PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ, ଏବର୍ଷଠୁ ବସ୍ତାନି ହାଲୁକା

source:www.vectorstock.com

କଟକ,୯ା୩(ବ୍ୟୁରୋ): ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ବହି ବସ୍ତାନିର ବୋଝ କମିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଗାଇଡ୍‌ଲାଇନ୍‌ ଆଧାରରେ ପ୍ରତ୍ୟେକ ବିଦ୍ୟାଳୟ ସେମାନଙ୍କର ପାଠ୍ୟକ୍ରମ ପ୍ରସ୍ତୁତ କରିବେ । ଚଳିତ ଶିକ୍ଷାବର୍ଷ ଅର୍ଥାତ ୨୦୧୮-୧୯ରୁ ପ୍ରତ୍ୟେକ ବିଦ୍ୟାଳୟରେ ଏହି ନିୟମ ପାଳନ କରାଯିବ । ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ଅଣଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟ ସମସ୍ତେ ଏହି ଗାଇଡ୍‌ଲାଇନ୍‌କୁ ମାନି କାର୍ଯ୍ୟ କରିବେ । ଯଦି କୌଣସି ବିଦ୍ୟାଳୟ ଏହି ନିୟମର ଉଲ୍ଲଂଘନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଲାଙ୍କ ବସ୍ତାନିର ବୋଝ ହାଲୁକା କରିବା ନେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ରେମିସ୍‌ କେର୍‌କେଟା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଆସନ୍ତା ସୋମବାର ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସରକାରଙ୍କ ସତ୍ୟପାଠରେ କୁହାଯାଇଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ଏକ ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ର ସରକାର ୨୦୧୮ ନଭେମ୍ବର ୨୦ ତାରିଖରେ ଜାରି କରିଥିବା ଗାଇଡ୍‌ଲାଇନ୍‌ ଉପରେ ଆଲୋଚନା କରାଯାଇଥିଲା । ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ ଓଡ଼ିଶା ସରକାର ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି । ଏହାକୁ ଅନୁସରଣ କରିବାକୁ ଗତକାଲି ଅର୍ଥାତ ମାର୍ଚ୍ଚ ୮ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଚିଠି କରାଯାଇଛି । ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏସ୍‌ସିଇଆର୍‌ଟି (ଷ୍ଟେଟ୍‌ କାଉନ୍‌ସିଲ ଅଫ୍‌ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) କିମ୍ୱା ବିଏସ୍‌ଇ (ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ) ଦ୍ୱାରା ଯେଉଁ ବିଦ୍ୟାଳୟ ଲାଗି ଯେତିକି ପାଠ୍ୟପୁସ୍ତକ ଧାର୍ଯ୍ୟ କରାଯିବ ତା’ଠାରୁ କୌଣସି ବିଦ୍ୟାଳୟ ଅଧିକ ପୁସ୍ତକ ପିଲାଙ୍କ ଉପରେ ଲଦିଦେଇ ପାରିବେ ନାହିଁ ।
ପିଲାମାନଙ୍କୁ ପାଠ ପଢ଼ିବାର ସ୍ୱାଧୀନତା ଦିଆଯିବ । ଲାଇବ୍ରେରୀରେ ଅଧ୍ୟୟନ କରିବା, ବିଭିନ୍ନ ଖେଳ ଖେଳିବା ଲାଗି ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଗୁରୁତ୍ୱ ଦିଆଯିବ । ଏଥିସହ, ମାର୍ଗଦର୍ଶିକାରେ କୁହାଯାଇଛି କି ପାଠପଢ଼ାରେ ଗାଇଡ୍‌ ବ୍ୟବହାରକୁ ବନ୍ଦ କରିବା ଆବଶ୍ୟକ । ବିଦ୍ୟାଳୟର ଏକ ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରସ୍ତୁତ ହେବା ଆବଶ୍ୟକ । ଯେଉଁଥିରେ ବିଦ୍ୟାଳୟ ପାଇଁ ସମୟ ନିର୍ଘଣ୍ଟ, ପରୀକ୍ଷା ସମୟ ଆଦି ଉଲ୍ଲେଖ ଥିବ । ପିଲାଙ୍କର ମୌଳିକ ଦକ୍ଷତା ବିକାଶ ଦିଗରେ ବିଶେଷ ଭାବେ ଧ୍ୟାନ ଦେବା ଆବଶ୍ୟକ । ବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ଆଲୋଚନାକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ଶ୍ରେଣୀ ଗୃହରେ ପିଲାମାନେ ସାମ୍ପ୍ରତିକ ଘଟଣା, ବିଭିନ୍ନ ସ୍ଥାନ ପରିଦର୍ଶନକୁ ଯିବେ । ସେମାନଙ୍କର ଅଭିଜ୍ଞତା, ବୁକ୍‌ ରିଭ୍ୟୁ ଆଦି ଉପରେ ଗୁରୁତ୍ୱ ଦିଆଯିବ । ସଂଧ୍ୟା ସମୟରେ ସେମାନଙ୍କୁ ଟ୍ୟୁସନ୍‌ କିମ୍ବା ହୋମୱାର୍କ ଦିଆଯିବା ପରିବର୍ତ୍ତେ ଖେଳ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ନିୟମାବଳୀରେ ଦର୍ଶାଯାଇଛି ।
କେଉଁ ଶ୍ରେଣୀ ଲାଗି କେତୋଟି ବହି ରହିବ ସେ ସମ୍ପର୍କରେ ମଧ୍ୟ ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ପ୍ରଥମରୁ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଲାଗି ମାତ୍ର ଦୁଇଟି ବହି ରହିବ । ବ୍ୟାଗ୍‌ର ଓଜନ ଦେଢ଼ କେଜିରୁ ଅଧିକ ବଢିବ ନାହିଁ । ଯେଉଁଥିରେ ମାତୃଭାଷା, ଇଂରାଜୀ ଏବଂ ଗଣିତ ରହିବ । ଏହି ପିଲାମାନଙ୍କୁ କୌଣସି ହୋମ୍‌ୱାର୍କ ଦିଆଯିବ ନାହିଁ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଲାଗି ୪ଟି ପୁସ୍ତକ ରହିଛି । ଏହିସବୁ ବହିର ଓଜନ ୨ରୁ ୩କେଜି ମଧ୍ୟରେ ରହିବ । ଏଥିରେ ମାତୃଭାଷା, ଇଂରାଜୀ, ଗଣିତ ସହ ପରିବେଶ ବିଜ୍ଞାନ ରହିବ । ଏହି ପୁସ୍ତକ ସହ ଯେଉଁ ପ୍ରୋଜେକ୍ଟ ଏବଂ ଅନ୍ୟାନ୍ୟ କରିକୁଲମ୍‌ ରହିଛି ତାହାକୁ ପ୍ରତିଦିନ ପିଲାମାନେ ବିଦ୍ୟାଳୟକୁ ଆଣିବେ ନାହିଁ । ପ୍ରତ୍ୟେକ ବିଦ୍ୟାଳୟରେ ପିଲାମାନଙ୍କୁ ଶୁଦ୍ଧ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିବେ । ଯାହାଦ୍ୱାରା କି’ ପିଲାମାନେ ବ୍ୟାଗ୍‌ରେ ଘରୁ ଆଉ ପାଣି ବୋତଲ ବୋହି ବିଦ୍ୟାଳୟକୁ ଆସିବେ ନାହିଁ । ପଞ୍ଚମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଲାଗି ବସ୍ତାନିର ବୋଝ ୪ କେଜି ଟପିବ ନାହିଁ । ଅଷ୍ଟମରୁ ନବମ ସାଢ଼େ ୪ କେଜି ଏବଂ ଦଶମ ଶ୍ରେଣୀ ପିଲାଙ୍କ ଲାଗି ବସ୍ତାନି ବୋଝ ୫ କେଜି ଟପିବ ନାହିଁ ।
ପିଲାମାନେ ବ୍ୟାଗ୍‌ କିପରି ବୋହିବେ ସେ ସଂକ୍ରାନ୍ତରେ ମଧ୍ୟ ଏହି ଗାଇଡ୍‌ଲାଇନ୍‌ରେ କେତେକ ପରାମର୍ଶ ଦିଆଯାଇଛି । ଗୋଟିଏ କାନ୍ଧରେ ବ୍ୟାଗ୍‌ ନବୋହି ପିଲାମାନେ ଦୁଇ କାନ୍ଧରେ ବ୍ୟାଗ୍‌ ବୋହିବେ । ବସ୍‌କୁ ଅପେକ୍ଷା କରିଥିବା ସମୟରେ ପିଲାମାନେ ବ୍ୟାଗ୍‌ ଝୁଲାଇ ରଖିବେ । ବିଦ୍ୟାଳୟଗୁଡିକ ଏକଥା ମଧ୍ୟ ନିଶ୍ଚିତ କରିବେ ଯେ, ଯେପରି ପ୍ରତ୍ୟେକ ପିଲା କେବଳ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ବହି ଆଣନ୍ତି । ବସ୍ତାନିର ବୋଝ ପାଇଁ ପିଲାମାନଙ୍କର ଯେଉଁସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି ସେ ସଂକ୍ରାନ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଅଭିଭାବକଙ୍କୁ ଅବଗତ କରିବେ । ଏ ନେଇ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଲାଗି ବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେବେ । ଏସ୍‌ସିଇଆର୍‌ଟି ଅନୁମୋଦନ ଛଡ଼ା ଅନ୍ୟ କୌଣସି ବହି ବିଦ୍ୟାଳୟ କର୍ତ୍ତୃପକ୍ଷ ଆଣିବା ପାଇଁ ପିଲାଙ୍କୁ ବାଧ୍ୟ କରିବେ ନାହିଁ । ବିଦ୍ୟାଳୟ କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ପିଲାମାନଙ୍କ ବ୍ୟାଗ୍‌ ଯାଞ୍ଚ କରିବେ ଯେପରି କୌଣସି ପିଲା ଅଧିକ ବହି ଆଣିବେନି । ବସ୍ତାନି ବୋଝ କମାଇବା ଲାଗି ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ କହ୍ନେୟାଲାଲ୍‌ ଶର୍ମା ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାର ଶୁଣାଣି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଉପରୋକ୍ତ ଜବାବ ରଖିଛନ୍ତି ।