ଉତ୍ତରପ୍ରଦେଶ, ୨୦।୪: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ାରେ ସୋମବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ଭ୍ୟାନ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯିବା ଫଳରେ ଅନେକ କୋମଳମତି ଶିଶୁ ଆହତ ହୋଇଛନ୍ତି । ଗ୍ରେଟର ନୋଏଡ଼ାର ବେଟା-୨ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ସୋମବାର ସକାଳେ 'ଅସପିସିଅସ୍ ଏକାଡେମୀ' ସ୍କୁଲର ଏକ ଭ୍ୟାନ୍ ପିଲାମାନଙ୍କୁ ଧରି ସ୍କୁଲ ଯାଉଥିଲା । ବେଟା-୨ ଅଞ୍ଚଳରେ ଚାଳକ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡ଼ିଟି ପ୍ରଥମେ ରାସ୍ତା ତଳକୁ ଖସି ଯାଇଥିଲା ଏବଂ ପରେ ଏକ ଗଛରେ ଜୋରରେ ପିଟି ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି ।
ଆହତଙ୍କ ଚିକିତ୍ସା ଜାରି:
ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି ଶିଶୁର ମୃତ୍ୟୁ ଘଟିଥିବା ଖବର ମିଳିନାହିଁ । ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଗାଡ଼ିର ଭୟଙ୍କର ଅବସ୍ଥା ଦେଖିବାକୁ ମିଳୁଛି ।
ସପ୍ତାହକ ମଧ୍ୟରେ ଦ୍ୱିତୀୟ ବଡ଼ ଦୁର୍ଘଟଣା:
ଗ୍ରେଟର ନୋଏଡ଼ାରେ ଗୋଟିଏ ସପ୍ତାହ ମଧ୍ୟରେ ସ୍କୁଲ ଗାଡ଼ି ଦୁର୍ଘଟଣାର ଏହା ହେଉଛି ଦ୍ୱିତୀୟ ଘଟଣା । ଗତ ସପ୍ତାହରେ ଦାଦ୍ରି ଅଞ୍ଚଳରେ ଦୁଇଟି ସ୍କୁଲ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦାଦ୍ରି ବାଇପାସ୍ରେ 'ଜିସସ୍ ଆଣ୍ଡ ମେରୀ କନଭେଣ୍ଟ' ଏବଂ 'ରାମାଜ୍ଞା ସ୍କୁଲ'ର ଦୁଇଟି ଘରୋଇ ସ୍କୁଲ ବସ୍ ପରସ୍ପର ସହ ପିଟି ହୋଇଥିଲା । ଏକ ବସ୍ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ବସ୍ଟି ଦ୍ରୁତ ଗତିରେ ଆସି ସମ୍ମୁଖରୁ ଧକ୍କା ଦେଇଥିଲା । ସେହି ଦୁର୍ଘଟଣାରେ ମଧ୍ୟ ଗାଡ଼ି ଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ଏବଂ ପାଖାପାଖି ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ ।
ଏହା ବି ପଢ଼ନ୍ତୁ... ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଖାଇକୁ ଖସିଲା ଯାତ୍ରୀବାହୀ ବସ୍, ୧୫ ମୃତ୍ୟୁ ଆଶଙ୍କା !
ଅଭିଭାବକଙ୍କ ମଧ୍ୟରେ ବଢ଼ୁଛି ଚିନ୍ତା:
ଗ୍ରେଟର ନୋଏଡ଼ା ଅଞ୍ଚଳରେ ବାରମ୍ବାର ସ୍କୁଲ ଗାଡ଼ି ଦୁର୍ଘଟଣା ଘଟିବା ଫଳରେ ଅଭିଭାବକମାନେ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଏବଂ ଗାଡ଼ି ଚାଳକଙ୍କ ବେପରୁଆ ମନୋଭାବ ଯୋଗୁଁ ପିଲାମାନଙ୍କ ଜୀବନ ବିପଦରେ ପଡ଼ୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ ସ୍କୁଲ ଗାଡ଼ିଗୁଡ଼ିକର କଡ଼ା ଯାଞ୍ଚ ପାଇଁ ଦାବି ହେଉଛି ।