କାର୍ତ୍ତିଙ୍କୁ ଇଡି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ, ତଦନ୍ତରେ ସହଯୋଗ ନ କଲେ କଡ଼ା ପଦକ୍ଷେପ ନିଆଯିବ: ସୁପ୍ରିମକୋର୍ଟ

source:www.hindustantimes.com
ନୂଆଦିଲ୍ଲୀ,୩୦ ।୧(ଏଜେନ୍ସି): ଏୟାରସେଲ-ମ୍ୟାକ୍ସିସ୍ ବୁଝାମଣା, ଆଇଏନଏକ୍ସ ମିଡିଆ ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କୁ ସୁପ୍ରିମକୋର୍ଟ ବୁଧବାର ତାଗିଦ୍ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଜେରାରେ ସହଯୋଗ କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଏପରି ନ କରିବେ ତାହେଲେ କଡ଼ା ପଦକ୍ଷେପ ନିଆଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି ।
ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କାର୍ତ୍ତିଙ୍କୁ ମାର୍ଚ୍ଚ ୫, ୬, ୭ ଓ ୧୨ ତାରିଖରେ ଜେରା ପାଇଁ ଇଡି ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ତାଙ୍କୁ କହିଛନ୍ତି ଯେ, ତୁମେ ଯେଉଁଠାକୁ ଯିବାକୁ ଚାହୁଁଛ ଯାଇପାରିବ, ଯାହା କରିବାକୁ ଚାହୁଁଛ କରିପାରିବ, କିନ୍ତୁ ଆଇନ ସହ ଖେଳନାହିଁ । ଯଦି ତୁମ ପକ୍ଷରୁ ଅସହଯୋଗର ଅଭିଯୋଗ ଆସେ ତା’ ହେଲେ ଆମକୁ ଶକ୍ତ ହେବାକୁ ପଡ଼ିବ । ଏଥିସହିତ କାର୍ତ୍ତିଙ୍କ ବିଦେଶ ଯାତ୍ରାକୁ କୋର୍ଟ କିଛି ସର୍ତ୍ତ ସହ ମଞ୍ଜୁରୀ ଦେଇଛନ୍ତି । କୋର୍ଟଙ୍କ ଅନୁସାରେ ବିଦେଶ ଯାତ୍ରା ପାଇଁ ତାଙ୍କୁ ରେଜେଷ୍ଟ୍ରି ସହିତ ୧୦ କୋଟି ଟଙ୍କା ଦାଖଲ କରିବାକୁ ପଡ଼ିବ । ସେ ଫେରି ଆସିବେ ଏବଂ ତଦନ୍ତକାରୀ ସଂସ୍ଥା ସହ ସହଯୋଗ କରିବେ ବୋଲି ଲିଖିତ ଭାବେ ଦେବାକୁ ପଡ଼ିବ ।