ନିକଟରେ ଜୁଲାଇ-ସେପ୍ଟେମ୍ବର ୨୦୨୫ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ଅତି ଭଲ ପ୍ରଦର୍ଶନ କରିଥିବା ସଂକ୍ରାନ୍ତ ଏକ ରିପୋର୍ଟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି । ଏହି ସମୟ ଅବଧିରେ ଭାରତର ଆର୍ଥିକ ଅଭିବୃଦ୍ଧି ୮.୨% ହୋଇଛି ବୋଲି ଦର୍ଶାଯାଇଛି, ଯାହା ଗତ ୬ଟି ତ୍ରୈମାସିକ ମଧ୍ୟରେ ସର୍ବାଧିକ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଆକଳନ (୬.୬%)ଠାରୁ ଅଧିକ । ୨୦୨୫ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ୭.୪% ଏବଂ ଏପ୍ରିଲଜୁନ ତ୍ରୈମାସିକରେ ୭.୮% ହୋଇଥିଲା । କୃଷି, ଶିଳ୍ପ, ବିଶେଷକରି ଉତ୍ପାଦନ ଓ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଏବଂ ଜିଏସ୍ଟି ହାର ହ୍ରାସଜନିତ କଞ୍ଜମ୍ସନ ବା ଉପଭୋଗ ବୃଦ୍ଧି ଯୋଗୁଁ ଏଭଳି ଉତ୍ସାହଜନକ ଅଭିବୃଦ୍ଧି ଘଟିଛି ବୋଲି କୁହାଯାଉଛି । ବିଶେଷକରି ଭାରତର ରପ୍ତାନି ଉପରେ ଆମେରିକା ପାରସ୍ପରିକ ଓ ପ୍ରତିଶୋଧମୂଳକ ଶୁଳ୍କ ଧାର୍ଯ୍ୟ ସତ୍ତେ୍ୱ ଭାରତର ଆର୍ଥିକ ଅଭିବୃଦ୍ଧି ଅଧିକ ହେବା ଖୁସି ଖବର ବୋଲି କୁହାଯାଉଛି ।

ବଡ଼ ସମସ୍ୟା ହେଉଛି, ନାମାଙ୍କନ ଅଭିବୃଦ୍ଧି କମ୍ ହୋଇଛି । ମୁଦ୍ରାସ୍ଫୀତିକୁ ବିଚାରକୁ ନେବା ପୂର୍ବରୁ ନାମାଙ୍କନ ଅଭିବୃଦ୍ଧି ଆକଳିତ ହୋଇଥାଏ, ଯାହା ୨୦୨୫ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ୧୦.୭%ରୁ ଏପ୍ରିଲ-ଜୁନ ତ୍ରୈମାସିକରେ ୮.୮% ଏବଂ ଏବେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୮.୭% କୁ ହ୍ରାସପାଇଛି । ନାମାଙ୍କନ ଜିଡିପି ଓ ବାସ୍ତବ ଜିଡିପି ମଧ୍ୟରେ ଏତେ କମ୍ ପାର୍ଥକ୍ୟ ରହିବାର କାରଣ ହେଲା, ନାମାଙ୍କନ ଅଭିବୃଦ୍ଧିରୁ ମୁଦ୍ରାସ୍ଫୀତି ବିଯୁକ୍ତ କରି ବାସ୍ତବ ଅଭିବୃଦ୍ଧି ଆକଳନ କରାଯାଇଥାଏ ଏବଂ ମୁଦ୍ରାସ୍ଫୀତି ଆକଳନ ପାଇଁ ଯେଉଁ ପ୍ରାୟସ ଡିଫ୍ଲେଟର ବ୍ୟବହାର କରାଯାଇଛି ତାହା ବହୁତ କମ୍ ରହିଛି । ଅର୍ଥାତ୍ ଜୁଲାଇସେପ୍ଟେମ୍ବର ତ୍ରୈମାସିକରେ ପ୍ରାୟସ ଡିଫ୍ଲେଟରରେ ଆକଳିତ ମୁଦ୍ରାସ୍ଫୀତି ମାତ୍ର (୮.୭%-୮.୨%) ୦.୫% । ଏଣୁ ବାସ୍ତବ ଜିଡିପି ବୃଦ୍ଧିପାଇବା ବେଳେ, ନାମାଙ୍କନ ଅଭିବୃଦ୍ଧି ହ୍ରାସପାଇବା ଚିନ୍ତାଜନକ । ଏହି ପ୍ରକ୍ରିୟା ବିପରୀତଧର୍ମୀ ଅଟେ । ଏହାକୁ "ଶ୍ରୋଡିଙ୍ଗର ଅର୍ଥନୀତି’ କୁହାଯାଏ । ଶ୍ରୋଡିଙ୍ଗର ନାମକ କୌଣସି ବିଶିଷ୍ଟ ଅର୍ଥନୀତିଜ୍ଞ ନୁହଁନ୍ତି, ସେ ନୋବେଲବିଜେତା ପଦାର୍ଥ ବିଜ୍ଞାନୀ । ଏହି ଅର୍ଥନୈତିକ ପ୍ରସଙ୍ଗରେ "ଶ୍ରୋଡିଙ୍ଗର’ ଶବ୍ଦଟି ପଦାର୍ଥବିଜ୍ଞାନୀ ଏରୱିନ୍ ଶ୍ରାଡିଙ୍ଗରଙ୍କ ଚିନ୍ତାଧାରା ଉପରେ ପର୍ଯ୍ୟବସିତ । ଏହା ଏକ ଅନିଶ୍ଚିତ ଅବସ୍ଥାରେ ଥିବା ଅର୍ଥନୀତିକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ, ଯେପରି ଦୁଇଟି ବିପରୀତ ସୂଚକ ଦେଖାଯାଇଥାଏ । ଅନ୍ୟ ଅର୍ଥରେ ‘ଶ୍ରୋଡିଙ୍ଗର’ଙ୍କ ଅର୍ଥନୀତି ଏକ ଆର୍ଥିକ ପରିସ୍ଥିତିକୁ ବର୍ଣ୍ଣନା କରିବାପାଇଁ ବ୍ୟବହୃତ ହୁଏ, ଯାହାର ପରସ୍ପର ବିରୋଧୀ ସୂଚକ ଅଛି । ଉଦାହରଣ ସ୍ୱରୂପ, ଏକ ସମୟରେ ନାମମାତ୍ର ଅଭିବୃଦ୍ଧି ହ୍ରାସ ଘଟୁଥିଲାବେଳେ ଅନ୍ୟପଟରେ ପୁନରୁଦ୍ଧାର ବା ବାସ୍ତବ ଜିଡିପି ଅଭିବୃଦ୍ଧି ଅଧିକ ହେବା । ଏକ ସମୟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଲାବେଳେ, ଅନ୍ୟପଟରେ ନିଯୁକ୍ତି ହ୍ରାସପାଇବା । ବର୍ତ୍ତମାନ ବାସ୍ତବ ଜିଡିପି ହାର ବୃଦ୍ଧିପାଇବାବେଳେ, ନାମାଙ୍କନ ଜିଡିପି ବୃଦ୍ଧି ହାର ହ୍ରାସପାଉଛି ।

ପ୍ରକୃତରେ, ନାମମାତ୍ର ବା ନାମାଙ୍କନ ଜିଡିପି ବର୍ତ୍ତମାନ ଗତ ଛଅଟି ତ୍ରୈମାସିକ ମଧ୍ୟରୁ ପାଞ୍ଚଟିରେ ଏକକ-ଅଙ୍କ ଅଭିବୃଦ୍ଧି ହାସଲ କରିଛି। ୨୦୨୪-୨୫ କେନ୍ଦ୍ର ବଜେଟ୍ରେ ନାମାଙ୍କନ ଅଭିବୃଦ୍ଧି ୧୦.୫% ଧାର୍ଯ୍ୟ କରାଯାଇଥିଲାବେଳେ ବାସ୍ତବରେ ୯.୭% ହୋଇଥିଲା । ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟରେ ନାମାଙ୍କନ ଅଭିବୃଦ୍ଧି ୧୦.୧% ହେବ ବୋଲି ଆକଳନ କରାଯାଇଥିଲାବେଳେ ବାସ୍ତବରେ ଏହା ବହୁତ କମ୍ ହେବାକୁ ଯାଉଛି । ବଜେଟର ବ୍ୟୟ ଆକଳନ, ସମ୍ବଳ ସଂଗ୍ରହ, ବିଭିନ୍ନ ପ୍ରକାର ନିଅଣ୍ଟ, ନାମାଙ୍କନ ଅଭିବୃଦ୍ଧିର ଅନୁପାତ ବା ପ୍ରତିଶତ ଭାବରେ ମାପ କରାଯାଏ । ନାମାଙ୍କନ ଜିଡିପି ହ୍ରାସପାଇଲେ ସବୁ ହିସାବ ଗୋଳମାଳ ହୋଇଯିବ । ନାମାଙ୍କନ ଜିଡିପି ହ୍ରାସପାଇଲେ ନାମାଙ୍କନ ମୂଲ୍ୟରେ ମଧ୍ୟ ରାଜସ୍ୱ ସଂଗ୍ରହ, ବ୍ୟୟ ଆଦି ହ୍ରାସପାଇବ । କିଛି ବୁଦ୍ଧିଜୀବୀ ଭାରତର ଅଭିବୃଦ୍ଧି ହାରକୁ ଚାଇନା ଓ ଆମେରିକା ସହିତ ତୁଳନା କରି ଖୁସି ହେଉଛନ୍ତି । ଏହି ରିପୋର୍ଟ ପ୍ରକାଶ ପାଇବା ସହ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଚାଇନାର ଆର୍ଥିକ ଅଭିବୃଦ୍ଧି ୪.୮% ରହିଥିବା ସୂଚନା ଦିଆଯାଇଛି। ୨୦୨୪-୨୫ ଅବଧି ପାଇଁ, ଆମେରିକାର ଜିଡିପି ୩୦.୫୧ ଟ୍ରିଲିୟନ ଡଲାର ହୋଇଥିଲାବେଳେ ଚାଇନାର ୧୯.୨୩ ଟ୍ରିଲିୟନ ଡଲାର ଏବଂ ଭାରତର ୪.୧୯ ଟ୍ରିଲିୟନ ଡଲାର ବୋଲି ଆକଳନ କରାଯାଇଛି ।

ଆମେରିକା ସବୁଠାରୁ ବଡ଼ ଅର୍ଥନୀତି ଭାବରେ ରହିଛି, ଏହାପରେ ଚାଇନା ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ଭାରତ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଚାଇନାର ଅଭିବୃଦ୍ଧି ୧% ବୃଦ୍ଧିପାଇଲେ ଏହାର ଜିଡିପି ୧୯୨.୩ ବିଲିୟନ ଡଲାର ବୃଦ୍ଧି ପାଇଲାବେଳେ ଆମେରିକାରେ ୩୦୫୧ ବିଲିୟନ ଡଲାର ବୃଦ୍ଧିପାଇବ । କିନ୍ତୁ ଭାରତରେ ମାତ୍ର ୪୧.୯ ବିଲିୟନ ଡଲାର ବୃଦ୍ଧିପାଇବ । ଏଣୁ ଏକ କ୍ଷୁଦ୍ର ଅର୍ଥନୀତିରେ ବିରାଟ ବଡ଼ ସଂଖ୍ୟାର ପ୍ରତିଶତ ବୃହତ୍ ଅର୍ଥନୀତିର କ୍ଷୁଦ୍ର ସଂଖ୍ୟାର ପ୍ରତିଶତ ସହିତ ତୁଳନା କଲେ ଠିକ୍ ସିଦ୍ଧାନ୍ତରେ ଉପନୀତ ହୋଇପାରିବା ନାହିଁ । ଅନ୍ୟ ଶବ୍ଦରେ କହିଲେ, ସମକକ୍ଷ ଅର୍ଥନୀତି ସହିତ ତୁଳନା କରାଯାଇପାରେ । ଭାରତ ମୁଣ୍ଡପିଛା ଆୟ ଦୃଷ୍ଟିରୁ ପ୍ରାୟ ୧୩୫ଟି ଦେଶ ତଳେ ରହିଛି । ହଟ୍ମେଲ୍ ଡଟ୍ କମ୍ (ବର୍ତ୍ତମାନ ଆଉଟ୍ଲୁକ୍ ଡଟ୍ କମ୍)ର ସ୍ରଷ୍ଟା ସବୀର ଭାଟ୍ଟିଆ ଗତ ସପ୍ତାହରେ ମତ ପ୍ରକାଶ କରିଛନ୍ତି, ଯେଉଁଥିରେ ସ୍ପଷ୍ଟଭାବେ କହିଛନ୍ତି ଯେ, ଭାରତର ମୋଟ୍ ଘରୋଇ ଉତ୍ପାଦ(ଜିଡିପି) ଆକଳନ ପଦ୍ଧତି ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ । କିନ୍ତୁ ଏହି ସମୟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଭାରତୀୟ ଅର୍ଥନୀତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହାର ବାର୍ଷିକ ସମୀକ୍ଷାରେ ଭାରତର ନ୍ୟାସନାଲ ଆକାଉଣ୍ଟ ତଥ୍ୟରେ ଗମ୍ଭୀର ତ୍ରୁଟି ଥିବା ଉଲ୍ଲେଖ କରି ଏହାକୁ ସିଗ୍ରେଡ୍ ଦେଇଛି ।

ଆକଳନର କ୍ୱାଲିଟି ଦୃଷ୍ଟିରୁ ଦେଖିଲେ ଏହାକୁ ଦ୍ୱିତୀୟ ସବୁଠାରୁ ଖରାପ ସ୍ତରଭାବରେ ବିବେଚନା କରାଯାଏ । ଆଇଏମଏଫର ଏହି ଛାଟ ପରେ ଭାରତର ଜିଡିପି ଆକଳନ ନେଇ ସନ୍ଦେହ ପ୍ରକାଶ ପାଇଛି । "ସି' ଗ୍ରେଡ ଦେବାର ପ୍ରଥମ କାରଣ ହେଉଛି ନାମାଙ୍କନ ଅଭିବୃଦ୍ଧିରୁ ଯେଉଁ ପ୍ରାଇସ ବା ମୂଲ୍ୟ ଡିଫ୍ଲେଟର ଦ୍ୱାରା ଆକଳିତ ମୁଦ୍ରାସ୍ଫୀତି ବିଯୁକ୍ତ କରାଯାଇ ବାସ୍ତବ ଅଭିବୃଦ୍ଧି ଆକଳନ କରାଯାଏ, ସେହି କମ୍ ପ୍ରାଇସ୍ ବା ମୂଲ୍ୟ ଡିଫ୍ଲେଟର ବ୍ୟବହାର କରାଯାଇଛି, ଯାହାଫଳରେ ନାମାଙ୍କନ ଅଭିବୃଦ୍ଧି କମ୍ ହେବା ସତ୍ତେ୍ୱ ବାସ୍ତବ ଅଭିବୃଦ୍ଧି ଅଧିକ ହୋଇଛି । ପୁନଶ୍ଚ ଉତ୍ପାଦନ ବା ଆଉଟପୁଟ ବା ପ୍ରଡକ୍ଟ, ଖର୍ଚ୍ଚ ବା ବ୍ୟୟ ଏବଂ ଆୟ ପରି ତିନିଟି ପଦ୍ଧତି ମାଧ୍ୟମରେ ଜିଡିପି ଆକଳନ କରାଯାଏ । ଉତ୍ପାଦନ/ଆଉଟପୁଟ/ପ୍ରଡକ୍ଟ ଓ ଖର୍ଚ୍ଚ/ବ୍ୟୟ ଦ୍ୱାରା ଆକଳନ ପଦ୍ଧତିରେ ଜିଡିପି ସମାନ ହେବା କଥା, କିନ୍ତୁ ହେଉନାହିଁ । ବର୍ତ୍ତମାନ ୨୦୨୪-୨୫ ବର୍ଷ ଚାଲିବାବେଳେ ୨୦୧୧-୧୨କୁ ଏବେବି ମୂଳ ବର୍ଷ ଭାବେ ଧରାଯାଉଛି । ଅବଶ୍ୟ ଫେବ୍ରୁଆରୀ ୨୦୨୬ରେ ମୂଳ ବର୍ଷ ୨୦୨୩-୨୩କୁ ସଂଶୋଧନ କରାଯିବ । ସି-ଗ୍ରେଡ୍ ଅନ୍ୟ ଏକ କାରଣ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା, ଅଧିକାଂଶ ୟୁରୋପୀୟ ସଂଘ ଦେଶ, ଚାଇନା ଏବଂ ଦକ୍ଷିଣ-କୋରିଆ ସମେତ ଅଧିକାଂଶ ଜି-୨୦ ଦେଶ ଡବଲ୍ ଡିଫ୍ଲେସନ୍ ଭାବରେ ଜଣାଶୁଣା ଏକ ପଦ୍ଧତି ବ୍ୟବହାର କରି ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ) ଆକଳନ କରନ୍ତି । ଭାରତରେ ଏକକ ଡିଫ୍ଲେସନ ବା ଡିଫ୍ଲେଟର ପଦ୍ଧତି ଅନୁକରଣ କରାଯାଏ, ଯେଉଁଠାରେ କେବଳ ନାମାଙ୍କନ ଆଉଟପୁଟ୍ ବା ଉତ୍ପାଦ ମୂଲ୍ୟ ଆଉଟପୁଟ୍ ସୂଚକାଙ୍କ ଦ୍ୱାରା ଡିଫ୍ଲେଟ୍ କରାଯାଏ । କିନ୍ତୁ ଡବଲ୍ ଡିଫ୍ଲେସନ୍ କ୍ଷେତ୍ରରେ ନାମାଙ୍କନ ଆଉଟପୁଟ୍ ବା ଉତ୍ପାଦ ଏକ ଆଉଟପୁଟ୍ ଡିଫ୍ଲେଟର ବ୍ୟବହାର କରି ଡିଫ୍ଲେଟ୍ କରାଯାଏ ଏବଂ ଇନପୁଟ୍ ଏକ ପୃଥକ ଇନପୁଟ୍ ଡିଫ୍ଲେଟର ବ୍ୟବହାର କରି ଡିଫ୍ଲେଟ୍ କରାଯାଏ । ତା'ପରେ ଗ୍ରସ୍ ଭାଲ୍ୟୁ ଆଡେଡ ପାଇବାପାଇଁ ବାସ୍ତବ ଇନପୁଟ୍ ବାସ୍ତବ ଆଉଟପୁଟ୍ରୁ ବିୟୋଗ କରାଯାଏ ।

ବିପରୀତ ଭାବରେ, ଭାରତ ଏକକ ଡିଫ୍ଲେଟର ବ୍ୟବହାର କରି ନାମାଙ୍କନ ଜିଡିପିକୁ ଡିଫ୍ଲେଟ୍ କରେ । ଏହି ସମୟରେ ଭାରତୀୟ ଅର୍ଥନୀତିଜ୍ଞ ଏବଂ ଭାରତର ଯୋଜନା କମିଶନର ପୂର୍ବତନ ଉପାଧ୍ୟକ୍ଷ ମୋଣ୍ଟେକ ସିଂହ ଆହଲୁୱାଲିଆ କହିଛନ୍ତି ଯେ, ଭାରତର ପରବର୍ତ୍ତୀ ଅର୍ଥନୈତିକ ଲମ୍ଫ ୧୯୯୧ ମସିହାର ସଫଳତା ଅପେକ୍ଷା ଅଧିକ କଷ୍ଟକର ହେବ । ଭାରତର ସଂସ୍କାର ଚ୍ୟାଲେଞ୍ଜଗୁଡ଼ିକ ବର୍ତ୍ତମାନ ପ୍ରାରମ୍ଭିକ ଉଦାରୀକରଣ ପର୍ଯ୍ୟାୟଠାରୁ ଗୁଣାତ୍ମକ ଭାବରେ ଭିନ୍ନ, ଯାହାପାଇଁ ମୁଖ୍ୟତଃ ଅମଲାତନ୍ତ୍ରଙ୍କୁ ପ୍ରେରଣା ଦେବା ଆବଶ୍ୟକ ଥିଲା । ଭାରତ ୧୯୯୧ ମସିହା ବେଳେ ଯେଉଁ ସମସ୍ୟା ସମ୍ମୁଖୀନ ହେଉଥିଲା ବର୍ତ୍ତମାନ ତାହା ସଂପୂର୍ଣ୍ଣ ଭିନ୍ନ । ଭାରତକୁ ୨୦୪୭ରେ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଦୃତ ଅଭିବୃଦ୍ଧି ସହିତ ଶାସନ ପ୍ରକ୍ରିୟାରେ ପରିବର୍ତ୍ତନ ଆବଶ୍ୟକ । ଅସ୍ଥିର ବିଶ୍ୱ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଜଳବାୟୁ ପରିବର୍ତ୍ତନ, ପରିବେଶଜନିତ କ୍ଷୟକ୍ଷତି ଭୟଙ୍କର ବିପଦ ସୃଷ୍ଟି କରିଛି । ଆହଲୁୱାଲିଆ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶକୁ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି । ଏହିସବୁ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ବ୍ୟୟ କରିବା ଆବଶ୍ୟକ । ସେ ଆହୁରି କୃଷି ଗବେଷଣା, ଜଳବାୟୁ-ପ୍ରତିରୋଧୀ କୃଷି ଏବଂ ଜଳ ସଂରକ୍ଷଣ ପାଇଁ ଖର୍ଚ୍ଚ ଅଧିକ ଆବଶ୍ୟକ ବୋଲି କହିଛନ୍ତି । ଅବଶ୍ୟ ଶିଳ୍ପର ଆଧୁନିକୀକରଣ, ଘରୋଇ ଗବେଷଣା ଏବଂ ବିକାଶକୁ ସୁଦୃଢ଼ କରିବା ଏକ ବୃହତ କେନ୍ଦ୍ରୀୟ ଆର୍ଥିକ ପ୍ରତିବଦ୍ଧତା ବିନା କରାଯାଇପାରିବ ନାହିଁ, କାରଣ ଗବେଷଣାରେ ଘରୋଇ ନିବେଶ ବହୁତ କମ୍ ରହିଛି । ସେ ଜୋର ଦେଇ କହିଛନ୍ତି ଯେ, ଅନ୍ତର୍ନିହିତ ଅଭିବୃଦ୍ଧି ହାର ପ୍ରାୟ ୬.୫% ରହିଛି ଏବଂ ଭଲ ନୀତି ଏହାକୁ ଉପରକୁ ଠେଲିଦେଇପାରେ, ଖରାପ ନୀତି ଏହାକୁ ଶୀଘ୍ର ହ୍ରାସ କରିପାରିବ ।

ଆମ ମତରେ, କେବଳ ଜିଡିପିକୁ ଗୁରୁତ୍ୱ ନଦେଇ ଜୀବନର ଗୁଣାତ୍ମକ ବିକାଶକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍ । ଜୀବନକୁ କେବଳ ସମ୍ପଦ ଓ କ୍ଷମତା ପଦପଦବି ସହିତ ନମାପି ଜଣେ କେତେ ସୁଖ ଓ ଶାନ୍ତିରେ ରହିବ ତାକୁ ଗୁରୁତ୍ୱ ଦିଆଯାଉ । ଜଣେ ଜିଡିପିକୁ ଅଧିକ ପ୍ରାଧାନ୍ୟ ଦେଲେ କେତେ ଅଧିକ ମଦ ବିକ୍ରି ହୋଇ ରାଜସ୍ୱ ଆଦାୟ ହେବ ତାହାକୁ ଗୁରୁତ୍ୱ ଦେବ । କିନ୍ତୁ ଜଣେ ଜୀବନର ଗୁଣାତ୍ମକ ଦିଗକୁ ଗୁରୁତ୍ୱ ଦେଲେ ମଦ ଏବଂ ଅନ୍ୟ ନିଶାଦ୍ରବ୍ୟ ବିକ୍ରି ହ୍ରାସପାଇଁ ଚେଷ୍ଟା କରିବ । ଜିଡିପି ସାମାଜିକ କଲ୍ୟାଣକୁ ସଠିକ୍ ଭାବରେ ସୂଚାଇ ପାରେନାହିଁ, କାରଣ ଏହା ଆୟ ଅସମାନତା, ପରିବେଶଗତ କ୍ଷତି, ଅବୈତନିକ କାମ, ସ୍ୱାସ୍ଥ୍ୟ ଏବଂ ବିଶ୍ରାମ ଭଳି ଜୀବନର ଗୁଣବତ୍ତା ଦିଗଗୁଡ଼ିକୁ ହିସାବ କରିବାରେ ବିଫଳ ହୁଏ । ଏହା ଜଣଙ୍କର ଖୁସି, ଭାବନା ଏବଂ ଦୁଃଖକୁ ହିସାବ କରେନାହିଁ । ଯଦିଓ ଏକ ଉଚ୍ଚ ଜିଡିପି ଅର୍ଥନୈତିକ ଅଭିବୃଦ୍ଧି ସହିତ ସମ୍ପର୍କିତ ହୋଇପାରେ, ଏହା ସେହି ଅଭିବୃଦ୍ଧିର ସ୍ଥାୟିତ୍ୱ କିମ୍ବା ଅଭିବୃଦ୍ଧିର ସୁଫଳ ଲୋକଙ୍କ ମଧ୍ୟରେ କିପରି ବଣ୍ଟନ କରାଯାଇଛି ତାହା ମାପ କରେନାହିଁ । ଏଣୁ ମାନବ ବିକାଶ ସୂଚକାଙ୍କ ଏବଂ ବିଶ୍ୱ ଖୁସି, ଶାନ୍ତିର ସୂଚକାଙ୍କ, ନିରନ୍ତର ବିକାଶ ଆଦି ସୂଚକାଙ୍କରେ ଭାରତର କିପରି ଉନ୍ନତି ଘଟିବ ଏବଂ ବୈଷମ୍ୟ ହ୍ରାସପାଇବ ତାହା ପ୍ରତି ସରକାର ଗୁରୁତ୍ୱ ଦେବା ଆବଶ୍ୟକ ।

ଜୀବନକୁ କେବଳ ସମ୍ପଦ ଓ କ୍ଷମତା ପଦପଦବି ସହିତ ନମାପି ଜଣେ କେତେ ସୁଖ ଓ ଶାନ୍ତିରେ ରହିବ ତାକୁ ଗୁରୁତ୍ୱ ଦିଆଯାଉ । ଜଣେ ଜିଡିପିକୁ ଅଧିକ ପ୍ରାଧାନ୍ୟ ଦେଲେ କେତେ ଅଧିକ ମଦ ବିକ୍ରି ହୋଇ ରାଜସ୍ୱ ଆଦାୟ ହେବ ତାହାକୁ ଗୁରୁତ୍ୱ ଦେବ । କିନ୍ତୁ ଜଣେ ଜୀବନର ଗୁଣାତ୍ମକ ଦିଗକୁ ଗୁରୁତ୍ୱ ଦେଲେ ମଦ ଏବଂ ଅନ୍ୟ ନିଶାଦ୍ରବ୍ୟ ବିକ୍ରି ହ୍ରାସପାଇଁ ଚେଷ୍ଟା କରିବ ।