ନୂଆଦିଲ୍ଲୀ,୦୪/୦୧: ଆଉ ନାହାନ୍ତି ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ । ଦେଶରେ ୧୯୭୫ ଓ ୧୯୯୮ରେ ପରମାଣୁ ପରୀକ୍ଷଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ଆର. ଚିଦାମ୍ବରମଙ୍କ ଦେହାନ୍ତ ହୋଇଛି। ୮୮ ବର୍ଷ ବୟସରେ ସେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଅନେକ ଦିନ ଧରି ସେ ବୟସଜନିତ ରୋଗରେ ପିଡୀତ ଥିବାବେଳେ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।
ସେ ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା ଥିଲେ । ଏଥିସହ ସେ ଅବଦୁଲ କଲାମଙ୍କ ମଧ୍ୟ ଘନିଷ୍ଠ ସହଯୋଗୀ ଥିଲେ । ପୋଖରାନ୍ ପରୀକ୍ଷଣରେ ଆର. ଚିଦାମ୍ବରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ବେଳେ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସ୍ମାଇଲିଂ ବୁଦ୍ଧ, ଅପରେସନ ଶକ୍ତିରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ୧୯୩୬ ମସିହା ୧୨ ନଭେମ୍ବରରେ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ରାଜଗୋପାଳ ଚିଦାମ୍ବରମ ବା ଆର୍. ଚିତାମ୍ବର । ଭାରତୀୟ ବିଜ୍ଞାନ ଅନୁଷ୍ଠାନ, ବେଙ୍ଗାଲୁରୁରୁ ପିଏଚଡି କରିବା ପରେ ୧୯୬୨ରେ ସେ ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର(ରେ ଯୋଗ ଦେଇଥିଲେ । ୧୯୭୪ ଏବଂ ୧୯୮୮ରେ ସେ ପରୀକ୍ଷଣରେ ଏକ ପ୍ରମୁଖ ଭୂମିକା ତୁଲାଇଥିଲେ । ଯେଉଁଥିପାଇଁ ତାଙ୍କୁ ୧୯୭୫ରେ ପଦ୍ମଶ୍ରୀ ଏବଂ ୧୯୯୯ରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।