ ଆଧାର ଅପଡେଟ୍ ନାହିଁ,ତେବେ ଏସବିଆଇ ୟୋନୋ ଆପ୍କୁ ବ୍ଲକ୍ କରି ଦିଆଯିବ। ଆଧାର ଅପଡେଟ୍ କରିବା ପାଇଁ ଏପିକେ ଫାଇଲ ଡାଉନଲୋଡ୍ କରନ୍ତୁ। ଏହି ସବୁ କଥା ସମ୍ପୂର୍ଣ୍ଣ ଭାବରେ ଭୁଲ ଓ ଭ୍ରମାତ୍ମକ।
ପିଆଇବି ଫାକ୍ଟ ଚେକ୍ କ’ଣ କୁହେ ?
ପିଆଇବି ଫାକ୍ଟ ଚେକ୍ ‘ଏକ୍ସ’ରେ ଓ ଅନ୍ୟ ପ୍ଲାଟଫର୍ମରେ ସ୍ପଷ୍ଟ କରିଛି ଏହି ମେସେଜ୍ ନକଲି। ଏସ୍ବିଆଇ କୌଣସି ଗ୍ରାହକଙ୍କୁ ଏପିକେ ଡାଉନଲୋଡ୍ କରିବାକୁ କୁହେନି, କେବଳ କୁହେ ବ୍ୟାଙ୍କ କେବେ ବି ଆଧାର, ଓଟିପି, ପିନ୍ କିମ୍ବା ବ୍ୟାଙ୍କ ଡିଟେଲ୍ସ ଫୋନ୍/ ମେସେଜ୍ ମାଗିନଥାଏ।
ଏପିକେ ଫାଇଲ କେତେ ବିପଦଜନକ ?
ଏପିକେ ଫାଇଲ ପ୍ରକୃତରେ ଏଭଳି ଆପ୍, ଯାହାକି ଆପଣଙ୍କ ଫୋନ୍ ପୁରା କନଟ୍ରୋଲ ନେଇପାରେ। ଓଟିପି ପଢିପାରେ। ବ୍ୟାଙ୍କିଙ୍ଗ ଆପ୍ରେ ସୂଚନା ଚୋରାଇପାରେ। କିଛି ମିନିଟ୍ରେ ଆକାଉଣ୍ଟ ଖାଲି କରିପାରେ। ଏହି କାରଣରୁ ସରକାରୀ ଏଜେନ୍ସି ବାରମ୍ବାର ଏପିକେ ଲିଙ୍କ ପ୍ରତି ସାବଧାନ ରହିବାକୁ ଚେତାବନୀ ଦେଇଥାନ୍ତି।
ଏସବିଆଇର ସ୍ପଷ୍ଟ ବାର୍ତ୍ତା
ଏସବିଆଇ ସ୍ପଷ୍ଟ କରିଛି ଯେ,ଆଧାର ଅପଡେଟ୍ର କୌଣସି ପକ୍ରିୟା ବ୍ରାଞ୍ଚ, ୟୋନୋ ଆପ୍ କିମ୍ବା ଅଫିସିଆଲ ଓ୍ବେବସାଇଟ୍ରୁ ହୋଇଥାଏ। ହ୍ବାଟସଆପ୍ କିମ୍ବା ଏସ୍ଏମ୍ଏସ୍ରୁ କୌଣସି ଲିଙ୍କ୍ ପଠାଯାଏ ନାହିଁ। କୌଣସି ଥାର୍ଡ ପାର୍ଟି ଆପ୍କୁ ଡାଉନଲୋଡ୍ କରିବା ଦରକାର ହେବନି।
ଭୁଲରେ ଲିଙ୍କ ହୋଇଥିଲେ?
ଯଦି ଭୁଲରେ ଲିଙ୍କ ଉପରେ କ୍ଲିକ୍ କରି ଏପିକେ ଡାଉନଲୋଡ୍ କରିଛନ୍ତି, ତେବେ ତୁରନ୍ତ ଫୋନ୍କୁ ଏରୋପ୍ଲେନ୍ ମୋଡ୍ରେ ରଖନ୍ତୁ। ସେହି ଆପ୍କୁ ତୁରନ୍ତ ଡିଲିଟ୍ କରନ୍ତୁ। ବ୍ୟାଙ୍କ କଷ୍ଟମର କେୟାର ସହ ଯୋଗାଯୋଗ କରନ୍ତୁ। ୟୋନୋ ଓ ବ୍ୟାଙ୍କ ଆକାଉଣ୍ଟର ପାସଓ୍ବାର୍ଡ ବଦଳାନ୍ତୁ। ନିକଟସ୍ଥ ସାଇବର କ୍ରାଇମ୍ ପୋଟ୍ରାଲରେ ଅଭିଯୋଗ କରନ୍ତୁ।