ଜମ୍ମୁ-କାଶ୍ମୀର, ୨୦।୪: ଜମ୍ମୁ-କାଶ୍ମୀରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୋମବାର ସକାଳେ ରାମନଗର-ଉଧମପୁର ହାଇୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ଟି ନିୟନ୍ତ୍ରଣ ହରାଇ ପାହାଡ଼ ଉପରୁ ତଳକୁ ଖସିପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏଥିସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବସ୍ଟି ରାମନଗରରୁ ଉଧମପୁର ଅଭିମୁଖେ ଯାଉଥିଲା । ତେବେ ହାଇୱେରେ ଥିବା କାନୋଟେ ଗ୍ରାମ ନିକଟରେ ଚାଳକ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଯାହାଫଳରେ ଗାଡ଼ିଟି ସିଧା ପାହାଡ଼ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚିତ୍କାର ଓ କାନ୍ଦବୋବାଳି ଶୁଣିବାକୁ ମିଳିଥିଲା ।
ଉଦ୍ଧାର କାର୍ଯ୍ୟ ଜାରି:
ଭୟଙ୍କର ବସ୍ ଦୁର୍ଘଟଣା ପରେ ଏବେ ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କ ଚିକିତ୍ସାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । ସ୍ଥାନୀୟ ପ୍ରଶାସନ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଘଟଣାର ତଦାରଖ କରୁଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଥିବା ଯାତ୍ରୀମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟ ମାଧ୍ୟମରେ ବଡ଼ ହସ୍ପିଟାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରଶାସନ ସହିତ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।
ଏହା ବି ପଢ଼ନ୍ତୁ... ଅନ୍ତିମ ସଂସ୍କାରରେ ଶବ ସହ ମର୍ସିଡିଜ୍ କା କବର, ସୋସିଆଲ୍ ମିଡିଆରେ ଆଲୋଚନା
ସିଧାସଳଖ ଯୋଗାଯୋଗରେ କେନ୍ଦ୍ରମନ୍ତ୍ରୀ:
କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଉଧମପୁର ଜିଲ୍ଲାପାଳ (DC) ଙ୍କ ସହ ଫୋନ୍ ଯୋଗେ କଥା ହୋଇ ସ୍ଥିତି ସମ୍ପର୍କରେ ସୂଚନା ନେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ପୋଷ୍ଟ କରି ସେ ଏହି ସଡ଼କ ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଅଧିକ ଜୀବନହାନି ହେବାର ଆଶଙ୍କା ରହିଛି । ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ସେମାନଙ୍କୁ ଏୟାରଲିଫ୍ଟ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ ବଳ ଏବଂ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି । ଆହତମାନଙ୍କୁ ବିଳମ୍ବ ନକରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ମୃତକ ଓ ଆହତଙ୍କ ପରିବାରବର୍ଗଙ୍କୁ ଯୋଗାଯୋଗ କରାଯାଉଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଏବେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
କାହିଁକି ଘଟିଲା ଦୁର୍ଘଟଣା ?
ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ । ପ୍ରାଥମିକ ସୂଚନା ଅନୁଯାୟୀ, ରାସ୍ତାର ଖରାପ ଅବସ୍ଥା ଯୋଗୁଁ ବସ୍ଟି ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ତେବେ ଗାଡ଼ିଟି କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ, ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ କହିଛି ଯେ, "ଆମର ପ୍ରାଥମିକତା ହେଉଛି ପ୍ରତ୍ୟେକ ଆହତଙ୍କୁ ସଠିକ୍ ସମୟରେ ଚିକିତ୍ସା ଯୋଗାଇବା ଏବଂ ଜୀବନ ରକ୍ଷା କରିବା ।"