ନୂଆଦିଲ୍ଲୀ,୨୩/୦୩: ସ୍ୱାମୀ-ସ୍ତ୍ରୀଙ୍କର ଆର୍ଥିକ ଓ ସାମାଜିକ ସ୍ଥିତି ସମାନ ଥିଲେ ପତ୍ନୀଙ୍କୁ ଭରଣପୋଷଣ ଦେବାର  ଆବଶ୍ୟକତା ନାହିଁ । ଜଣେ ମହିଳାଙ୍କ ଆବେଦନ ଉପରେ  ଶୁଣାଣିବେଳେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।  ବିଚାରପତି ଜଷ୍ଟିସ୍‌ ଅଭୟ ଏସ୍‌.ଓକା ଓ ଜଷ୍ଟିସ୍‌ ଉଜ୍ଜ୍ୱଳ  ଭୂୟାଁଙ୍କର ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ରାୟରେ  ଖଣ୍ଡପୀଠ କହିଥିଲେ, ଆବେଦନକାରୀ ଓ ତାଙ୍କର ସ୍ୱାମୀ ଉଭୟ ଗୋଟିଏ ପଦ(ସହାୟକ ପ୍ରଫେସର)ରେ କାର୍ଯ୍ୟରତ । 

ମହିଳାଜଣକ ଆତ୍ମନିର୍ଭର ହୋଇଥିବାରୁ ନିଜ ଆବଶ୍ୟକତା ପୂରଣ କରିବାରେ ସକ୍ଷମ । ନିଜ ଆୟରେ ସେ ଜୀବନନିର୍ବାହ  କରିପାରିବେ । ତେଣୁ ତାଙ୍କ ସ୍ୱାମୀଙ୍କୁ ଭରଣପୋଷଣ ଦେବାର  ଆବଶ୍ୟକତା ନାହିଁ । ଏପରିସ୍ଥଳେ ଏହି ଆବେଦନକୁ ଖାରଜ କରାଯାଉଛି । ମହିଳା ଜଣକର ନିଜସ୍ୱ ରୋଜଗାର ଥିଲେ ମଧ୍ୟ ବିବାହ ବିଚ୍ଛେଦ ପରେ ଭରଣପୋଷଣ ଲାଗି ଆବେଦନରେ ଦାବି କରିଥିଲେ । ସେଥିରେ ଦର୍ଶାଇଥିଲେ ଯେ, ତାଙ୍କ  ସ୍ୱାମୀଙ୍କ ଆୟ ମାସିକ ପ୍ରାୟ ୧ ଲକ୍ଷ ହୋଇଥିବାବେଳେ  ସେ ୬୦ ହଜାର ଟଙ୍କା ପାଉଛନ୍ତି । ତେଣୁ ସ୍ୱାମୀ ତାଙ୍କୁ  ଭରଣପୋଷଣ ପ୍ରଦାନ କରିବା ଉଚିତ୍‌ । ନିମ୍ନ ଅଦାଲତ  ଓ ମଧ୍ୟପ୍ରଦେଶ ହାଇକୋର୍ଟ ମହିଳାଙ୍କର ଦାବିକୁ ଖାରଜ  କରିଦେବାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।