ନୂଆଦିଲ୍ଲୀ,୨।୫:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ବେଳେ ମମତା ବାନାର୍ଜୀଙ୍କ ଟିଏମ୍ସି ଏବଂ ବିଜେପି ଭିତରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା। ଦୁଇଟି ପର୍ଯ୍ୟାୟରେ ଭୋଟିଂ ଶେଷ ହେବା ପରେ ଏବେ ଟିଏମସିର ଲଢେଇ ନିର୍ବାଚନ କମିଶନ୍ ସହ ଆରମ୍ଭ ହୋଇସାରିଛି। ମମତାଙ୍କ ପାର୍ଟି ଭୋଟ୍ ଗଣତି ପାଇଁ ସୁପରଭାଇଜର ଓ ସହାୟକ ଭାବରେ କେନ୍ଦ୍ର ସରକାର ଓ ପିଏସ୍ୟୁ କର୍ମଚାରୀଙ୍କ ମୁତୟନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ଆଇନଗତ ଲଢେଇ କରିଛି। କୋଲକାତା ହାଇକୋର୍ଟରେ ଆବେଦନ ଖାରଜ ହେବାପରେ ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି।

ସୁପ୍ରିମକୋର୍ଟ ଶନିବାର ଶୁଣାଣି ବେଳେ ଏହା ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ କମିଶନଙ୍କ ପାଖରେ ଏହି କଥାର ସ୍ବତନ୍ତ୍ର ଅଧିକାର ରହିଛି ଯେ, ଜନଗଣନା ପାଇଁ କେଉଁ ଅଧିକାରୀଙ୍କୁ ଚୟନ କରିବ। ଜଷ୍ଟିସ୍ ବାଗଚୀ କହିଛନ୍ତି. ଏହି ବିକଳ୍ପ ଖୋଲା ରହିଛି ଯେ ଭୋଟ ଗଣତି ସୁପରଭାଇଜର ଓ ଗଣନା ସହାୟକ କେନ୍ଦ୍ର ସରକାରଙ୍କ ହୋଇପାରେ କିମ୍ବା ରାଜ୍ୟ ସରକାରଙ୍କ। ଏଥିପାଇଁ ଯେତେବେଳେ ବିକଳ୍ପ ଖୋଲା ରହିଛି ତେବେ ଏହା ମାନି ହେବନି ଯେ, ନୋଟିଫିକେସନ୍ ନିୟମର ବିପରୀତ ରହିଛି।’

ସୁପ୍ରିମକୋର୍ଟ ଏହି ଟିପ୍ପଣୀ ପରେ ଟିଏମସି ନିଜର ଆଭିମୁଖ୍ୟରେ ୟୁ-ଟର୍ନ ନେଇ ନିର୍ବାଚନ କମିଶନଙ୍କ ସର୍କୁଲାରକୁ କଡାକଡି ଭାବରେ ଲାଗୁ କରିବାର ଦାବି କରିଛି। ଏହାର ଜବାବ୍ରେ କମିଶନ୍ କୋର୍ଟଙ୍କୁ ଆଶ୍ବାସନା ଦେଇଛି ଯେ, ଗାଇଡଲାଇନକୁ ଠିକ୍ ଭାବରେ ପାଳନ କରାଯାଉଛି। ଉଲ୍ଲେଖନୀୟ ଯେ, ଏହି ଆବେଦନ ଉପରେ ଶୁଣାଣି ପାଇଁ ଜଷ୍ଟିସ୍ ପମିଦିଘତମ୍ ନରସିହ୍ନା ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇଛି।

ସୁପ୍ରିମକୋର୍ଟରେ ଟିଏମସି ପକ୍ଷରୁ କେସ୍ ଲଢୁଛନ୍ତି ବରିଷ୍ଠ ଆଇନଜୀବି କପିଲ୍ ସିବଲ୍। ସେ ସୁପ୍ରିମକୋର୍ଟଙ୍କ ଆଗରେ ୪ଟି ମୁଖ୍ୟ ଅଭିଯୋଗ ରଖିଛନ୍ତି। ସେ ଦଲିଲ ଦେଖିଛନ୍ତି, ମୁତୟନ ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ୧୩ ଅପ୍ରେଲରେ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ ପାର୍ଟିକୁ ଏହାର ସୂଚନା ୨୯ ଅପ୍ରେଲରେ ମିଳିଥିଲା। ଏହାଦ୍ବାରା ଦଳକୁ ଠିକ୍ ସମୟରେ ଜବାବ୍ ଦେବାର ସୁଯୋଗ ମିଳିପାରିନଥିଲା। ମତଦାନ କେନ୍ଦ୍ରରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କପିଲ ସିବଲ୍ କହିଛନ୍ତି। ସେ କୋର୍ଟଙ୍କୁ କହିଛନ୍ତି, ଦ୍ବିତୀୟ ପ୍ରସଙ୍ଗ ଏହା ଯେ, ତାଙ୍କୁ ଲାଗୁଛି ପ୍ରତି ବୁଥରେ କିଛି କିଛି ସମସ୍ୟା ହୋଇପାରେ। ତାଙ୍କୁ ଏହି ସୂଚନା କେଉଁଠୁ ମିଳିଲା ? ଏହା ଚକିତ କରିଦେବା ଭଳି କଥା। କେନ୍ଦ୍ର ସରକାରଙ୍କ ଅଧିକାରୀ ପୂର୍ବରୁ ହିଁ ପ୍ରତି ଗଣତି ଟେବଲରେ ମାଇକ୍ରୋ ଅବଜରଭର ଭାବରେ ଅଛନ୍ତି। ଏବେ ସେମାନେ ଆଉ ଏକ କେନ୍ଦ୍ର ସରକାରଙ୍କ ଅଧିକାରୀ କାହିଁକି ଚାହୁଁଛନ୍ତି। ଶୁଶାଣି ବେଳେ ନିର୍ବାଚନ କମିଶନ୍ ସୁପ୍ରିମକୋର୍ଟଙ୍କୁ ଭରସା ଦେଇଛନ୍ତି ଯେ, ପଶ୍ଚିମବଙ୍ଗରେ ବିଧାନଭା ନିର୍ବାଚନ ପାଇଁ ଭୋଟ ଗଣତିର ସୁପର ଭାଇଜରଙ୍କ ନିଯୁକ୍ତି ସମ୍ପର୍କିତ ସର୍କୁଲାର ପାଳନ କରିବ।